ରାଜ୍ୟରେ ଖୁବ୍‌ଶୀଘ୍ର ଏଟିଏମରୁ ମିଳିବ ୨୪ ଘଣ୍ଟିଆ ରାସନ ସାମଗ୍ରୀ

ଏଟିଏମରୁ ଟଙ୍କା ବାହାରିବା ଭଳି ଶସ୍ୟ ବାହାରିବ, ୨୪ ଘଣ୍ଟା ମିଳିବ ରାସନ..

ଭୁବନେଶ୍ୱର: ଗୃହରେ ଖର୍ଚ୍ଚଦାବି ଆଲୋଚନା ବେଳେ ଯୋଗାଣ ମନ୍ତ୍ରୀଙ୍କ ସୂଚନା -ରାଜ୍ୟ ସରକାର ଅଲ୍ ଟାଇମ୍ ଗ୍ରେନ ଯୋଜନା କରୁଥିବା କହିଲେ ମନ୍ତ୍ରୀ-ଏଟିଏମରୁ ଟଙ୍କା ବାହାରିବା ଭଳି ଶସ୍ୟ ବାହାରିବ, ୨୪ ଘଣ୍ଟା ମିଳିବ ରାସନ ।

ପାଇଲଟ ପ୍ରୋଜେକ୍ଟ ଭାବେ ଯୋଜନା ରାଜଧାନୀରୁ ଆରମ୍ଭ ହେବ, ପରବର୍ତି ସମୟରେ ରାଜ୍ୟର ସମସ୍ତ ଜିଲ୍ଲା ଓ ସଦର ମହକୁମାରେ ଚାଉଳ ଏଟିଏମ ଖୋଲିବ ବୋଲି ଖାଉଟି ଓ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ସୂଚନା ଦେଇଛନ୍ତି ।

ବିଧାନସଭାରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ସମବାୟ ବିଭାଗର ଖର୍ଚ୍ଚ ଦାବି ଗୃହୀତ ହୋଇଛି । ଖାଦ୍ୟ ଯୋଗାଣ ବିଭାଗର ୧୨୦୫ କୋଟି ୨୯ ଲକ୍ଷ ୪୯ ହଜାର ଟଙ୍କା ହୋଇଥିବା ବେଳେ ସମବାୟ ବିଭାଗର ୧୯୪୧ କୋଟି ୧୪ ଲକ୍ଷ ୧୫ ହଜାର ଟଙ୍କା ବ୍ୟୟ ବରାଦ କରାଯାଇଛି । ଖର୍ଚ୍ଚ ଦାବି ଆଲୋଚନା ବେଳେ ବିଭାଗୀୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି ଖାଦ୍ୟ ସୁରକ୍ଷା ଯୋଜନାରେ ଓଡିଶା ଏକ ମଡେଲ ରାଜ୍ୟ ହୋଇଛି ।

ଦିନକୁ ଦିନ ଏହି ବ୍ୟବସ୍ଥାକୁ ଅଧିକ ସରଳୀକରଣ କରାଯାଉଛି । ଖାଦ୍ୟ ଓ ଶସ୍ୟ ରହୁଥିବା ଗୋଦାମ ଗୃହକୁ ଅଟୋମେସନ କରିବା ସହିତ କିପରି ଗୁଣାତ୍ମକ ଯୁକ୍ତ ଶସ୍ୟ ପହଁଚିବ ସରକାର ସେ ବ୍ୟବସ୍ଥା କରୁଛନ୍ତି । ଏଥିସହ ବିନା ସୁଧରେ ଚାଷୀଙ୍କୁ ଋଣ ମିଳିବ । ରାଜ୍ୟର ସମସ୍ତ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏହା ଦ୍ୱାରା ଉପକୃତ ହେବେ ବୋଲି ବିଧାନସଭାରେ ମନ୍ତ୍ରୀ ସୂଚନା ଦେଇଛନ୍ତି ।