World Press Freedom Day: ସାମ୍ବାଦିକମାନଙ୍କ ସ୍ୱାଧୀନତା ଏବଂ ନିରପେକ୍ଷତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ

୩ ମେ' ବିଶ୍ୱ ପ୍ରେସ୍ ସ୍ୱାଧିନତା ଦିବସ ୨୦୨୫

World Press Freedom Day 2025 : ଭୁବନେଶ୍ୱର, (ସାକ୍‌ସୀ ନ୍ୟୁଜ୍‌) ୦୩/୦୫: ସାମ୍ବାଦିକଙ୍କ ସ୍ୱାଧୀନତା, ସମ୍ମାନ ଓ ସୁରକ୍ଷା ଦିଗରେ ରାଜ୍ୟ ସରକାର ଯତ୍ନବାନ ଅଛନ୍ତି । ଅନେକ ପଦକ୍ଷେପ ନିଆଯାଇଛି । ଆଗକୁ ସାମ୍ବାଦିକମାନଙ୍କର ସମ୍ମାନ ଓ ସ୍ୱାଧିନତା ବଢିବ, ହେଲେ କିମିବାର ପ୍ରଶ୍ନ ଉଠୁନାହିଁ , ବୋଲି ଆଇନ,ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥିବୀରାଜ ହରିଚନ୍ଦନ କହିଛନ୍ତି।

ମନ୍ତ୍ରୀ କହିଛନ୍ତି ଯେ, ଆଜି ବ୍ୟବସାୟୀକ ମନୋବୃତି ଯୋଗୁଁ ସାମ୍ବାଦିକ ଓ ସାମ୍ବାଦିକତା ନିଜର ସ୍ୱାଧିନତା ହରାଇବସିଛି । ନିଜର ରାଜନୈତିକ ଉଦ୍ଦେଶ୍ୟ ଲାଗି କେତେକ ମାଲିକ ନିଜର ଖବରକାଗଜ ବା ଟିଭି ଚାନେଲକୁ ବ୍ୟବହାର କରୁଛନ୍ତି । ଫଳରେ ସେହି ମିଡ଼ିଆ ହାଉସରେ କାମ କରୁଥିବା ସାମ୍ବାଦିକ ଚାପର ବଶବର୍ତ୍ତୀ ହୋଇ ନିଜର ସ୍ୱାଧିନତା ହରାଉଛି । ନିରପେକ୍ଷ ଖବର ବଦଳରେ ସେ ପକ୍ଷପାତିତା କରୁଛି । ତେଣୁ ସାମ୍ବାଦିକମାନେ ଏକଜୁଟ ହୋଇ ନିଜର ସ୍ୱାଧିନତା ହାସଲ କଲେ, ନିରପେକ୍ଷ ଖବର ପ୍ରକାଶ ପାଇପାରିବ । ନିରପେକ୍ଷ ଖବର ପ୍ରକାଶ ପାଇଲେ ସରକାର ଓ ସମାଜ ପାଇଁ ମଙ୍ଗଳମୟ ହେବ । କେତେକ କ୍ଷେତ୍ରରେ ସମାଲୋଚନାମୂଳକ ଖବର ପ୍ରକାଶ କଲେ, ସେ ସାମ୍ବାଦିକ ଆକ୍ରୋଶର ଶୀକାର ହେଉଛି । ଯାହା ଆଦୌ ଗ୍ରହଣୀୟ ନୁହେଁ । ଏହି କ୍ଷେତ୍ରରେ ସାମ୍ବାଦିକଙ୍କୁ ସୁରକ୍ଷା ଦେବା ଲାଗି ସରକାର ଏକ ଆଇନ ଆଣିବାକୁ ବିଚାରବିମର୍ଷ କରୁଛନ୍ତି।

ଉତ୍କଳ ସାମ୍ବାଦିକ ସଂଘ ଅନୁବନ୍ଦିତ ଭୁବନେଶ୍ୱର ସାମ୍ବାଦିକ ସଂଘ ପକ୍ଷରୁ ଆୟୋଜିତ ବିଶ୍ୱ ପ୍ରେସ ସ୍ୱାଧୀନତା ଦିବସ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଆହୁରି ମଧ୍ୟ କରିଛନ୍ତି, “ଅତୀତରେ କଣ ଘଟିଛି କି ନଘଟିଛି ତାହା ଅଲଗା କଥା; ସାମ୍ବାଦିକମାନେ ତୃତୀୟ ମହଲା କିମ୍ବା ବିଧାନସଭା ଲବି ଭିତରକୁ ଯାଇପାରିଲେ କି ନଯାଇପାରିଲେ ତାହା ପ୍ରସଙ୍ଗ ନୁହେଁ, କିନ୍ତୁ ସାମ୍ବାଦିକମାନଙ୍କ ସ୍ୱାଧୀନତା ଏବଂ ନିରପେକ୍ଷତା ଉପରେ ଯଦି କେବେ ବି ଆଂଚ ଆସେ ମନ୍ତ୍ରୀମଣ୍ଡଳରେ ଥାଇ ମଧ୍ୟ ମୁଁ ସାମ୍ବାଦିକମାନଙ୍କ ସହିତ ରହିବି” । ଆମ ସରକାର କ୍ଷମତାକୁ ଆସିବା ପରେ ସଚିବାଳୟକୁ ସାମ୍ବାଦିକମାନଙ୍କୁ ପ୍ରବେଶ ଅନୁମତି ମିଳିଛି । ସାମ୍ବାଦିକଙ୍କ ଉପରେ କୌଣସି ପ୍ରତିବନ୍ଧକ ନାହିଁ । ହେଲେ ସଚିବାଳୟରେ ସାମ୍ବାଦିକଙ୍କ ପାଇଁ ଥିବା ପ୍ରେସ ଲାଉଞ୍ଜ ପ୍ରର୍ଯ୍ୟାପ୍ତ ହେଉନଥିବାରୁ ଅନେକ ସାମ୍ବାଦିକ ବାରଣ୍ଡାରେ ଅପେକ୍ଷା କରୁଛନ୍ତି । ଏହା ଆମ ନଜରକୁ ଆସିବା ପରେ ଏହାର ତୁରନ୍ତ ବ୍ୟବସ୍ଥା କରିବାକୁ କୁହାଯାଇଛି । ଏଥିସହିତ ସାମ୍ବାଦିକଙ୍କ ସମ୍ମାନ ଦିଗରେ ମଧ୍ୟ ସରକାର ଚିନ୍ତା କରୁଛନ୍ତି । ଏପରିକି ସରକାରୀସ୍ତରରେ ଆଲୋଚନା ଜାରି ରହିଛି।

ଭୁବନେଶ୍ୱର ସ୍ଥିତ ହୋଟେଲ ସୂର୍ଯ୍ୟାଂଶରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡିଶା ତଥା ରାଜ୍ୟ ବାହାରୁ ବିଭିନ୍ନ ଗଣମାଧ୍ୟମ ସଂସ୍ଥା ସହିତ ଜଡିତ ସାମ୍ବାଦିକମାନେ ଯୋଗଦେଇଥିଲେ । ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ ସଭାପତି ବିଭୂତି ଭୂଷଣ କର କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ, ଭୁବନେଶ୍ୱର ସାମ୍ବାଦିକ ସଂଘର ସଭାପତି ପ୍ରତାପ ଚନ୍ଦ୍ର ପ୍ରଧାନ ସ୍ୱାଗତ ଭାଷଣ ଦେଇଥିଲେ , ସାଧାରଣ ସମ୍ପାଦକ ଜିତେନ୍ଦ୍ର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ବରିଷ୍ଠ ସାମ୍ବାଦିକ ମାଧବାନନ୍ଦ ବେହୁରା କାର୍ଯ୍ୟକ୍ରମ ସଞ୍ଚାଳନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

କାର୍ଯ୍ୟକ୍ରମରେ ଭୁବନେଶ୍ୱର ଏକାମ୍ର ବିଧାୟକ ବାବୁ ସିଂ ଯୋଗ ଦେଇ ପ୍ରେସ ସ୍ୱାଧିନତା ଓ ସୁରକ୍ଷା ଦିଗରେ ଆଲୋକପାତ କରିଥିଲେ । ଏଥିସହିତ ସେ ସାମ୍ବାଦିକଙ୍କ ମୁଖପାତ୍ର ସାଜି ସାମ୍ବାଦିକଙ୍କ ସୁବିଧା-ଅସୁବିଧା ସରକାରଙ୍କୁ ଜଣାଇବା ଦିଗରେ କାର୍ଯ୍ୟ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ସମାଜସେବୀ ତଥା ବିଜେପିର ବରିଷ୍ଠ ନେତା ଜଗନ୍ନାଥ ପ୍ରଧାନ, ତେଲେଙ୍ଗାନାର ବରିଷ୍ଠ ସାମ୍ବାଦିକ ସେକ୍ ଇସଲାମୁର୍ଦ୍ଦିନ ଓ ଉତ୍କଳ ସାମ୍ବାଦିକ ସଂଘର ସାଧାରଣ ସମ୍ପାଦକ ବେଣୁଧର ପଣ୍ଡା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।

କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ ସାମ୍ବାଦିକମାନେ ନିଜ ବୃତ୍ତିଗତ ଜୀବନର ଅନୁଭୂତି ଏବଂ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ କର୍ପୋରେଟର ଅମରେଶ ଜେନା, ସାମ୍ବାଦିକ ଚୌଧୁରୀ ଅମିତାଭ ଦାସ, ସୁରେଶ ସ୍ୱାଇଁ, ମୁକେଶ ପରିଡା, ଦୀପକ ବେହେରା, ସୋଆର ଲୋକସମ୍ପର୍କ ଅଧିକାରିଣୀ ଶୁଭଦର୍ଶିନୀ ମିଶ୍ର ପ୍ରମୁଖଙ୍କୁ ସମ୍ମାନୀତ କରାଯାଇଥିଲା।