ବିଧାନସଭା ଅଚଳ ପାଇଁ ବିଜେଡି-କଂଗ୍ରେସର ଯୋଜନାବଦ୍ଧ ନାଟକ : ମୋହନ ମାଝୀ

ଭୁବନେଶ୍ୱର,(ଏସ୍ ନ୍ୟୁଜ୍) ତା.୦୩/୦୯: ରାଜ୍ୟରେ ଆଇନ ତା ନିଜ ବାଟରେ ଯାଉନାହିଁ ଓ ଏହାର ବଡ ବାଧକ ସାଜିଛନ୍ତି ଖୋଦ୍‌ ରାଜ୍ୟ ସରକାର ଏବଂ ଶାସକ ବିଜେଡିର ତୁଙ୍ଗନେତା । ରାଜ୍ୟରେ ଘଟି ଯାଉଥିବା ପ୍ରମୁଖ ହତ୍ୟାକାଣ୍ଡ ଓ ଦୁର୍ନୀତି ପଛରେ ଶାସକ ବିଜେଡିର ବହୁ ମନ୍ତ୍ରୀ ଓ ନେତାଙ୍କ ସଂପୃକ୍ତି କାରଣରୁ ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡିଛି । ଅନ୍ୟ ପକ୍ଷରେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ସବୁ ସତ୍ୟସତ୍ୟ ଖବର ଅଛି ତ ? ଜାଣିଶୁଣି ମୁଖ୍ୟମନ୍ତ୍ରୀଙ୍କ ଆଡୁଆଳରେ ମନ୍ତ୍ରୀମାନଙ୍କୁ ସୁରକ୍ଷା ଯୋଗାଇ ଦିଆଯାଉ ନାହିଁ ତ? ଆଜି ଯେତେବେଳେ ରାଜ୍ୟର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପ୍ରସଙ୍ଗରେ ଭାରତୀୟ ଜନତା ପାର୍ଟୀ ତରଫରୁ ବିଧାନସଭା ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିବା ପାଇଁ ସୁଯୋଗ ଥିଲା, ସେତେବେଳେ ଶାସକ ବିଜେଡି କଂଗ୍ରେସର ସହାୟତାରେ ଭଣ୍ଡୁର କରିଛି । ମୁଖ୍ୟମନ୍ତ୍ରୀ ଯଦି ସବୁ ଘଟଣା ଜାଣିଶୁଣି ନୀରବ ରହି ଦୋଷୀଙ୍କ ଢାଲ ସାଜୁଛନ୍ତି, ତାହେଲେ ଏହା ଆହୁରି ଅଧିକ ଦଣ୍ଡନୀୟ ଅପରାଧ ବୋଲି ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ କହିଛନ୍ତି ।
ଅପରାଧିକ କାର୍ଯ୍ୟରେ ଶାସକ ବିଜେଡି ମନ୍ତ୍ରୀ ଓ ନେତାଙ୍କ ସଂପୃକ୍ତି ବର୍ତମାନ ହାଟରେ ପଡି ଦାଣ୍ଡରେ ଗଡିଲାଣି । ରାଜ୍ୟ ମନ୍ତ୍ରୀମଣ୍ଡଳରେ ଆଠ ଆଠ ଜଣ ମନ୍ତ୍ରୀଙ୍କ ବିରୁଦ୍ଧରେ ସଂଗୀନ ଅପରାଧିକ ଓ ଦୁର୍ନୀତିର ଅଭିଯୋଗ ରହିଛି । ପରୀ ହତ୍ୟାକାଣ୍ଡରେ ମନ୍ତ୍ରୀ ଅରୁଣ ସାହୁ; ମାହାଙ୍ଗା ଡବଲ ମର୍ଡର ଘଟଣାରେ ମନ୍ତ୍ରୀ ପ୍ରତାପ ଜେନା; ପାରଳାଖେମୁଣ୍ଡି ଏସିଏଫଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ମନ୍ତ୍ରୀ ବିକ୍ରମ ଆରୁଖଙ୍କ ସମେତ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ନବ କିଶୋର ଦାସ, ପ୍ରଫୁଲ୍ଲ ମଲ୍ଲିକ, ସୁଶାନ୍ତ ସିଂ ଏବଂ ରଘୁନନ୍ଦନ ଦାସଙ୍କ ବିଭିନ୍ନ ଅପାରାଧିକ ଓ ଦୁର୍ନୀତିର ସଂପୃକ୍ତିର ଅଭିଯୋଗ ଏବଂ ଅଭିଯୋଗର ତଦନ୍ତକୁ ବାଟବଣା କରିବା ପାଇଁ କ୍ଷମତାର ଅପବ୍ୟବହାର କରିବା ଅତ୍ୟନ୍ତ ନିନ୍ଦନୀୟ ଓ ଦଣ୍ଡନୀୟ । ସେହିପରି ଦିନ ଦ୍ୱିପ୍ରହରରେ ବିଚ୍‌ ରାସ୍ତାରେ ହତ୍ୟା କରାଯିବା; ଧର୍ମାନ୍ତିକରଣ, ଗୋଚାଲାଣ, ନିଶା କାରବାରେ ସଂପୃକ୍ତ ଅଭିଯୋଗ ଆସିଥିବା ମାନସ ଦାସଙ୍କୁ ସୁରକ୍ଷା ଦେବା ଆଦି ଘଟଣା ରାଜ୍ୟର ଧ୍ୱସ୍ତ ଆଇନଶୃଙ୍ଖଳାକୁ ବର୍ଣ୍ଣନା କରୁଛି । ଏହି ସମୟରେ ଶାସକ ଦଳର ମୁଖ୍ୟ ସଚେତକ ଏ ସମସ୍ତ ଘଟଣାକୁ ‘ଛୋଟିଆ ଗୋଟିଏ ଘଟଣା’ ବୋଲି କହିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ମାଝୀ କହିଛନ୍ତି ।
ଚଳିତ ବିଧାନସଭାରେ ରାଜ୍ୟବାସୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିବା ପାଇଁ ଭାରତୀୟ ଜନତା ପାର୍ଟିର ସବୁ ଉଦ୍ୟମକୁ ଶାସକ ବିଜେଡି ଭଣ୍ଡୁର କରିବା ପାଇଁ ହୀନ ପ୍ରୟାସ କରୁଛି । ଆଉ ଏହି ପ୍ରୟାସରେ ଶାସକ ବିଜେଡି ସବୁଥର ଭଳି ଏଥର ବି କଂଗ୍ରେସ ଦଳକୁ ହତିଆର ଭାବେ ବ୍ୟବହାର କରିଛି । ଏହା ଦ୍ୱାରା ଶାସକ ବିଜେଡିର ହୀନ ପ୍ରୟାସ ଚରିତାର୍ଥ ହେବା ସହ ରାଜ୍ୟବାସୀଙ୍କ ସ୍ୱାର୍ଥ ସମ୍ବଳିତ ବହୁ ସମସ୍ୟାର ସମାଧାନ ହେବାରେ ବାଧା ସୃଷ୍ଟି ହେଉଛି ବୋଲି ଶ୍ରୀ ମାଝୀ କହିଛନ୍ତି ।
ଆଜି ବିଧାନସଭା ଗୃହ କାର୍ଯ୍ୟରେ ରାଜ୍ୟର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପ୍ରସଙ୍ଗରେ ଆଲୋଚନା ହେବା ପାଇଁ ବିଜେପି ତରଫରୁ ବାଚସ୍ପତିଙ୍କ ଜରିଆରେ ଗୃହରେ ଏକ ମୁଲତବୀ ପ୍ରସ୍ତାବ ଅଣାଯାଇଥିଲା । କଂଗ୍ରେସ ଦଳର ବରିଷ୍ଠ ବିଧାୟକ ଶ୍ରୀ ନରସିଂହ ମିଶ୍ର ଛିଡା ହୋଇ ବିଧାନସଭା ପ୍ରଶ୍ନକାଳକୁ ବନ୍ଦ କରିବା ପାଇଁ ପ୍ରଚେଷ୍ଟା କରିବା ଏବଂ ମାତ୍ର ୧ ମିନିଟ ଭିତରେ ବାଚସ୍ପତି ବିଧାନସଭା କାର୍ଯ୍ୟକୁ ମୁଲତବି ଘୋଷଣା କରିବା ଏକ ଯୋଜନାବଦ୍ଧ ନାଟକଥିଲା ଏବଂ ବିଧାନସଭା ଇତିହାସରେ ଏକବିରଳ ରେକର୍ଡ ସୃଷ୍ଟି ହୋଇଛି ବୋଲି ତାତ୍ସଲ୍ୟ କରି ଶ୍ରୀ ମାଝୀ କହିଛନ୍ତି ।
ଅଡୁଆରେ ପଡିଯିବା ଭୟରେ ଶାସକ ବିଜେଡି ପୁଣି ଥରେ କଂଗ୍ରେସ ଦଳକୁ ବ୍ୟବହାର କରି ଗୃହକାର୍ଯ୍ୟକୁ ଜାଣିଶୁଣି ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବି ଘୋଷଣା କଲେ । ଆଇନଶୃଙ୍ଖଳା ପରିସ୍ଥିତିକୁ ସୁଧାରିବା ପାଇଁ ଦାୟୀତ୍ୱ ନେବା ପରିବର୍ତେ ନିଜ ସାଂଘାତିକ ଅପରାଧିକ ଓ ଦୁର୍ନୀତିମୟ ଭାବମୂର୍ତିର ଭୟରୁ ବର୍ତିବା ପାଇଁ ଶାସକ ବିଜେଡିର ନାଟକରେ କଂଗ୍ରେସର ଭୂମିକା ସନ୍ଦେହଜନକ ଏବଂ ରାଜ୍ୟବାସୀଙ୍କ ପ୍ରତି ବିଶ୍ୱାସଘାତକତା ଅଟେ ବୋଲି ଶ୍ରୀ ମାଝୀ କହିଛନ୍ତି ।
ଏହି ଅବସରରେ ବିଧାୟକ ନାଉରୀ ନାଏକ, ଡ.ମୁକେଶ ମହାଲିଙ୍ଗ, ଜୟନ୍ତ ଷଡଙ୍ଗୀ, କେ.ନାରାୟଣ ରାଓ, ସନାତନ ବିଜୁଳି, ଗଣେଷରାମ ସିଂ ଖୁଂଟିଆ, ରାଜ୍ୟ ମୁଖପାତ୍ର ଠାକୁର ରଣଜିତ୍‌ ଦାସ ଏବଂ ଗଣମାଧ୍ୟମ ବିଭାଗ ପ୍ରମୁଖ ଦିଲୀପ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।