ତୁ ଯେତେ ମାଠିବୁ ମାଠ: ସୁଧୁରିନି ଭୋଟର ପଞ୍ଜୀକରଣ ଅବ୍ୟବସ୍ଥା

ବୁଥ୍‌ସ୍ତରୀୟ ଅଧିକାରୀମାନେ ଘରକୁ ଘର ଯାଇ ନୂତନ ଭୋଟରଙ୍କ ପଞ୍ଜୀକରଣ ଓ ଭୋଟର ତାଲିକା ସଂଶୋଧନ କରିବା ପାଇଁ ମୁଖ୍ୟ ନିର୍ବାଚନ କମିଶନର ଆଦେଶ ଦେଇସାରିଛନ୍ତି । ସବୁ ଗଣମାଧ୍ୟମରେ ସେହି ଖବର ପ୍ରକାଶିତ ହୋଇସାରିଛି । ତଥାପି କୌଣସି ବୁଥସ୍ତରୀୟ ଅଧିକାରୀ ଭୋଟରଙ୍କ ନିକଟକୁ ଯାଇ ତାଲିକା ସଂଶୋଧନ ଓ ନୂତନ ଭୋଟରଙ୍କ ପଞ୍ଜୀକରଣ କରୁନାହାନ୍ତି । ତା’ର ଫାଇଦା ଉଠାଉଛନ୍ତି ଜନସେବା କେନ୍ଦ୍ର । ଜନସେବା କେନ୍ଦ୍ରକୁ ଆର୍ଥିକ ଫାଇଦା ପହଂଚାଇବା ପାଇଁ ବୁଥସ୍ତରୀୟ ଅଧିକାରୀମାନେ ସାବାଳକ ଯୁବକ ଯୁବତୀଙ୍କୁ ପରାମର୍ଶ ଦେଉଛନ୍ତି । ‘ଆମକୁ କଂପ୍ୟୁଟର ଓ ଇଂଟରନେଟ୍‌ ସୁବିଧା ଦିଆଯାଇନି । ଆମେ କେମିତି ନୂତନ ଭୋଟରଙ୍କ ନାମ ପଞ୍ଜୀକରଣ କରିପାରିବୁ । ଆମେ କେମିତି ଭୋଟର ତାଲିକା ସଂଶୋଧନ କରିପାରିବୁ ।’ ଏମିତି ନାନା ପ୍ରଶ୍ନ ପଚାରି ବୁଥସ୍ତରୀୟ ଅଧିକାରୀମାନେ ଆପଣା ଦାୟିତ୍ୱକୁ ଏଡାଇ ଯାଉଛନ୍ତି ।

ମୁଖ୍ୟ ନିର୍ବାଚନ ଅଧିକାରୀ ଆଦେଶ ଦେଲେଣି କୋଉଦିନଠାରୁ । ମାତ୍ର ରାଜ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଭୋଟର ତାଲିକା ସଂଶୋଧନ ଓ ନୂତନ ଭୋଟରଙ୍କ ନାମ ପଞ୍ଜୀକରଣ ପାଇଁ ଧାର୍ଯ୍ୟ ତାରିଖର ମାତ୍ର କେଇଦିନ ପୂର୍ବରୁ ବୁଥସ୍ତରୀୟ ଅଧିକାରୀଙ୍କୁ ନୂତନ ଭୋଟର ପଞ୍ଜୀକରଣ ଓ ତାଲିକା ସଂଶୋଧନ ସଂପର୍କରେ ତାଲିମ ଦେବାର ବ୍ୟବସ୍ଥା କରିଛନ୍ତି ।

ଯାହା ଜଣାଯାଉଛି, ମୁଖ୍ୟ ନିର୍ବାଚନ କମିଶନ ବିଜ୍ଞପ୍ତି ଜାରି କରିଦେଇ ସନ୍ତୁଷ୍ଟ । ମୁଖ୍ୟ ନିର୍ବାଚନ ଅଧିକାରୀ ଆଦେଶନାମା ଜାରି କରି ସନ୍ତୁଷ୍ଟ । ବୁଥସ୍ତରୀୟ ଅଧିକାରୀ ନୂତନ ଭୋଟରଙ୍କୁ ଜନସେବା କେନ୍ଦ୍ରକୁ ପଠାଇ ଦେଇ ସନ୍ତୁଷ୍ଟ । ଏମିତି ପ୍ରକ୍ରିୟା ଭିତରେ ରାଜ୍ୟର ୩୦ ଭାଗ ନାଗରିକ ମତଦାନ ପ୍ରକ୍ରିୟାକୁ ଏଡାଇ ଦେଇ ସନ୍ତୁଷ୍ଟ । ଗୋଟିଏ ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାକୁ ଶକ୍ତିଶାଳୀ କରିବାକୁ ହେଲେ, ମୁଖ୍ୟ ନିର୍ବାଚନ କମିଶନ ତାଙ୍କର ସାମ୍ବିଧାନିକ ଦାୟିତ୍ୱକୁ ଠିକ୍‌ ଭାବେ ନିର୍ବାହ କରିବା ଉଚିତ ।

ଭାରତ ସ୍ୱାଧିନତା ଲାଭ କରିବା ପରଠାରୁ ଦେଶରେ ଯେତୋଟି ନିର୍ବାଚନ ହୋଇଛି । କୌଣସି ନିର୍ବାଚନ ପ୍ରକ୍ରିୟାରେ ସ୍ୱଚ୍ଛତା ପରିଲକ୍ଷିତ ହୋଇନି । ଭାରତ ସ୍ୱାଧିନତା ଲାଭ କରିଛି; ମାତ୍ର ଭାରତୀୟମାନେ ହାତଟେକାକୁ ଅନାଇ ରହିଗଲେ ।