ନୂଆଁଖାଇର ଶୁଭେଚ୍ଛା ଜଣାଇଲେ ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ପବିତ୍ର ନୂଆଁଖାଇ ପର୍ବ। ପଶ୍ଚିମ ଓଡ଼ିଶାରେ ପ୍ରତିଟି ପରିବାରରେ ଏହା ପାଳିତ ହୁଏ। ନୂଆକରି ଅମଳ ଖାଦ୍ୟଶସ୍ୟକୁ ଇଷ୍ଟଦେବୀଙ୍କ ପାଖରେ ଲାଗି କରି ପରେ ସମସ୍ତେ ମିଳିମିଶି ପ୍ରସାଦ ପାଇବାର ପ୍ରଥା ରହିଛି ଏହି ନୂଆଁଖାଇରେ। ଏହି ଅବସରରେ ଦେଶର ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି।

ଉପରାଷ୍ଟ୍ରପତି ଏମ୍ ଭେଙ୍କୟା ନାଇଡୁ ଟ୍ୱିଟରରେ ସମସ୍ତଙ୍କୁ ନୂଆଁଖାଇ ଜୁହାର ଜଣାଇଛନ୍ତି। ଏହାସହ ଲେଖିଛନ୍ତି ଯେ, ‘ଓଡ଼ିଶାର ପ୍ରାଚୀନ ଗଣପର୍ବ ନୂଆଁଖାଇରେ ନୂଆ ଖାଦ୍ୟଶସ୍ୟର ପୂଜା କରାଯାଏ। ଏହି ପର୍ବରେ ଆମେ ଚାଷୀଭାଇର ପରିଶ୍ରମକୁ ସମ୍ମାନ ଜଣେଇବା ସହ ନୂଆ ଶସ୍ୟ ଅମଳର ଆନନ୍ଦ ମନେଇଥାଉ। ଏହି ପର୍ବ ମନୁଷ୍ୟ ସହିତ ପ୍ରକୃତିର ଅତୁଟ ସମ୍ପର୍କକୁ ପ୍ରତିପାଦିତ କରିଥାଏ। ନୂଆଁଖାଇ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ଭରିଦେଉ’।

ସେହିଭଳି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ନୂଆଁଖାଇର ଶୁଭେଚ୍ଛା ଜଣାଇଛନ୍ତି। ସେ ଟ୍ୱିଟ କରି ଲେଖିଛନ୍ତି, ‘ଆମର ଚାଷୀ ଭାଇ ମାନଙ୍କର କଠିନ ପରିଶ୍ରମର ଉତ୍ସବ ହେଉଛି ପବିତ୍ର ନୂଆଁଖାଇ । ସେମାନଙ୍କର ଝାଳବୁହା ପରିଶ୍ରମ କାରଣରୁ ଆମ ଦେଶକୁ ଅନ୍ନ ମିଳୁଛି । ଏହି ବିଶେଷ ଦିବସରେ ସମସ୍ତଙ୍କ ଉନ୍ନତି ଏବଂ ଉତ୍ତମ ସ୍ୱାସ୍ଥ୍ୟ କାମନା କରୁଛି । ନୂଆଁଖାଇ ଜୁହାର’ ।

ଲୋକସଭା ବାଚସ୍ପତି ଓମ ବିର୍ଲା ମଧ୍ୟ ଓଡ଼ିଶାବାସୀଙ୍କୁ ନିଜର ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି। ସେ ଲେଖିଛନ୍ତି, ‘ସମସ୍ତ ଦେଶବାସୀଙ୍କୁ, ବିଶେଷ କରି ଓଡିଶାବାସୀଙ୍କୁ ନୂଆଖାଇ ପର୍ବ ଉପଲକ୍ଷେ ଶୁଭକାମନା। ନୂଆଖାଇ ନୂଆ ଫସଲର ପର୍ବ ଅଟେ। ଏହି ପର୍ବ ସମସ୍ତଙ୍କ ଜୀବନରେ ଆନନ୍ଦ ତଥା ସୁଖସମୃଦ୍ଧି ଆଣିଦେଉ ଏହାହିଁ କାମନା’।