ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ଓଡ଼ିଶା ଗସ୍ତରେ

ଚିକିତ୍ସାଧୀନ ଆହତ ରେଳଯାତ୍ରୀଙ୍କୁ ସେ କଟକ ଓ ଭୁବନେଶ୍ୱରରେ ଭେଟିବେ

ଭୁବନେଶ୍ୱର: ଓଡ଼ିଶା ଗସ୍ତରେ ଆଜି ଆସୁଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଡାକ୍ତରଖାନାରେ ଚିକିତ୍ସାଧୀନ ଆହତ ରେଳଯାତ୍ରୀଙ୍କୁ ସେ କଟକ ଓ ଭୁବନେଶ୍ୱରରେ ଭେଟିବେ। ମମତା କହିଛନ୍ତି ଯେ କଟକରେ ପଶ୍ଚିମବଙ୍ଗର ୫୩ ଜଣ ଆହତ ଚିକିତ୍ସାଧୀନ ଅଛନ୍ତି। ଅନ୍ୟାନ୍ୟ ସ୍ଥାନରେ ୨୦୬ ଜଣ ଆହତଙ୍କ ଚିକିତ୍ସା ଚାଲିଛି। ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ତଦାରଖ କରିବାକୁ କଟକ ଏବଂ ଭୁବନେଶ୍ୱର ଆସି ଭେଟିବେ।

ଏହାସହ ପଶ୍ଚିମବଙ୍ଗର ମୃତକ ଓ ଆହତଙ୍କ ପାଇଁ ଅନୁକମ୍ପାମୂଳକ ରାଶି ଘୋଷଣା କରିଛନ୍ତି। ମୃତକଙ୍କ ପରିବାରର ଜଣେ ଲେଖାଏ ବ୍ୟକ୍ତିଙ୍କୁ ସ୍ପେଶାଲ ହୋମଗାର୍ଡ ଚାକିରି ସହିତ ସେମାନଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଲେଖାଏ ପ୍ରଦାନ କରାଯିବ ବୋଲି କହିଛନ୍ତି।

ସେହିପରି ଯେଉଁମାନେ ଏହି ଦୁର୍ଘଟଣାରେ ସମ୍ପୂର୍ଣ୍ଣ ଅକ୍ଷମ ହୋଇଯାଇଥିବେ ସେମାନଙ୍କ ପରିବାରର ଜଣେ ବ୍ୟକ୍ତିଙ୍କୁ ହୋମଗାର୍ଡ ଚାକିରି ଦିଆଯିବ। ଗୁରୁତର ଆହତଙ୍କୁ ୧ ଲକ୍ଷ ଟଙ୍କା, ଆହତଙ୍କୁ ୫୦ ହଜାର ଓ ସାମାନ୍ୟ ଆହତଙ୍କୁ ୨୫ ହଜାର ଟଙ୍କା ଲେଖାଏଁ ସହାୟତା ଦିଆଯିବ। ଆହତ ହୋଇ ନ ଥିବା ସତ୍ୱେ ମାନସିକ ଆଘାତ ପାଇଥିବା ଯାତ୍ରୀଙ୍କୁ ୧୦ ହଜାର ଟଙ୍କା ଅନୁକମ୍ପା ରାଶି ପ୍ରଦାନ କରାଯିବ। ଏହାସହ ସମସ୍ତ ମୃତାହତଙ୍କ ପରିବାରକୁ ୪ ମାସ ଯାଏଁ ମାଗଣା ରାସନ ଦିଆଯିବ ବୋଲି ସେ ଘୋଷଣା କରିଛନ୍ତି।