ରାଜ୍ୟରେ ପ୍ରତିଦିନ ୪ ଦୁଷ୍କର୍ମ ଓ ୬ ଅପହାରଣ ଘଟଣା ଘଟୁଛି

ରାଜ୍ୟ ସରକାରଙ୍କ ‘ମା କୁ ସମ୍ମାନ’ର ନାରା କେବଳ ସ୍ଲୋଗାନରେ ସୀମିତ ରହିଛି : ଡ. ଐଶ୍ୱର୍ଯ୍ୟା ବିଶ୍ୱାଳ

*ଶାସକ ବିଜେଡିର ଛତ୍ରଛାୟାରେ ଅଭୁଯୁକ୍ତମାନେ ଥିବା କାରଣରୁ ପୋଲିସ ଓ ପ୍ରଶାସନ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି
*ପୀଡିତା ମହିଳାକୁ ନ୍ୟାୟ ମିଳୁ ଏବଂ ଅପରାଧୀମାନଙ୍କୁ ତୁରନ୍ତ ଗିରଫ କରାଯାଇ ଦୃଷ୍ଟାନ୍ତମୁଳକ ଦଣ୍ଡବିଧାନ କରାଯାଉ
ଭୁବନେଶ୍ୱର,(ସାକ୍‌ସୀ ନ୍ୟୁଜ୍‌): ଗଣତନ୍ତ୍ରରେ ସମସ୍ତଙ୍କୁ ବଂଚିବାର ସମାନ ଅଧିକାର ଓ ସୁଯୋଗ ମିଳିବାର ଅଧିକାର ରହିଛି । ବିଶେଷ ଭାବରେ ନିଷ୍ପେସିତ ଗରୀବ ପୀଡିତା ମହିଳାଙ୍କ ସମ୍ମାନ ପୂର୍ବକ ବଂଚିବାର ଅଧିକାର ସଂପୂର୍ଣ୍ଣ ରହିଛି । ନିରୀହ ଓ ଗରୀବ ହେଲେ ସୁଦ୍ଧା ସମସ୍ତଙ୍କୁ ଉଚିତ୍‌ ନ୍ୟାୟ ମିଳୁ ଏବଂ ଅପରାଧୀମାନଙ୍କୁ ଗିରଫ କରାଯାଇ କଠୋର ଦଣ୍ଡ ପ୍ରଦାନ କରାଯାଉ । ଘଟଣା ଘଟିବାର ୧୨ ଦିନ ବିତିଯାଇଥିଲେ ମଧ୍ୟ କୋରାପୁଟ ଜିଲ୍ଲ ଜୟପୁର ବ୍ରାହ୍ମଣୀ ଗାଁରେ ଘଟିଥିବା ଅତ୍ୟନ୍ତ ଲଜ୍ଜାଜନକ ଗଣଦୁଷ୍କର୍ମ ଘଟଣାର ପୋଲିସର ହାତ ଖାଲି ରହିଛି ଏବଂ ଅଭିଯୁକ୍ତମାନେ ନିର୍ଭୟରେ ବାହାରେ ବୁଲୁଛନ୍ତି ।ଶାସକ ବିଜେଡିର ଛତ୍ରଛାୟାରେ ଅଭୁଯୁକ୍ତମାନେ ଥିବା କାରଣରୁ ପୋଲିସ ଓ ପ୍ରଶାସନ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି । ଜୟପୁର ପୀଡିତା ମହିଳାକୁ ନ୍ୟାୟ ମିଳୁ ଏବଂ ଅପରାଧୀମାନଙ୍କୁ ତୁରନ୍ତ ଗିରଫ କରାଯାଇ ଦୃଷ୍ଟାନ୍ତମୁଳକ ଦଣ୍ଡବିଧାନ କରାଯିବା ଦାବୀରେ ମହିଳା ମୋର୍ଚ୍ଚାର ଏକ ପ୍ରତିନିଧି ଦଳ ଆଜି ରାଜ୍ୟ ମାନବାଧିକାର କମିଶନଙ୍କୁ ଭେଟି ଦାବୀ ଜଣାଇଛନ୍ତି ।

ରାଜ୍ୟରେ ପ୍ରତିଦିନ ୪ ଦୁଷ୍କର୍ମ ଓ ୬ ଅପହାରଣ ଘଟଣା ଘଟୁଛି । ରାଜ୍ୟରେ ୧,୩୫,୩୧୩ ମହିଳା ବିରୋଧୀ ହିଂସା ମାମଲା ବିଚାରାଧିନ ସ୍ଥିତିରେ ରହିଥିବା ବେଳେ କେବଳ ୯.୨୦ ପ୍ରତିଶତ ମାମଲାର ସମାଧାନ ହୋଇପାରିଛି । ୨୦୧୯-୨୦ ବର୍ଷରେ ମହିଳା ହିଂସା ୯.୯୫ ପ୍ରତିଶତ ବୃଦ୍ଧି ପାଇଛି । ଏନସିଆରବି ରିପୋର୍ଟ ଅନୁଯାୟୀ ପ୍ରତି ଲକ୍ଷେ ମହିଳା ଜନସଂଖ୍ୟାରେ ୧୧୨.୯ଟି ମହିଳା ହିଂସା ମାମଲା ରହିଛି ।ରାଜ୍ୟ ସରକାରଙ୍କ ‘ମା କୁ ସମ୍ମାନ’ର ନାରା କେବଳ ସ୍ଲୋଗାନରେ ସୀମିତ ରହିଛି । ପିଡୀତାକୁ ନ୍ୟାୟ ଓ ଅପରାଧୀଙ୍କୁ ଗିରଫ କରିବା ପାଇଁ କମିଶନ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବା ପାଇଁ ପ୍ରତିନିଧି ଦଳ ଦାବୀ କରିଛି ।

ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ ସଂପାଦିକା ଡ.ଐଶ୍ୱର୍ଯ୍ୟା ବିଶ୍ୱାଳଙ୍କ ନେତୃତ୍ୱରେ ଯାଇଥିବା ଏହି ପ୍ରତିନିଧି ଦଳରେ ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟା ଦଶମତୀ ଛତର, ରାଜ୍ୟ ସଂପାଦିକା ରଶ୍ମୀରେଖା ଦାଶ, ଇତିଶ୍ରୀ ଜେନା, ମହିଳା ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ରଶ୍ମୀମୟୀ ପଟ୍ଟନାୟକଙ୍କ ସମେତ ବହୁ ମହିଳା ନେତ୍ରୀମାନେ ସାମିଲ ଥିଲେ ।
କମିଶନ ଏହି ଘଟଣାରେ ହସ୍ତକ୍ଷେପ କରିବା ସହିତ ଯଥାଶୀଘ୍ର ବିହୀତ ପଦକ୍ଷେପ ଗ୍ରହଣ କରିବାର ପ୍ରତିଶୃତି ଦେଇଛନ୍ତି ବୋଲି ଡ.ବିଶ୍ୱାଳ କହିଛନ୍ତି ।