ଓଡ଼ିଶାରେ ୩ରୁ ୫ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଆସନ୍ତାକାଲି ଦକ୍ଷିଣ ଆଣ୍ଡାମାନ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାକୁ ଯାଉଛି । ଯାହା ଫଳରେ ରାଜ୍ୟରେ ୩ରୁ ୫ ତାରିଖ ପର୍ୟ୍ୟନ୍ତ ପ୍ରବଳ ବର୍ଷା ହେବ । ତେବେ ସୃଷ୍ଟ ଲଘୁଚାପ କ୍ଷେତ୍ର ପଶ୍ଚିମ-ଉତ୍ତର ଦିଗରେ ଗତି କରିବ ଓ ପରବର୍ତୀ ୪୮ଘଂଟାରେ ଅଧିକ ଘନୀଭୂତ ହୋଇ ଦକ୍ଷିଣପୂର୍ବ ଓ ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତରେ ପରିଣତ ହେବ । ଏହି ଅବପାତ ପ୍ରଭାବରେ ୨ ତାରିଖରୁ ରାଜ୍ୟରେ ପାଗରେ ପରିବର୍ତ୍ତନ ଆସିବ। ଏହାପରେ ୩ରୁ ୫ ତାରିଖ ପର୍ୟ୍ୟନ୍ତ ପ୍ରବଳ ବର୍ଷା ହେବ। ୩ ତାରିଖ ଦିନ ଗଜପତି, ଗଞ୍ଜାମ ଓ ପୁରୀ‌ରେ ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

୩ ତାରିଖରେ ବର୍ଷାର ପରିମାଣ ବଢ଼ିବ । ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ବର୍ଷାର ପରିମାଣ ସର୍ବାଧିକ ରହିବ। ଏହି ଦିନ ୩ ଜିଲ୍ଲାରେ ପ୍ରବଳ ବର୍ଷା ସହ ୮ଟି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି। ମାଲାକାନଗିରି, ରାୟଗଡ଼ା, କନ୍ଧମାଳ, କଳାହାଣ୍ଡି, ଢେଙ୍କାନାଳ, ଗଜପତି, ଗଞ୍ଜାମ ଓ ପୁରୀ ଆଦି ଜିଲ୍ଲାରେ ବର୍ଷା ହେବ ବୋଲି କେନ୍ଦ୍ର ପୂର୍ବାନୁମାନ କରିଛି। ଅନ୍ୟପକ୍ଷରେ ଲଘୁଚାପ ବର୍ଷାକୁ ନେଇ ଏସ୍‌ଆର୍‌ସି ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ସଜାଗ ରହିବାକୁ ପରାମର୍ଶ ଦେଇଛନ୍ତି। ଚାଷୀମାନଙ୍କୁ ବିଲରୁ ଧାନ କାଟି ଆଣିବାକୁ ପରାର୍ମଶ ଦିଆଯାଇଛି। ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବାକୁ ବାରଣ କରାଯାଇଛି। ସେହିପରି ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ଓ ସମସ୍ତ ପ୍ରକାର ପ୍ରସ୍ତୁତି ସାରିବାକୁ ଏସ୍‌ଆର୍‌ସି ପରାମର୍ଶ ଦେଇଛନ୍ତି।