ରାଜ୍ୟର ପ୍ରଥମ ‘ଆଦର୍ଶ ଦଣ୍ଡିତ’ କାରାଗାର ଉଦଘାଟିତ

ଭୁବନେଶ୍ୱର,(ଏସ୍ ନ୍ୟୁଜ): ରାଜ୍ୟର ପ୍ରଥମ ‘ଆଦର୍ଶ ଦଣ୍ଡିତ’ କାରାଗାର କଟକ ଜିଲ୍ଲା ଆଠଗଡ଼ରେ ଉଦ୍‌ଘାଟିତ ହୋଇଛି । ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ରାଣୀବଣିଆଠାରେ ପ୍ରାୟ ୧୪କୋଟି ଟଙ୍କା ବ୍ୟୟରେ ଏହା ନିର୍ମାଣ କରାଯାଇଛି । ଏହି କାରାଗାରରେ ୫ଶହ କଏଦୀ ରହିବା ପାଇଁ ବ୍ୟବସ୍ଥା ହୋଇଛି । ଏଠାରେ ରହି ଦଣ୍ଡ ଭୋଗୁଥିବା କଏଦୀମାନେ ନିଜର ଆଚାର ବ୍ୟବହାର ସହିତ ଚରିତ୍ର ଗଠନ କରିବାକୁ ସମସ୍ତ ପଦକ୍ଷେପ ନିଆଯାଇଥିବା ଜେଲ ବିଭାଗ ପକ୍ଷରୁ ସୂଚନା ମିଳିଛି । ଆଠଗଡ଼ ବିଧାୟକ ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ସାଂସଦ ଭର୍ତ୍ତୃହରି ମହତାବ, ଜେଲ ବିଭାଗର ମହାନିର୍ଦ୍ଦେଶକ ସନ୍ତୋଷ କୁମାର ଉପାଧ୍ୟାୟ ଉପସ୍ଥିତ ରହି ଏହାକୁ ଉଦଘାଟନ କରିଥିବାବେଳେ ଗୃହରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ୍‌ ଦିବ୍ୟଶଙ୍କର ମିଶ୍ର ଭର୍‌ଚୁଆଲ୍‌ ମୋଡରେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।
ରାଜ୍ୟ ପୁଲିସ ହାଉସିଂ କର୍ପୋରେସନର ୧୩ତମ ଏଫ୍‌ସିଏ ଗ୍ରାଣ୍ଟ୍‌ରୁ ଏହି କାରାଗାର ନିର୍ମାଣ କରାଯାଇଛି । ଏଠାରେ ୫୦୦ ଦୋଷୀସାବ୍ୟସ୍ତ ଅନ୍ତେବାସୀ ରହିବାକୁ ବ୍ୟବସ୍ଥା ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୪୫୦ ପୁରୁଷ ଓ ୫୦ ମହିଳା କଏଦୀ ରହିପାରିବେ । ଏହି କାରାଗାରରେ ହସ୍ପିଟାଲ, ଶିଳ୍ପକୋଠା, ପ୍ରଶାସନିକ କୋଠା, ସ୍କୁଲ, ପୁରୁଷ ଓ ମହିଳା କଏଦୀଙ୍କ ପାଇଁ ପୃଥକ ଡାଇନିଂହଲ ଏବଂ ଦୁର୍ଦ୍ଦାନ୍ତ ଅପରାଧୀଙ୍କ ପାଇଁ ୧୨ଟି ସ୍ୱତନ୍ତ୍ର ସେଲ୍‌ ବ୍ୟବସ୍ଥା କରାଯାଇଛି । ଏହି ପ୍ରକଳ୍ପ ପାଇଁ ୧୧.୮୩ କୋଟି ଟଙ୍କା ଅଟକଳ ହୋଇଥିଲା । ପରେ ରାଜ୍ୟ ସରକାର କର୍ମଚାରୀ କ୍ୱାର୍ଟର ପାଇଁ ଅତିରିକ୍ତ ୩.୦୩କୋଟି ଟଙ୍କା ମଞ୍ଜୁର କରିଥିଲେ । ଉଦଘାଟନୀ କାର୍ଯ୍ୟକ୍ରମରେ ଜେଲ ଡିଜି ସନ୍ତୋଷ ଉପାଧ୍ୟାୟଙ୍କ ସମେତ ବରିଷ୍ଠ ସୁପରିଟେଣ୍‌ଡେଣ୍ଟ୍‌ ଉପସ୍ଥିତ ଥିଲେ । ଏହାସହ ଜେଲ ସୁପରିଟେଣ୍‌ଡେଣ୍ଟ୍‌ ସୌଭାଗ୍ୟ କୁମାର ବଳ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । ଏହି ଅବସରରେ ସାଂସଦ ଜେଲ୍‌ ହସ୍ପିଟାଲ ପରିଦର୍ଶନ କରିବା ସହ ନିଜ ଭିତରେ ସୁଧାର ଆଣିବା ପାଇଁ କଏଦୀଙ୍କୁ ପରାମର୍ଶ ଦେଇଛନ୍ତି ।