ଜାରି ହେଲା ଅନ୍‌ଲକ୍‌-୫ ଗାଇଡଲାଇନ୍

ଭୁବନେଶ୍ବର (ଏସ୍ ନ୍ଯୁଜ ): କରୋନା ସଂକ୍ରମଣକୁ ରୋକିବା ପାଇଁ ଅନ୍‌ଲକ୍‌-୫ ଗାଇଡଲାଇନ୍ ରାଜ୍ୟ ସରକାର ଜାରି କରିଛନ୍ତି ‌। ଗାଇଡଲାଇନ୍‌ ମୁତାବକ, କଣ୍ଟେନ୍‌ମେଣ୍ଟ ଜୋନ୍‌ରେ ଅକ୍ଟୋବର ୩୧ ଯାଏ ଲକଡାଉନ ବଳବତ୍ତର ରହିବ । ଧାର୍ମିକ ଅନୁଷ୍ଠାନ, ସବୁ ଶିକ୍ଷାନୁଷ୍ଠାନ ବନ୍ଦ ରହିବ। କିନ୍ତୁ ପରୀକ୍ଷା ଓ ଖାତାଦେଖା ପାଇଁ ଅନୁମତି ମିଳିବ ।ରାଜ୍ୟ ସ୍ବତନ୍ତ୍ର ରିଲିଫ୍ କମିସନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ଗାଇଡଲାଇନ୍ ପ୍ରକାଶ ପାଇଛି।

ଏହା ସହ ସିନେମା ହଲ୍‌, ସୁଇମିଂ ପୁଲ୍‌, ଥିଏଟର, ଅଡିଟୋରିଅମ ୩୧ ଯାଏ ବନ୍ଦ ରହିବ। ସାମାଜିକ, ରାଜନୈତିକ, ଧାର୍ମିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ବନ୍ଦ ରହିବ। ତେବେ ମୁକ୍ତାକାଶ ଥିଏଟରଗୁଡ଼ିକୁ ସର୍ତ୍ତମୂଳକ ଭାବେ ଖୋଲିବା ଅନୁମତି ଦିଆଯାଇଛି। ଉପନିର୍ବାଚନ ହେଉଥିବା ଅଞ୍ଚଳରେ ଏକାଠି ହୋଇପାରିବେ ଶହେ ଲୋକ। କିନ୍ତୁ ସମସ୍ତଙ୍କ ପାଇଁ କୋଭିଡ୍‌ ନିୟମ ମାନିବା ବାଧ୍ୟତାମୂଳକ ରହିବ। ବାଧ୍ୟତାମୂଳକ ଭାବେ ମାସ୍କ ପିନ୍ଧିବା, ସାମାଜିକ ଦୂରତ୍ୱ ଓ ସାନିଟାଇଜେସନ୍ ଆଦି କୋଭିଡ କଟକଣା  ସହିତ ସବୁକିଛି ଖୋଲିବାକୁ ସରକାର ଅନୁମତି ଦେଇଛନ୍ତି ।

ଅନ୍ଯପଟେ କେନ୍ଦ୍ର ସରକାରଙ୍କ ଅନଲକ ୫.୦ ଗାଇଡଲାଇନରେ ସାରା ଦେଶରେ ସିନେମା ହଲ ଓ ଥିଏଟରଗୁଡ଼ିକ ଅକ୍ଟୋବର ୧୫ରେ  କଟକଣା ସହ ଖୋଲିବାକୁ ଅନୁମତି ଦିଆଯିବା ପରେ ଓଡ଼ିଶାରେ ସରକାର କ’ଣ ନିଷ୍ପତ୍ତି ନେଉଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିଥିଲା । ଏପରିକି କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ରାଜ୍ୟ ସିନେମା ହଲ ମାଲିକ ସଂଘ ଓ ମନୋରଞ୍ଜନ ଶିଳ୍ପ ସହ ଜଡ଼ିତ ସଂଗଠନଗୁଡ଼ିକ ସ୍ୱାଗତ କରିଥିଲେ । ମନୋରଞ୍ଜନ ଶିଳ୍ପର ପୁନରୁଦ୍ଧାର ପାଇଁ ଓଡ଼ିଶା ସରକାର ମଧ୍ୟ ସିନେମା ହଲକୁ ଖୋଲିବାକୁ ଦାବି କରାଯାଇଥିଲା। କିନ୍ତୁ ରାଜ୍ୟ ସରକାର ଆଉ ଏକ ମାସ ପାଇଁ ଏହାକୁ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଥିବାରୁ ତାହା ରାଜ୍ୟର ମନୋରଞ୍ଜନ ଶିଳ୍ପ, କଳାକାର, ସାଧାରଣ ଜନତାଙ୍କୁ ନିରାଶ କରିଛି ।