୧୫ ଦିନ ହେଲା ଖିଆପିଆ କରିନାହାନ୍ତି ଦୁଇଟି ପୋଷା କୁକୁର

ବାଲେଶ୍ୱର: ପୋଷା କୁକୁର ଦୁଇଟିକୁ ଘର ଭିତରେ ରଖି ତାଲା ପକାଇ ମାଲିକ କେଉଁଆଡେ଼ ଚାଲି ଯାଇଛନ୍ତି । ଫଳରେ ଦୀର୍ଘ ୧୫ ଦିନ ହେଲା କୁକୁର ଦୁଇଟି ଭୋକଉପାସରେ ରହିବାକୁ ବାଧ୍ୟ ହୋଇଛନ୍ତି ।

ବାଲେଶ୍ୱର ଜିଲ୍ଲାର କମର୍ଦ୍ଦା କଲେଜ ଛକ ନିକଟରେ ମୋହିତ ଦାସ ନାମକ ଜଣେ ବ୍ୟକ୍ତି ଘରଭଡ଼ା ନେଇ ରହୁଥିଲେ । କୁକୁର ଦୁଇଟିକୁ ଘର ଭିତରେ ପୁରାଇ ବାହାରୁ ତାଲା ପକାଇ ଚାଲି ଯାଇଛନ୍ତି । ୧୫ ଦିନ ହେଲା ଫେରିନାହାନ୍ତି । ଘର ମାଲିକ ତାଙ୍କୁ ଫୋନ୍‌ କରିକରି ନିରାଶ ହୋଇଛନ୍ତି । ମୋହିତଙ୍କ ଫୋନ୍‌ ସ୍ୱିଚ୍‌ ଅଫ୍‌ ଅଛି ।

ସୌଭାଗ୍ୟକୁ ଆଜି କିଛି ଲୋକ କୁକୁରଙ୍କ ଭୋକିବା ଶୁଣି ଘର କବାଟକୁ ଭାଙ୍ଗିବାକୁ ବାଧ୍ୟ ହୋଇଛନ୍ତି । ଭୋକିଲା କୁକୁରଙ୍କୁ ବିସ୍କୁଟ, ଭାତ ଓ ପାଣି ଦେଇଛନ୍ତି ।

କୁକୁର ଦୁଇଟି ଘର ଭିତରେ ଝାଡ଼ା ପରିସ୍ରା କରି ଅସନା କରି ପକାଇଛନ୍ତି । ଦୁୂଇ ସପ୍ତାହ ଧରି କିଛି ଖାଇ ନଥିବାରୁ କୁକର ଦୁଇଟି ଭାରି ଦୁର୍ବଳ ହୋଇଯାଇଛନ୍ତି । କୁକୁର ଦୁଇଟିଙ୍କର ଉପଯୁକ୍ତ ଥଇଥାନ ବ୍ୟବସ୍ଥା କରିବା ପାଇଁ ପ୍ରଶାସନକୁ ସୂଚନା ଦିଆଯାଇଛି ।