ବିଜେଡିର ବିକଳ୍ପ ଦଳ ଏଜେଡି (ଆମ ଜନତା ଦଳ)

‘ଆଗାମୀ ନିର୍ବାଚନରେ ଆମେ ବିଜେଡି ନେତାଙ୍କ ପଛରେ ଧାଇଁବୁ ନାହିଁ । ସବୁ ବିଧାନସଭା ଆସନର କର୍ମୀମାନେ ଏକଜୁଟ ହୋଇ ଯାହାକୁ ନେତା ବାଛିବେ, ତାଙ୍କୁ ନିର୍ବାଚନରେ ଠିଆ କରାଇ ଜିତାଇବେ । ସେହି ନେତା ହିଁ ବିଧାନସଭା ଅଂଚଳର ହାନିଲାଭ ବୁଝିବା ସହିତ ଦଳୀୟ କର୍ମୀଙ୍କ ହାତକୁ କାମ ଯୋଗାଇବାର ବନ୍ଦୋବସ୍ତ କରିବେ ।’ ଏଭଳି ମନ୍ତବ୍ୟ ପ୍ରଦାନ କରିଚନ୍ତି ବିଜୁ କର୍ମୀ ମହାସଂଘ ଆବାହକ ବଳରାମ ରାଉତ ।
ବଳରାମଙ୍କ ମତରେ ବିଜେଡିର ୪୦ ଲକ୍ଷ କର୍ମୀଙ୍କ ଭିତରୁ ଅନ୍ୟୁନ ୧୫ ଲକ୍ଷ ଆମ ଜନତା ଦଳରେ ମିଶିବାକୁ ରାଜି ଅଛନ୍ତି । ସେହି କର୍ମୀଙ୍କ ଭିତରୁ ୧୪୭ ବିଧାନସଭା ଓ ୨୧ ଲୋକସଭା ଆସନ ପାଇଁ ନେତା ବଛାଯିବେ । ବିଜେଡିକୁ କ୍ଷମତାଚ୍ୟୁତ କରିବା ଦିଗରେ ଏଜେଡି (ଆମ ଜନତା ଦଳ) ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ ବୋଲି ଶୁଣିବାକୁ ମିଳୁଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କହିବାନୁସାରେ ରାଜ୍ୟରେ ୪୦ ଲକ୍ଷ ବିଜେଡି କର୍ମୀ ଅଛନ୍ତି । ୪୦ ଲକ୍ଷ କର୍ମୀଙ୍କ ସୁଖଦୁଃଖ ହାନିଲାଭ ବୁଝିବାକୁ ନବୀନଙ୍କ ପାଖରେ ସମୟ ଅଭାବ । ଦାମୀ ମଦ ଓ ସିଗାରେଟରୁ ଫୁରୁସତ ମିଳିଲେ ତ? ପାରିବାରିକ ସମସ୍ୟା ସହିତ ନିୟମିତ ସଂଘର୍ଷ କରୁଥିବା ୪୦ ଲକ୍ଷ କର୍ମୀ ଆଉ ବିଧାୟକ ଓ ସାଂସଦଙ୍କ ଦୁଆର ମୁହଁରେ ହାତ ପତାଇବେ ନାହିଁ ବୋଲି କହିଛନ୍ତି ।

ବିଜୁ କର୍ମୀ ମହାସଂଘର ଆବାହକ ବଳରାମ ରାଉତ ଏକ ସ୍ୱତନ୍ତ୍ର ସାକ୍ଷାତକାରରେ କହିଛନ୍ତି, ଏଣିକି ଆମ ଭାଗ୍ୟ ଆମେ ତିଆରି କରିବୁ । ଆମ ଦୁଃଖ ଶୁଣିବାକୁ ଆମ ଅଂଚଳର ବିଧାୟକ, ସାଂସଦଙ୍କ ପାଖରେ ସମୟ ନାହିଁ । ସମସ୍ତେ ସେମାନଙ୍କ ସ୍ୱାର୍ଥ ପଛରେ ବାଇ । ଆମେ କାହିଁକି ବିନା ଲାଭରେ ହାଣମୁହଁକୁ ଯିବୁ । ଭୋଟ ବେଳେ ସବୁ ନେତା ଆମକୁ ଖୋଜନ୍ତି । ଅନ୍ୟ ସମୟରେ ଆମକୁ ହୀନ ମଣନ୍ତି ।

ବିଜେଡିର ଅନ୍ୟ କର୍ମୀମାନଙ୍କ ମୁହଁରୁ ଶୁଣିଲୁ, ତୃଣମୂଳ ସ୍ତରରେ କାମ କରୁଥିବା କର୍ମୀମାନଙ୍କ ପ୍ରତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମନରେ କେବେ ଦୟା ବା ଦରଦ ନାହିଁ । ଗ୍ରାମାଂଚଳରେ ଘରକୁ ଘର ଯାଇ ବିଜେଡି ସପକ୍ଷରେ ଭୋଟ ମାଗିବା, ଜନସମାବେଶକୁ ଲୋକଙ୍କୁ ନେବା ଆଣିବା, ଦଳର ପ୍ରତିବାଦ ଅବା ବିକ୍ଷୋଭ ଶୋଭାଯାତ୍ରାରେ ପତାକା ଧରି ନେତାଙ୍କ ଆଗରେ ଚାଲିବା, ନେତାଙ୍କ ସୁରକ୍ଷା ପାଇଁ ମୃତ୍ୟୁମୁଖକୁ ଡେଇଁ ପଡୁଥିବା ଦଳୀୟ କର୍ମୀଙ୍କ ସହିତ ଟିକେ ମନଖୋଲି କଥା ହେବାକୁ ନବୀନ ପଟ୍ଟନାୟକ ଭଲ ପାଆନ୍ତି ନାହିଁ ।
ବହୁତ ଦିନ ପରେ ଆମ ମନକୁ ବୁଝିଲା ଭଳି ଦଳଟିଏ ଠିଆ ହୋଇଛି । ସେହି ଦଳରୁ ଟିକେଟ୍‌ ନେଇ ବିଜେଡିକୁ ହରାଇବୁ । ଆମ ଭଳି କର୍ମୀଙ୍କୁ ହୀନ ମଣିବାର ଠିକଣା ଜବାବ ଦେବୁ ।