ସକାଳେ ବିଜେପି ଛାଡ଼ିଲେ, ମଧ୍ୟାହ୍ନରେ ବିଜେଡିରେ ମିଶିଲେ

ଭୁବନେଶ୍ୱର: ଆମେ ଭୃଗୁ ବକ୍ସିପାତ୍ରଙ୍କ କଥା କହୁଛୁ । ସକାଳେ ବିଜେପିରୁ ଇସ୍ତଫା ଦେଲେ । ଦିନ ୧୨ ବେଳକୁ ବିଜେଡିରେ ମିଶିଗଲେ । ଖାଲି ସେତିକି ନୁହେଁ ବ୍ରହ୍ମପୁର ଲୋକସଭା ଆସନରୁ ଲଢ଼ିବାକୁ ଅନୁମତି ପାଇଗଲେ ।

ବେଶ କିଛିଦିନ ଧରି ବିଜେଡି ଓ ବିଜେପି ଭିତରେ ଏମିତି ଘଟଣା ଦେଖିବାକୁ ମିଳୁଛି । ଏ ଦଳ ଯାହାକୁ ଛାଡୁଛି; ଆର ଦଳଟି ତାକୁ ସାଉଁଟି ନେଉଛି । ୟେ କି ରାଜନୀତିରେ ବାବା । ନିର୍ବାଚନ ବେଳରେ ନେତାଙ୍କ ଦଳଡ଼ିଅାଁ ନୀତିଟି ଭୋଟରଙ୍କ ମନରେ ନାନା ଭାବନା ସୃଷ୍ଟି କରୁଛି ।

ଉଭୟ ଦଳ ନିର୍ବାଚନ ପୂର୍ବରୁ ଗଣମାଧ୍ୟମକୁ କହୁଥିଲେ ଯେ ସେମାନଙ୍କ ନିକଟରେ ଟିକେଟ୍‌ ଆଶାୟୀଙ୍କ ସଂଖ୍ୟା ଏତେ ପ୍ରବଳ ଯେ କାହାକୁ ଟିକେଟ୍‌ ଦିଆଯିବ; ସେ ସଂପର୍କରେ ଦଳର ମୁଖିଆ ଚୂଡ଼ାନ୍ତ ନିଷ୍ପତି ନେଇ ପାରୁନାହାନ୍ତି ।

ରାଜନୈତିକ ଦଳଗୁଡ଼ିକର ଏ ପ୍ରକାର ମନୋଭାବ ଆଦୌ ଗ୍ରହଣୀୟ ନୁହେଁ । ବିଜେପି ଓ ବିଜେଡିରେ ‘ୟୁଜ୍‌ ଆଣ୍ଡ ଥ୍ରୋ’ ନୀତିକୁ ରାଜ୍ୟର ସାଢେ଼ ୩ କୋଟି ଭୋଟର ଭଲ ଭାବରେ ଅନୁଧ୍ୟାନ କରନ୍ତୁ ଓ ଠିକଣା ଲୋକକୁ ଭୋଟ ଦିଅନ୍ତୁ ବୋଲି ରାଜ୍ୟ ପଛୁଆ ବର୍ଗର ଆଗୁଆ ନେତା ସୀତାରାମ ବେହେରା କହିଛନ୍ତି ।