ନିର୍ବାଚନ ୨୦୨୪: ବିଜେଡି-ବିଜେପି ର ମଠମନ୍ଦିର ରାଜନୀତି ଆରମ୍ଭ ହୋଇଛି

ଭୁବନେଶ୍ୱର: ଆମେ ପ୍ରଥମରୁ କହିଆସିଛୁ, ରାଜ୍ୟରେ କପିକ୍ୟାଟ୍ ଶାସନ ଚାଲିଛି । ମୁଖ୍ୟମନ୍ତ୍ରୀଙ୍କ ସିରସ୍ତାରେ ଯୋଉ ଅଧିକାରୀମାନେ ବସିଛନ୍ତି ସେମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟାଳୟରେ ବସିଥିବା ଅଧିକାରୀଙ୍କ ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ପତରଟିଏ ତଳେ ପଡ଼ିଲେ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ପତରଟିଏ ପଡ଼ିବା ନିଶ୍ଚିତ । ତା’ ନହେଲେ ମୋଦି ସରକାର ବାଜି ମାରି ନେଇଯିବାର ଆଶଙ୍କା ରହିଛି ।

ଜାନୁୟାରୀ ୨୨ ତାରିଖରେ ଅଯୋଧ୍ୟା ଶ୍ରୀରାମ ମନ୍ଦିରରେ ପ୍ରଭୁ ରାମଚନ୍ଦ୍ରଙ୍କ ବିଗ୍ରହରେ ପ୍ରାଣ ପ୍ରତିଷ୍ଠା କରାଯିବ । ରାମଚନ୍ଦ୍ରଙ୍କ ପ୍ରତିମାରେ ପ୍ରାଣ ପ୍ରତିଷ୍ଠା କରିବେ ଖୋଦ୍ ପ୍ରଧାନମନ୍ତ୍ରୀ ମୋଦି । ଦେଶବାସୀଙ୍କ ଦୃଷ୍ଟିରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଓଜନ ବୃଦ୍ଧି ପାଇବ । ବିଜେପି ଗୋଠ ପୁଣି କ୍ଷମତାକୁ ଫେରିବା ଏକପ୍ରକାର ସୁନିଶ୍ଚିତ ହୋଇଯିବ । ବହୁତ ମାପିଚୁପି ରାମଙ୍କ ପ୍ରତିମାରେ ପ୍ରାଣ ପ୍ରତିଷ୍ଠା କରାଯାଉଛି ।

ବିଜେଡି ମୁଖିଆ ନବୀନ ପଟ୍ଟନାୟକ ମୋଦିଙ୍କଠାରୁ ଚାରିପାଦ ଆଗରେ ରହି ଜାନୁୟାରୀ ୧୭ ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ କରିବେ । ସେଥିପାଇଁ ବିଭିନ୍ନ ଧାର୍ମିକ ଅନୁଷ୍ଠାନକୁ ଡକାଯିବ । ସୂଚନା ମୁତାବକ ସବୁ ଜିଲ୍ଲାରେ ରହିଥିବା ମୋଟ ୭୪୬ଟି ଶ୍ରୀଜଗନ୍ନାଥ ମନ୍ଦିର ଓ ୧୧୧ଟି ଅନ୍ୟ ମନ୍ଦିରକୁ ନିମନ୍ତ୍ରଣ ଯୋଜନା ।

ଆଗାମୀ ଲୋକସଭା ଓ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେଡି-ବିଜେପି ପକ୍ଷରୁ ଯୋଜନାବଦ୍ଧ ମଠମନ୍ଦିର ରାଜନୀତି ଆରମ୍ଭ ହୋଇଛି । ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେଡି-ବିଜେପି ଧାର୍ମିକ ଭେଳିକି ଜରିଆରେ ଭୋଟ ଲୁଟିବାକୁ ବସିଛନ୍ତି ।