ଦଳଡିଆଁଙ୍କୁ ମିଳିଲାନି ପଦପଦବୀ

ଭୁବନେଶ୍ୱର: ବିଜେଡି ପାଇଁ ଅଲୋଡ଼ା ପ୍ରାୟ ଭତୃହରି ମହତାବ, ସିଦ୍ଧାନ୍ତ ମହାପାତ୍ର, ଆକାଶ ଦାଶ ନାୟକ, ଅନୁଭବ ମହାନ୍ତିଙ୍କ ଭଳି କିଛି ଚରିତ୍ର ବିଜେପିକୁ ଲାଭଜନକ ସ୍ଥିତିକୁ ନେଇ ଆତ୍ମସନ୍ତୋଷ ଲାଭ କରିଛନ୍ତି । ବିଜେଡିରେ ଚେତାଶୂନ୍ୟ ଅନୁଭବ କରୁଥିବା ଚରିତ୍ରଗୁଡ଼ିକ ଏବେ ଖୋଲା ଆକାଶରେ ଆରାମରେ ଶ୍ୱାସକ୍ର୍ରିୟା ସଂପାଦନ କରୁଥିବେ । ରାଜ୍ୟ ବିଜେପିରେ ସେମାନଙ୍କୁ କିଛି ଗୋଟାଏ ଗୁରୁଦାୟିତ୍ୱ ମିଳିଯିବାର ଆଶା ରଖିଥିବେ; କିଛି ନହେଲେ ଆପଣା ସାମ୍ବିଧାନିକ ଦାୟିତ୍ୱକୁ ୫ ବର୍ଷ ପାଇଁ ଆପଣା ସ୍ୱାର୍ଥରେ ନିୟୋଜିତ କରିବାର ବାଟ ପକ୍କା କରିପାରିଛନ୍ତି । ବାସ୍‌ ଆଉ କ’ଣ ଦରକାର?

ତେବେ ଏହା ଅନସ୍ୱୀକାର୍ଯ୍ୟ; ବିଜେଡିରୁ ବିଜେପିକୁ ଡିଅାଁ ମାରିଥିବା ଚରିତ୍ରଙ୍କୁ ଜିତିବାରେ ବିଜେପିର କେନ୍ଦ୍ରନେତାଙ୍କ ଘନଘନ ଓଡ଼ିଶା ଗସ୍ତ ମଧ୍ୟ ଦମଦାର ସହାୟକ ହୋଇଥିଲା ।

ମାତ୍ର ବିଜେପିରୁ ବିଜେଡିକୁ ଡିଅାଁ ମାରିଥିବା ଚରିତ୍ରଗୁଡ଼ିକ ଭିତରୁ କେହି ବିଜେଡି ପାଇଁ ଲାଭଦାୟକ ସାବ୍ୟସ୍ତ କରି ପାରିଲେନି । ସେହିଭଳି ଚରିତ୍ରଙ୍କ ଭିତରୁ ଭୃଗୁ ବକ୍ସିପାତ୍ର ଓ ଲେଖାଶ୍ରୀ ସାମନ୍ତସିଂହାର ଆଗଧାଡ଼ିରେ ଥିଲେ । ବିଜେଡି ଉଭୟଙ୍କୁ ବ୍ରହ୍ମପୁର ଓ ବାଲେଶ୍ୱର ଲୋକସଭା ଆସନରୁ ପ୍ରାର୍ଥୀ କରିଥିଲା ।

ଭୃଗୁ ଓ ଲେଖାଶ୍ରୀ ଆପଣା ଦମ୍‌ରେ ବିଜେପି ଭୋଟ କାଟିବାକୁ ସକ୍ଷମ ହୋଇଥିଲେ ମାତ୍ର ବିଜେଡି ମୁଖିଆଙ୍କ ପାଣ୍ଡୁ ପ୍ରେମ ସେମାନଙ୍କୁ ସଂସଦ ଭିତରକୁ ପଶିବାକୁ ଦେଲାନି । ନିର୍ବାଚନରେ ହାରିଯିବା ପରେ ଭୃଗୁ ଓ ଲେଖାଶ୍ରୀ ଆତ୍ମମନ୍ଥନ କରିପାରନ୍ତି ।

ଗଣମାଧ୍ୟମର ପ୍ରତିନିଧି ଭାବେ ଆମେ ଏତିକି ଅନୁଭବ କରିପାରୁଛୁ ଯେ ଆଜି ମଧ୍ୟ ବିଜେଡି ଓ ବିଜେପିର ଗୋପନକକ୍ଷକୁ ଦଳଡିଆଁଙ୍କୁ ପଶିବାକୁ ସୁଯୋଗ ଦିଆଯାଇନି । ଦେଖାଯାଉ ଏ ନାଟକ କେତେଦିନ?