ବ୍ରହ୍ମପୁରଠାରେ ବିଜେଡି ବିଧାୟକଙ୍କ ଅସ୍ଥାୟୀ ହୋଟେଲରେ ମୈାଜ ମଜଲିସ୍‌ କରିବା ଜନବିରୋଧୀ : ଭୃଗୁ ବକ୍ସିପାତ୍ର

ଭୁବନେଶ୍ୱର,(ଏସ୍ ନ୍ୟୁଜ୍)ତା.୨୭/୦୮: ଓଡିଶା ପ୍ରଦେଶରେ ଆସନ୍ନ ମରୁଡି କାରଣରୁ ଆଜି ଚାଷୀକୁଳ ଚିନ୍ତାଗ୍ରସ୍ତ । ଅନ୍ୟ ପଟେ ଶାସକ ବିଜେଡି ନିଜ ଦଳୀୟ ବିଧାୟକଙ୍କୁ ନେଇ ମୈାଜ ମଜଲିସ୍‌ରେ ବ୍ୟସ୍ତ । ନିଜ ମୈାଜ ମଜଲିସ୍‌ ପାଇଁ ସାଧାରଣ ଜନତାଙ୍କ ସ୍ୱାର୍ଥ ଓ ଅଧିକାରକୁ ଜଳାଞ୍ଜଳୀ ଦେଇ ଶାସକ ବିଜେଡିର ଏଭଳି ଆଭିମୁଖ୍ୟକୁ ବିଜେପି ତରଫରୁ ଦୃଢ ନିନ୍ଦା କରାଯାଉଛି ବୋଲି ରାଜ୍ୟ ଉପସଭାପତି ଶ୍ରୀ ଭୃଗୁ ବକ୍ସିପାତ୍ର କହିଛନ୍ତି ।
ବ୍ରହ୍ମପୁରସ୍ଥିତ ମେଡିକାଲ କଲେଜରେ ଡାକ୍ତର ନାହାନ୍ତି, ଖଲିକୋଟ ବିଶ୍ୱବିଦ୍ୟାଳୟରେ ଶିକ୍ଷକ ଅଭାବ, ମନରେଗା ଦୁର୍ନୀତିରେ ସାଧାରଣ ଗରୀବ ହନ୍ତସନ୍ତ ହେଉଥିବାବେଳେ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀରେ ସ୍ମାର୍ଟ ସ୍କୁଲ୍‌ ଖୋଲାଯିବା ଉଦ୍ଦେଶ୍ୟରେ ଶାସକ ବିଜେଡିର ୧୦୮ ଜଣ ବିଧାୟକଙ୍କୁ ପର୍ଯ୍ୟାୟକ୍ରମେ ବୁଲାଇବା ଆଳରେ କେନ୍ଦ୍ର ସରକାରଙ୍କ ଅନୁଦାନରେ ବ୍ରହ୍ମପୁରସ୍ଥିତ ରାମଲିଙ୍ଗମ୍‌ ଟାଂକ ପାର୍କରେ ଅସ୍ଥାୟୀ ହୋଟେଲ ଖୋଲାଯାଇ ସଂସ୍କୃତିକୁ ନଷ୍ଟ କରାଯାଉଛି । ଏହି କାରଣରୁ ଗତ ୧୮ ତାରିଖରୁ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ଅଂଚଳର ସମସ୍ତ ଦୋକାନ ବଜାର ବନ୍ଦ ରଖାଯାଇ ଏକ ପ୍ରକାରର କୃତ୍ରିମ କର୍ଫ୍ୟୁର ବାତାବରଣ ସୃଷ୍ଟି କରାଯାଇଛି ।ପ୍ରଧାନମନ୍ତ୍ରୀ କିମ୍ବା ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମୟରେ ମଧ୍ୟ ଗୋଟିଏ ଅଂଚଳକୁ ଏତେ .ଲମ୍ବା ସମୟ ଧରି ରାସ୍ତାଘାଟ ବନ୍ଦ ରୁହେ ନାହିଁ । ଏହା ଦ୍ୱାରା ସ୍ଥାନୀୟ ବାସିନ୍ଦା ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଦୋକାନ, ବଜାର ବନ୍ଦ କରାଯାଇଥିବା କାରଣରୁ ସ୍ଥାନୀୟ ବାସିନ୍ଦା ବହୁ କଷ୍ଟରେ ଜୀବନଯାପନ ଅତିବାହିତ କରୁଛନ୍ତି । କୋଭିଡ୍‌ କଟକଣା ଆଳରେ ପାର୍କକୁ ବନ୍ଦ ରଖାଯାଇଥିବା ଆଳରେ ସର୍ବସାଧାରଣଙ୍କୁ ରୋକ୍‌ ଲଗାଯାଇଥିବାବେଳେ କେଉଁ ଓ କାହା ନିର୍ଦ୍ଦେଶରେ ପାର୍କ ଭିତରେ ମୈାଜ ମଜଲିସ୍‌ ହେଉଛି ବୋଲି ଶ୍ରୀ ବକ୍ସିପାତ୍ର ପ୍ରଶ୍ନ କରିଛନ୍ତି ।
ବିଜେଡି ବିଧାୟକମାନଙ୍କ ପାଇଁ ଗୋଟିଏ ନିୟମ ଏବଂ ସାଧାରଣ ଲୋକଙ୍କ ପାଇଁ ଆଉ ଗୋଟିଏ ନିୟମ ! କୋଭିଡ୍‌ କଟକଣା କାରଣରୁ ବହୁ ପ୍ରସିଦ୍ଧ ତାରାତାରିଣୀ ମନ୍ଦିର ସାଧାରଣ ଲୋକଙ୍କ ପାଇଁ ବାରଣ ଥିବାବେଳେ ବିଜେଡି ବିଧାୟକମାନେ ମନ୍ଦିର ଦର୍ଶନ କରିବା ଅତ୍ୟନ୍ତ ଜନବିରୋଧୀ କାର୍ଯ୍ୟ ବୋଲି ଶ୍ରୀ ବକ୍ସିପାତ୍ର କହିଛନ୍ତି ।
ଗତ କାଲି ବିଜେପି ତରଫରୁ ଏଭଳି କାର୍ଯ୍ୟକୁ ବନ୍ଦ ରଖିବା ପାଇଁ ସ୍ମାରକ ପତ୍ର ପ୍ରଦାନ କରାଯାଇ ବିରୋଧ କରାଯାଇଥିଲା । ମାତ୍ର ଶାସକ ବିଜେଡିର ପ୍ରତ୍ୟକ୍ଷ ନିଦ୍ଦେର୍ଶରେ ପୋଲିସ ଓ ପ୍ରଶାସନ ବିଜେପି କାର୍ଯ୍ୟକର୍ତାଙ୍କୁ ଭୟଭୀତ କରି ମାଡ ମଧ୍ୟ ମାରିଥିଲେ । ଏହା ସଂପୂର୍ଣ୍ଣ ଗଣତନ୍ତ୍ରବିରୋଧୀ ବୋଲି ଶ୍ରୀ ବକ୍ସିପାତ୍ର କ୍ଷୋଭ ପ୍ରକାଶ କରି କହିଛନ୍ତି ।
ରାଜ୍ୟ ସରକାରଙ୍କ ଏତାଦୃଶ ମନୋଭାବ ଏବଂ କାର୍ଯ୍ୟଧାରା ବନ୍ଦ ନହେଲେ ବିଜେପି ତରଫରୁ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ଶ୍ରୀ ବକ୍ସିପାତ୍ର ଚେତାଇ ଦେଇଛନ୍ତି ।
ଏହି ଅବସରରେ ରାଜ୍ୟ ମୁଖପାତ୍ର ଠାକୁର ରଣଜିତ୍‌ ଦାସ୍‌ ଏବଂ ଗଣମାଧ୍ୟମ ବିଭାଗର ସୁଜିତ୍‌ ଦାସ୍‌ ପ୍ରମୁଖ ଉପସ୍ଥିତ ଥିଲେ ।