ଆସୁଛି ୨ଟି ଲଘୁଚାପ, ଜାରି ହେଲା ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: କିଛିଦିନ ପୂର୍ବରୁ ବାତ୍ୟା ‘ଗୁଲାବ’କୁ ନେଇ ରାଜ୍ୟବାସୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଥିଲା । ମାତ୍ର ତାହା ସହଜରେ ଟଳି ଯାଇଥିବାରୁ ଜନସାଧାରଣ ଆଶ୍ୱସ୍ତି ଲାଭ କରିଥିଲେ । ପୁଣି ଆସନ୍ତା ୧୪ ତାରିଖରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ତିନିଦିନ ପରେ ୧୮ ତାରିଖ ବେଳକୁ ଏହା ଲଘୁଚାପରେ ପରିଣତ ହେବ । ଯଦି ଏହା ଗଭୀର ଅବପାତରେ ପରିଣତ ହୁଏ, ତେବେ ତାହା ବାତ୍ୟାର ରୂପ ନେଇପାରେ । ତେବେ ସାଧାରଣତଃ ଅକ୍ଟୋବର ମାସରେ ଓଡ଼ିଶାକୁ ଅଧିକ ବାତ୍ୟା ବିପଦ ରହିଥିବାରୁ ଲଘୁଚାପ କି ରୂପ ଧାରଣ କରିବ, ତାହା ଆସନ୍ତା ୮ ତାରିଖ ସୁଦ୍ଧା ସ୍ପଷ୍ଟ ହୋଇଯିବ ବୋଲି କୁହାଯାଇଛି ।ବର୍ତ୍ତମାନ ପଶ୍ଚିମବଙ୍ଗ ଓ ଏହାର ଆଖପାଖ ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ଆସନ୍ତା ୭ ତାରିଖ ଯାଏ ରାଜ୍ୟରେ କିଛି ଅଞ୍ଚଳରେ ବର୍ଷା ସମ୍ଭାବନା ରହିଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, କେନ୍ଦୁଝର, ଗଜପତି, କୋରାପୁଟ, ମୟୂରଭଞ୍ଜ, ମାଲକାନଗିରି, କନ୍ଧମାଳ, ରାୟଗଡ଼ା, ଅନୁଗୋଳ ଓ ଢେଙ୍କାନାଳ ଜିଲ୍ଲାରେ କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି । ଏନେଇ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ୬ ତାରିଖରେ ନବରଙ୍ଗପୁର, ମାଲକାନଗିରି, କୋରାପୁଟ, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ଅନୁଗୋଳ, କେନ୍ଦୁଝର, ଢେଙ୍କାନାଳ, ବାଲେଶ୍ୱର, ମୟୂରଭଞ୍ଜ ଓ ଭଦ୍ରକ ଜିଲ୍ଲାରେ କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଥିବା କୁହାଯାଇଛି