ନବୀନ ବାବୁଙ୍କ ୨୩ବର୍ଷ ନେତୃତ୍ୱରେ ଓଡ଼ିଶାର ଯୁବକଙ୍କ ଭବିଷ୍ୟତ ଅନ୍ଧାର

ରାଜ୍ୟରେ ନିଯୁକ୍ତି ଦେବାରେ ନବୀନ ସରକାର ବିଫଳ

ଭାରତରେ ନିଯୁକ୍ତିର ହାର ୬.୯୪ପ୍ରତିଶତ ବୃଦ୍ଧି ପାଇଥିବାବେଳେ ଓଡ଼ିଶାରେ ୧୩.୬୫ ହ୍ରାସ ପାଇଛି

ଭୁବନେଶ୍ୱର: ଓଡ଼ିଶାପ୍ରଦେଶରେ ନିଯୁକ୍ତିର ଅବସ୍ଥା କଣ ଅଛି ଇପିଏଫଓ ସଂସ୍ଥା ଅପ୍ରେିଲ ୨୦ରେ ଏକ ସବିଶେଷ ରିପୋର୍ଟ ପ୍ରଦାନ କରିଛନ୍ତି । ଏହି ରିପୋର୍ଟରେ ଓଡ଼ିଶାର ଯୁବକଙ୍କ ଭବିଷ୍ୟତ ଓ ବର୍ତମାନ କିଭଳି ଅନ୍ଧକାରଚ୍ଛନ୍ନ ହୋଇଛି ତାହା ଦିବାଲୋକପରି ସ୍ପଷ୍ଟ । ଫେୃବୟାରୀ ୨୦୨୩ରେ ମହାରାଷ୍ଟ୍ରରେ ୨,୯୧,୮୧୮, ତାମିଲନାଡୁରେ ୧,୬୬,୪୯୧, ଗୁଜରାଟରେ ୧,୧୪,୨୭୦, ହରିଆନାରେ ୧, ୧୨,୬୦୦, କର୍ଣ୍ଣାଟକରେ ୧,୩୨,୧୫୨, ତେଲେଙ୍ଗାନାରେ ୭୯,୭୦୦ ନିଯୁକ୍ତି ସୃଷ୍ଟି ହୋଇ ବେକାର ଯୁବକଯୁବତୀମାନେ ଚାକିରି ପାଇଛନ୍ତି । ବଡ ଦୁଃଖରେ କହିବାକୁ ପଡୁଛି ଫେବୃୟାରୀରେ ଓଡିଶାରେ ପାଇଛନ୍ତି ମାତ୍ର ୧୭,୪୫୯ଜଣ । ରାଜ୍ୟ ସରକାରଙ୍କ କେଉଁ ନିଯୁକ୍ତି ନୀତି ଫଳରେ ଓଡ଼ିଶାରେ ଏଭଳି ପରିସ୍ଥିିତି ସୃଷ୍ଟି ହୋଇଛି ତାହା ରାଜ୍ୟ ସରକାର ସ୍ପଷ୍ଟୀକରଣ ରଖନ୍ତୁ ବୋଲି ରାଜ୍ୟ ମୁଖପାତ୍ର ସତ୍ୟବ୍ରତ ପଣ୍ଡା କହିିଛନ୍ତି ।

ରାଜ୍ୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରି ଶ୍ରୀ ପଣ୍ଡା କହିଛନ୍ତି ଯେ, ଜାନୁୟାରୀ ତୁଳନାରେ ଫେବୃୟାରୀ ମାସରେ ସାରା ଭାରତରେ ନିଯୁକ୍ତି ୬.୯୪ ପ୍ରତିଶତ ବୃଦ୍ଧି ପାଇଛି ସେତେବେଳେ ଓଡ଼ିଶାରେ ୧୩.୬୫ ପ୍ରତିଶତ ହ୍ରାସ ପାଇବା ଦୁର୍ଭାଗ୍ୟଜନକ । ଏହି ରିପୋର୍ଟରେ ବୟସର ତଥ୍ୟ ମଧ୍ୟ ପ୍ରକାଶ ପାଇଛି । ଏହି ତଥ୍ୟରେ ଓଡ଼ିଶାର ନିଯୁକ୍ତଙ୍କ ସଂଖ୍ୟା ୧୮-୨୧ବର୍ଷ ବୟସ ବନ୍ଧନିରେ ୦.୧୭ପ୍ରତିଶତ, ୨୨-୨୫ବର୍ଷରେ ୦.୫ପ୍ରତିଶତ, ୨୬-୨୮ବର୍ଷରେ ୧୦.୪୨ପ୍ରତିଶତ, ୨୯-୩୫ବର୍ଷରେ ୧୭.୫୧ପ୍ରତିଶତ ଓ ୩୫ବର୍ଷରୁ ଊର୍ଦ୍ଧ୍ୱ ବୟସରେ ୨୬.୦୧ପ୍ରତିଶତ ହ୍ରାସ ପାଇଛି । ପ୍ରାୟତଃ ୧୮ରୁ ୨୮ବୟସ ପର୍ଯ୍ୟନ୍ତ ଯୁବକମାନଙ୍କ ନିଯୁକ୍ତିର ଢାଂଚା ଗଢ଼ି ଉଠିଥାଏ । ଯଦି ଏହି ସମୟରେ ସଂଗଠିତ କ୍ଷେତ୍ରରେ ଯୁବକ/ଯୁବତୀ ନିଯୁକ୍ତି ନପାଆନ୍ତି ତାହାଲେ ତାଙ୍କ ଭବିଷ୍ୟତ ଅନ୍ଧାର ହୋଇଯାଏ ଓ ଅସଙ୍ଗଠିତ କ୍ଷେତ୍ରରେ କାର୍ଯ୍ୟ କରିବାକୁ ବାଧ୍ୟ ହୋଇଥାନ୍ତି । ନବୀନ ବାବୁଙ୍କ ୨୩ବର୍ଷ ନେତୃତ୍ୱରେ ଓଡ଼ିଶାର ଯୁବକଙ୍କ ଭବିଷ୍ୟତ ଅନ୍ଧାର ହୋଇଛି ।

୧୮ ରୁ ୨୮ବର୍ଷ ଯୁବକଙ୍କ ସଂଗଠିତ କ୍ଷେତ୍ରରେ ନିଯୁକ୍ତିର ନୈରାଶ୍ୟଜନକ ଚିତ୍ର ଆଗାମୀ ପିଢ଼ି ଓ ଦୁଇଦଶନ୍ଧି ଭିତରେ ଓଡ଼ିଶା ଯୁବକଙ୍କ ଭବିଷ୍ୟତ ଅନ୍ଧକାରକୁ ଠେଲି ହୋଇଯାଉଛି । ଓଡ଼ିଶାର ଯୁବକଙ୍କୁ ରାଜ୍ୟ ସରକାର ଜାଣିଶୁଣି ନିଯୁକ୍ତିରୁ ବଂଚିତ କରୁଛନ୍ତି । ବିଶେଷ କରି ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇଛି । ଏନେଇ ଭାରତୀୟ ଜନତା ପାର୍ଟି ସ୍ୱର ଉଠାଇଲେ ରାଜ୍ୟ ସରକାର ଚିଇଁକି ଉଠୁଛନ୍ତି । ଓଡ଼ିଶାରେ “ଲ ଲେସ୍ ନେସ” କାରଣରୁ ରାଜ୍ୟରେ ନିବେଶ ବାଧାପ୍ରାପ୍ତ ହେଉଛି ଓ ନିଯୁକ୍ତି ସୃଷ୍ଟି ହୋଇପାରୁନି । ନିଯୁକ୍ତିର ନାଭିକେନ୍ଦ୍ର ଝାରସୁଗୁଡା ସେଠାରେ ଦିନବେଳେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ହତ୍ୟା କରାଯାଇଥିଲେ ବି କାରଣ ଜଣାପଡୁନାହିଁ । ଖଣି ଅଂଚଳ ବଡବିଲରେ ଦିନବେଳେ ଗୁଳି ଫୁଟୁଛି, ଫଳରେ ଯୁବକମାନେ ମୃତ୍ୟୁବରଣ କରୁଛନ୍ତି । ଏଭଳି ଆଇନଶୃଙ୍ଖଳା ପରିସ୍ଥିତିକୁ ମୁକାବିଲା କରି କୌଣସି ନିବେଶକାରୀ ଓଡ଼ିଶା ଆସୁନାହାନ୍ତି । ରାଜ୍ୟ ସରକାର ଯଥାଶୀଘ୍ର ଆତ୍ମସମୀକ୍ଷା କରନ୍ତୁ ଓ ନିଯୁକ୍ତି ସମ୍ପର୍କରେ ମିଥ୍ୟା କହିବାରୁ ବିରତ ରହିବାକୁ ଶ୍ରୀ ପଣ୍ଡା ଆହ୍ୱାନ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ଅନିଲ ବିଶ୍ୱାଳ, ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।