ମହାମହିମ ରାଷ୍ଟ୍ରପତିଙ୍କ ଟ୍ରେନ୍‌ ଯାତ୍ରାରୁ ବିଜେପିକୁ ଫାଇଦା!

ଚଳିତ ୨୧ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବାଦାମପାହାଡ଼ ରେଳଷ୍ଟେସନରୁ ସବୁଜ ପତାକା ହଲାଇ ତିନୋଟି ଟ୍ରେନର ଶୁଭାରମ୍ଭ କରିବେ । ସେଥିମଧ୍ୟରୁ ଗୋଟିକରେ ବସି ପ୍ରାୟ ୩୨ କିଲୋମିଟର ଯାତ୍ରା କରିବେ । ପ୍ରଥମ ଥର ପାଇଁ ଜଣେ ରାଷ୍ଟ୍ରପତି ସାଧାରଣ ଏସି କୋଚ୍‌ରେ ଯାତ୍ରା କରିବେ । ରାଷ୍ଟ୍ରପତି ହେବା ପରଠାରୁ ସାଧାରଣ ଲୋକଙ୍କ ସହିତ ଅବାଧ ମିଳାମିଶା କରି ପାରୁନାହାନ୍ତି, ତେଣୁ ଏହି ରେଳଯାତ୍ରାଟି ତାଙ୍କୁ ସାଧାରଣ ଲୋକଙ୍କ ନିକଟତର କରିବ ବୋଲି କୁହାଯାଉଛି । ମାତ୍ର କିପରି? ଯୋଉ ପରିବେଶ ଓ ସୁରକ୍ଷା ବ୍ୟବସ୍ଥା ଭିତରେ ରହି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରେଳଯାତ୍ରା କରିବେ ।

ସେଭଳି ପରିବେଶରେ ଜଣେ ସାଧାରଣ ଲୋକ ରାଷ୍ଟ୍ରପତିଙ୍କ ସହିତ ମୁକ୍ତ ଆଲୋଚନା କରିପାରିବ କି? ରାମନାଥ କୋବିନ୍ଦ ରାଷ୍ଟ୍ରପତି କ୍ଷମତାରେ ଥିଲାବେଳେ ଦିଲ୍ଲୀର ସଫଦରଜଙ୍ଗ ରେଳଷ୍ଟେସନରୁ କାନପୁର ଯାଏ ସ୍ୱତନ୍ତ୍ର ପ୍ରେସିଡେନ୍‌ସିଆଲ ଟ୍ରେନରେ ବସି ଯାତ୍ରା କରିଥିଲେ ।
ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବଦୁଲ କାଲାମ ମଧ୍ୟ ଦିଲ୍ଲୀରୁ ଡେରାଡୁନ୍‌ ପର୍ଯ୍ୟନ୍ତ ସ୍ୱତନ୍ତ୍ର ପ୍ରେସିଡେନ୍‌ସିଆଲ କକ୍ଷରେ ବସି ଟ୍ରେନ ଯାତ୍ରା କରିଥିଲେ ।

ଦେଶର ପ୍ରଥମ ନାଗରିକଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ସଂପନ୍ନ ଟ୍ରେନରେ ଯାତ୍ରା କରିବାର ସୁବିଧା ରହିଛି । କିନ୍ତୁ ଦ୍ରୌପଦୀ ମୁର୍ମୁ ଜନଜାତି ଛାଂଚରେ ତିଆରି ହୋଇଥିବାରୁ ସାଧାରଣ ଏସି କୋଚ୍‌ରେ ଯାତ୍ରା କରିବେ ନା ରାଷ୍ଟ୍ରପତିଙ୍କ ଟ୍ରେନ ଯାତ୍ରାରୁ ବିଜେପିକୁ ରାଜନୀତିକ ଫାଇଦା ମିଳିବାର ଗୂଢ଼ ରହସ୍ୟ ଅଛି । ତାହା ବିଜେପିର ତିନି ମହାବଳିୟାର କହିପାରିବେ । ମାତ୍ର ତାଙ୍କୁ ପ୍ରଶ୍ନ ପଚାରିବାର ସତ୍‌ ସାହସ କାହା ପାଖରେ ଅଛି?

ତଥାପି ସାଧାରଣ ଲୋକଙ୍କ ମନରେ ଗୁଡ଼ାଏ ପ୍ରଶ୍ନ ରହିଛି । ଯୋଉ ସୁରକ୍ଷା ବ୍ୟବସ୍ଥା ଭିତରେ ମହାମହିମ ରାଷ୍ଟ୍ରପତି ଯାତ୍ରା କରିବେ । ଦେଶର ସାଧାରଣ ଲୋକଙ୍କୁ ସେହିଭଳି ସୁରକ୍ଷା ବ୍ୟବସ୍ଥା ଭିତରେ ଟ୍ରେନ ଯାତ୍ରାର ସୁବିଧା ମିଳିବ କି? ମହାମହିମ ରାଷ୍ଟ୍ରପତି ଯୋଉ ଟ୍ରେନରେ ଯାତ୍ରା କରିବେ; ରେଳବାଇର ପ୍ରତିଟି କର୍ମଚାରୀ ଅତ୍ୟନ୍ତ ସତର୍କତାର ସହିତ କାମ କରିବେ କାରଣ ପାନରୁ ଚୂନ ଖସିଗଲେ ଚାକିରି ଚାଲିଯିବାର ଭୟ । କିନ୍ତୁ ସାଧାରଣ ଲୋକଙ୍କ ଟ୍ରେନ ଯାତ୍ରା ପ୍ରତି ରେଳବାଇର ପ୍ରତ୍ୟେକ କର୍ମଚାରୀ ସେତିକି ସଚେତନ ରହିବ ତ?