ନଭେମ୍ବର ୧୦ ସୁଦ୍ଧା ରାଜ୍ୟରେ ଅନୁଭୂତ ହେବ ସମ୍ପୂର୍ଣ୍ଣ ଶୀତ

ଭୁବନେଶ୍ୱର(ଏସ୍ ନ୍ଯୁଜ): ରାଜ୍ୟରେ ବଢିବ ଶୀତ।
ନଭେମ୍ବର ୧୦ ତାରିଖ ସୁଦ୍ଧା ରାଜ୍ୟରେ ସମ୍ପୂର୍ଣ୍ଣ ଭାବେ ଶୀତ ଅନୁଭୂତ ହେବ। ଉତ୍ତର ସମେତ ଆଭ୍ୟନ୍ତରୀଣ, ଉପକୂଳ, ପଶ୍ଚିମ ଓ ଦକ୍ଷିଣ ଓଡିଶାରେ ଶୀତ ଲହରି ଜାରି ରହିଛି। ଶୀତ ଲହରୀ ପ୍ରଭାବରେ କନ୍ଧମାଳ ଜିଲ୍ଲାର ଦାରିଙ୍ଗିବାଡିରେ ତୁଷାରପାତ ହେଉଛି।

ତେବେ ଆସନ୍ତା ୩ ଦିନରେ ଉତ୍ତର ଓଡ଼ିଶାର ଜିଲ୍ଲାଗୁଡ଼ିକରେ ତାପମାତ୍ରା ୩ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇବ। ଏଥିସହ ଦକ୍ଷିଣ ଓଡ଼ିଶାରେ ୪ ଡିଗ୍ରି କିମ୍ବା ତା’ଠାରୁ ଅଧିକ ପାରଦ ଖସିବ। ଫଳରେ ନଭେମ୍ବର ୧୦ ତାରିଖ ସୁଦ୍ଧା ରାଜ୍ୟରେ ସମ୍ପୂର୍ଣ୍ଣ ଭାବେ ଶୀତ ଅନୁଭୂତ ହେବ।

ପାଣିପାଗ ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର କିଛି କିଛି ସ୍ଥାନରେ ତାପମାତ୍ରା ସ୍ବାଭାବିକଠାରୁ ୨ରୁ ୩ଡିଗ୍ରି ପର୍ଯ୍ୟନ୍ତ ଖସିଥିବା ବେଳେ ଆଗକୁ ଆହୁରି ଖସିବ । ଏଥିସହ ଗତ ୨୪ ଘଣ୍ଟାରେ ଝାରସୁଗୁଡ଼ାରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୧୫.୨ ଡିଗ୍ରି ‌ରେକର୍ଡ ହୋଇଛି।

ଏହାସହ ଆସନ୍ତା ୨୪ ଘଣ୍ଟା ମଧ୍ୟରେ କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ବାକି ସମସ୍ତ ଜିଲ୍ଲ‌ାରେ ପାଗ ଶୁଖିଲା ରହିବ। ଉତ୍ତର ଓଡ଼ିଶାର ଜିଲ୍ଲାଗୁଡ଼ିକରେ ଆସନ୍ତା ୩ ଦିନରେ ୩ ଡିଗ୍ରି ପର୍ଯ୍ୟନ୍ତ ତାପମାତ୍ରା ଖସିବ। ଏହାପରେ ଆହୁରି କମିବାର ବି ସମ୍ଭାବନା ରହିଛି। ଦକ୍ଷିଣ ଓଡ଼ିଶାରେ ଆସନ୍ତା ୩/୪ ଦିନ ଭିତରେ ୪ ଡିଗ୍ରି ପର୍ଯ୍ୟନ୍ତ ତାପମାତ୍ରା ଖସିବ।