ଆପଣା ହସ୍ତେ ଜିଭ କାଟି, ଗଣମାଧ୍ୟମ କାନ୍ଦେ ଲୋଟି

ବିଧାନସଭା ଭିତରେ ଗଣମାଧ୍ୟମକୁ ଅପଦସ୍ତ କରାଯାଉଛି ….

ଭୁବନେଶ୍ୱର: ବିଧାନସଭା ଭିତରେ ଗଣମାଧ୍ୟମକୁ ଅପଦସ୍ତ କରାଯାଉଛି । ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାରେ ଏକ ନିର୍ବାଚିତ ସରକାରଙ୍କ ଏ ପ୍ରକାର ଆଭିମୁଖ୍ୟ ଆଦୌ ଗ୍ରହଣୀୟ ନୁହେଁ । ମାତ୍ର କହିବା କାହାକୁ, କପାଳରେ କର ମାରିବା ଛଡ଼ା ଆମ ଗଣମାଧ୍ୟମ ପ୍ରତିନିଧିଙ୍କ ହାତରେ ଆଉ କିଛି କ୍ଷମତା ନାହିଁ । ଦିନ ଥିଲା, ଅସୀଠାରୁ ମସୀକୁ କ୍ଷମତାଶାଳୀ କୁହାଯାଉଥିଲା । ମାତ୍ର ରାଜନୀତିର ସଂଜ୍ଞା ବଦଳି ଯାଇଛି । ଅସୀ ନିକଟରେ ମସୀ ମୁଣ୍ଡ ତଳକୁ କରି ଯୋଡ଼ ହସ୍ତରେ ଠିଆ ହୋଇଛି ।
ଓଡ଼ିଶାରେ ରାଜନୀତି କରିବା ଆଶାରେ କିଛି ରାଜନେତା ଖବର କାଗଜକୁ ଅସ୍ତ୍ର ଭାବେ ବ୍ୟବହାର କରୁଛନ୍ତି । ଗଣମାଧ୍ୟମର ଆଉ ସ୍ୱତନ୍ତ୍ର ପରିଚୟ ନାହିଁ । କୋଉ ଗଣମାଧ୍ୟମ ବିଜେଡିର ଗୁଣ ଗାଉଛି ତ କୋଉ ଗଣମାଧ୍ୟମ ବିଜେପିର ଗୁଣ ଗାଇଲାଣି । କିଛି ଗଣମାଧ୍ୟମ କଂଗ୍ରେସକୁ ଜାବୁଡି ଧରିଛନ୍ତି ।

ଗଣମାଧ୍ୟମର ଏ ପ୍ରକାର ଚିନ୍ତାଧାରା ନିରପେକ୍ଷତାର ପରିପନ୍ଥୀ । କରୋନା କାରଣରୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ବିଧାନସଭା କକ୍ଷ ଭିତରକୁ ଛଡ଼ାଗଲାନି । ମଙ୍ଗଳବାର ବିଧାନସଭା ଅଧିବେଶନ ଆରମ୍ଭ ହେଲା; ଅଥଚ ଗଣମାଧ୍ୟମ ପ୍ରତିନିଧିଙ୍କ ରାସ୍ତା ଓଗାଳିଲା ପୁଲିସ ।
ରାଜ୍ୟ ସରକାରଙ୍କ ଏପରି ଆଚରଣ ସବୁ ଗଣମାଧ୍ୟମକୁ କଷ୍ଟ ଦେଇଛି । ହେଲେ କ’ଣ ବା କରିପାରିବେ? ବ୍ୟକ୍ତିଗତ ଫାଇଦା ହାସଲ ଚକ୍କରରେ କିଛି ଗଣମାଧ୍ୟମ ସଂସ୍ଥାର ମାଲିକମାନେ କ୍ଷମତାସୀନ ଦଳର ଗୋଲାମ ସାଜିଛନ୍ତି । ଅତଏବ ଗୋଲାମଗିରି କରୁଥିବା ଗଣମାଧ୍ୟମ ସଂସ୍ଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସାମ୍ନାରେ ମୁଣ୍ଡ ଉଠାଇ ଠିଆ ହୋଇପାରିବ କି?

କ୍ଷମତାସୀନ ଦଳକୁ ସାବାଡ୍‌ କରିବାକୁ ହେଲେ ସବୁ ଗଣମାଧ୍ୟମ ଏକାଠି ହୋଇ ସରକାରୀ କାର୍ଯ୍ୟକ୍ରମକୁ ବଏ କଟ୍‌ କରନ୍ତୁ; ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ବିଧାୟକଙ୍କର କୌଣସି ଖବରକୁ ଗୁରୁତ୍ୱ ଦିଅନ୍ତୁ ନାହିଁ । ଘରୋଇ ଚାନେଲଗୁଡ଼ିକ କ୍ଷମତାସୀନ ଦଳର କୌଣସି କାର୍ଯ୍ୟକ୍ରମରେ ଯୋଗ ଦିଅନ୍ତୁ ନାହିଁ । ସବୁ ଥାନା ଆଗରେ ଗଣମାଧ୍ୟମ ପ୍ରତିନିଧି ମହଲ ଠିଆ ହୁଅନ୍ତୁ, ଥାନାକୁ ଯାଉଥିବା ପ୍ରତି ଅଭିଯୋଗ ଦାଖଲକାରୀଙ୍କଠାରୁ ଏଫ୍‌ଆଇଆର କପିର ନକଲ ସଂଗ୍ରହ କରି ଖବର କାଗଜରେ ଛପାନ୍ତୁ ।
ଏପରି କଲେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରା ସାଇଜ୍‌ ହୋଇଯିବେ । କ୍ଷମତାସୀନ ବିଜେଡି ପୁରା ସାବାଡ୍‌ ହୋଇଯିବ । ପୁଲିସ ପ୍ରଶାସନ ପୁରା ସାବାଡ୍‌ ହୋଇଯିବ । କିନ୍ତୁ ଆମର ଏଭଳି ପରାମର୍ଶ କିଛି ଗଣମାଧ୍ୟମ ପ୍ରତିନିଧିଙ୍କୁ ପିତା ଲାଗିବ ।
କିଛି ଗଣମାଧ୍ୟମ ପ୍ରତିନିଧି ଅଛନ୍ତି ଯୋଉମାନେ ଥାନାରେ ମାମଲା ଦଫାରଫା ପାଇଁ ପୁଲିସଙ୍କ ସହ ସାଲିସ କରି କିଛି ଟେବୁଲ ତଳିଆ ରୋଜଗାର କରିଥାନ୍ତି । ଆଉ କିଛି ଗଣମାଧ୍ୟମ ପ୍ରତିନିଧି ମନ୍ତ୍ରୀ ଓ ବିଧାୟକଙ୍କ ନିକଟରୁ ଚା’ପାନ ବାବଦକୁ ଖର୍ଚ୍ଚାପାଣି ଗ୍ରହଣ କରନ୍ତି ।
ସେଭଳି ପ୍ରତିନିଧିମାନଙ୍କ ପକ୍ଷେ ବିଧାନସଭା ଭିତର ଓ ବାହାର ସବୁ ସମାନ । ବିଧାନସଭା କକ୍ଷ ଭିତରକୁ ନଯାଇ ସେମାନଙ୍କ ପାଖରେ ଟିକିନିଖି ଖବର ପହଂଚିଯିବ । ଗଣତନ୍ତ୍ରର ସବୁ ସ୍ତମ୍ଭରେ ଗୃହଭେଦୀ ବିଭୀଷଣ ଅଛନ୍ତି; ଗଣମାଧ୍ୟମ ସେଥିରୁ ବାଦ ପଡ଼ିବ କିପରି?