‘ମତେ ଛୁଅଁନା, ମୁଁ ପୁରୁଷ’

ସବୁ ମହିଳାଙ୍କ ଭିତରେ ମା’ ଦୁର୍ଗାଙ୍କୁ ଦେଖେ

କୋଲକାତା: ‘ମତେ ଛୁଅଁନା, ମୁଁ ପୁରୁଷ’ ଏ କଥା ଆମେ କହୁନୁ, ପଶ୍ଚିମବଙ୍ଗ ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ଏହି କଥା କହି ସୋସିଆଲ ମିଡ଼ିଆରେ ସମାଲୋଚନାର ପାତ୍ର ହୋଇଛନ୍ତି । ବିଜେପି ପକ୍ଷରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୋଧରେ କୋଲକାତାରେ ବିକ୍ଷୋଭ ପାଳନ କରାଯାଉଥିବା ସମୟରେ ପୁଲିସ ସହିତ ବଡ଼ ଧରଣର ଧସ୍ତାଧସ୍ତି ହୋଇଛି । ପୁଲିସ ସହ ବିଜେପି ନେତାଙ୍କ ଠେଲାପେଲା ଭିତରେ ଶୁଭେନ୍ଦୁ ଅଧିକାରୀ ଏପରି କଥା କହିଥିଲେ ଜଣେ ମହିଳା ପୁଲିସ ଅଧିକାରୀଙ୍କୁ । ମହିଳା ପୁଲିସ ଅଧିକାରୀ ବିକ୍ଷୋଭକାରୀଙ୍କୁ ନିୟନ୍ତ୍ରଣ ପାଇଁ ଉଦ୍ୟମ କରୁଥିଲେ । ଶୁଭେନ୍ଦୁଙ୍କ ହାତକୁ ଜଣେ ମହିଳା ପୁଲିସ ଅଧିକାରୀ ଧରି ପୁଲିସ ଭ୍ୟାନ୍‌ ଭିତରକୁ ନେବାକୁ ଉଦ୍ୟମ କରୁଥିଲେ । ତହୁଁ ଶୁଭେନ୍ଦୁ କହିଥିଲେ, ‘ମତେ ଛୁଅଁନା, ଆପଣ ଜଣେ ମହିଳା । ମୁଁ ଜଣେ ପୁରୁଷ ।’ ଶୁଭେନ୍ଦୁ ଏହି କଥା କହୁଥିବା ସମୟରେ ଜଣେ ତୃଣମୂଳ କର୍ମୀ ତା’ର ଭିଡ଼ିଓ ସୁଟିଂ କରି ସୋସିଆଲ ମିଡ଼ିଆରେ ପୋଷ୍ଟ କରିଥିଲେ ।
ପ୍ରସଙ୍ଗଟିକୁ ଅଧିକ ଜଟିଳ କରିବାକୁ ଚାହିଁ ନଥିଲେ ଶୁଭେନ୍ଦୁ । ଫେସବୁକ୍‌ରେ ପୋଷ୍ଟ କରାଯାଇଥିବା ଗୋଟିଏ ଭିଡିଓରେ ସେ କହିଛନ୍ତି, ସଂପୃକ୍ତ ମହିଳା ପୁଲିସ ଅଧିକାରୀଙ୍କ ପ୍ରତି ମୁଁ କୌଣସି ଅଶାଳୀନ ବ୍ୟବହାର ପ୍ରଦର୍ଶନ କରିନାହିଁ । ମୁଁ ସବୁ ମହିଳାଙ୍କ ଆଖିରେ ମା’ ଦୁର୍ଗାଙ୍କ ଦର୍ଶନ କରିଥାଏ ।

ଶୁଭେନ୍ଦୁ ଏକଦା ତୃଣମୂଳ କଂଗ୍ରେସର ଏକନମ୍ବର ନେତା ଥିଲେ । ମମତା ବାନାର୍ଜୀଙ୍କ ହାତଗଣତି ଘନିଷ୍ଠ ଲୋକଙ୍କ ଭିତରେ ସେ ଜଣେ ଥିଲେ । ମାତ୍ର ୨୦୨୧ ବିଧାନସଭା ନିର୍ବାଚନ ପୂର୍ବରୁ ସେ ବିଜେପିରେ ମିଶିଥିଲେ । ମଙ୍ଗଳବାର କୋଲକାତାରେ ବିଜେପିର ବିକ୍ଷୋଭ ପ୍ରଦର୍ଶନ ସମୟରେ ବହୁ ବରିଷ୍ଠ ନେତାମାନଙ୍କୁ ଗିରଫ କରାଯାଇଛି । ମମତା ବାନାର୍ଜୀଙ୍କ ଶାସନ ସମୟରେ ଚାଲିଥିବା ମହାଦୁର୍ନୀତିକୁ ପ୍ରତିବାଦ କରି ବିକ୍ଷୋଭକୁ ଓହ୍ଲାଇଥିଲା ।