‘ବିଜୁଙ୍କ ଅଗଣାରେ ପର୍ଶୁରାମର କି କାମ?’

ପ୍ରତିମୂର୍ତି ରାଜନୀତିରେ ବଳିପଡ଼ିଲେ ପର୍ଶୁରାମ

ବିବାଦର ଶୁଭାରମ୍ଭ କରିଛନ୍ତି କିଛି ବିଜେଡି ନେତା । ବଲାଙ୍ଗୀର ଜିଲ୍ଲାର ପାଟଣାଗଡ଼ ବ୍ଲକ ଛକରେ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତି ବସାଯିବା ଘଟଣାରେ ଉତକ୍ଷିପ୍ତ ହୋଇ ହିନ୍ଦୁ ସମାଜ ପ୍ରତିବାଦ ସ୍ୱରୂପ ଧାରଣାରେ ବସିଛି । ବିଜୁଙ୍କୁ ହଟାଇ ସେଠାରେ ପର୍ଶୁରାମଙ୍କ ପ୍ରତିମୂର୍ତି ପ୍ରତିଷ୍ଠା କରିବା ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ହିନ୍ଦୁ ସମାଜ ଚେତାବନୀ କରିଛି । ତା’କୁ ସମାଲୋଚନା କରି ବିଜେଡିର କିଛି ନେତା କହିଛନ୍ତି, ବିଜୁଙ୍କ ଇଲାକାରେ ପର୍ଶୁରାମଙ୍କର କାମ କ’ଣ?

ଘଟଣାର ପୃଷ୍ଠଭୂମିକୁ ଯିବା, ୨୦୧୯ ମସିହାରେ ହନୁମାନ ଜୟନ୍ତୀ ପାଳନ ଅବସରରେ ପାଟଣାଗଡ଼ ବ୍ଲକ ଛକରେ ଭଗବାନ ପର୍ଶୁରାମଙ୍କ ଫଟୋଚିତ୍ର ପୂଜାର୍ଚ୍ଚନା କରାଯାଇଥିଲା । ସେହିଦିନଠାରୁ ଉକ୍ତ ଛକକୁ ଲୋକମାନେ ପର୍ଶୁରାମ ଛକ ଡାକିବା ଆରମ୍ଭ କରିଥିଲେ । ସଂପୃକ୍ତ ଛକରେ ପର୍ଶୁରାମଙ୍କ ପ୍ରତିମୂର୍ତି ପ୍ରତିଷ୍ଠା କରିବା ପାଇଁ ପୌରପାଳିକା ମୁଖ୍ୟ ଅଧିକାରୀ, ଉପଜିଲ୍ଲାପାଳ, ଜିଲ୍ଲାପାଳ, ଲୋକସଭା ସାଂସଦଙ୍କୁ ଲିଖିତ ଭାବେ ଅବଗତ କରାଯାଇଥିଲା ।

ୟା ଭିତରେ ପର୍ଶୁରାମଙ୍କ ପ୍ରତିମୂର୍ତି ତିଆରି ସରିବାକୁ ବସିଲାଣି । ମାତ୍ର ହଠାତ ସୋମବାର ଅପରାହ୍ଣରେ କିଛି ଲୋକ ପର୍ଶୁରାମଙ୍କ ଫଟୋଚିତ୍ରକୁ ହଟାଇ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତି ବସାଇଥିଲେ ।

ବିଜେଡିର ଏଭଳି ପଦକ୍ଷେପରେ ବିଶ୍ୱହିନ୍ଦୁ ପରିଷଦ, ବଜରଙ୍ଗ ଦଳ ସମେତ ଆହୁରି କିଛି ସଂଘ କ୍ଷୋଭ ପ୍ରକାଶ କରିଛନ୍ତି ।