ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବିଳମ୍ବିତ ବିବୃତି ନୁଖୁରା କଥା : କଂଗ୍ରେସ

ଭୁବନେଶ୍ୱର,(ସାକ୍‌ସୀ ନ୍ୟୁଜ୍‌): ମନ୍ତ୍ରୀ ମହୋଦୟଙ୍କ ବିବୃତି ଯେତିକି ହାଲୁକା ସେତିକି ଅର୍ଥହୀନ । ଦିୱାନୀ ଆଇନ କହେ ଯେ ଯଦି କୌଣସି ଅଭିଯୋଗ ନିର୍ଦ୍ଦିଷ୍ଟ ଭାବେ ଖଣ୍ଡନ ନ ହୁଏ ତା’ ହେଲେ ତାହା ସ୍ୱୀକାରୋକ୍ତି ଭାବରେ ବିଚାର କରାଯାଏ । ଶ୍ରୀ ମିଶ୍ର ତାଙ୍କ ବିରୋଧରେ ଆସିଥିବା କୌଣସି ଅଭିଯୋଗକୁ ନିର୍ଦ୍ଦିଷ୍ଟ ଭାବେ ଖଣ୍ଡନ କରିନାହାନ୍ତି । ତାଙ୍କ ବିରୋଧରେ ଅଭିଯୋଗ ଗୁଡ଼ିକ ହେଲା ।

କ) ଆପଣ ଆପଣଙ୍କ ରାୟପୁର ବାସଭବରେ ଅଭିଯୁକ୍ତ ଗୋବିନ୍ଦ ସାହୁ ଓ ଅଧ୍ୟାପିକା ମମିତା ମେହେରଙ୍କୁ ଡକାଇ ଆପୋଷ ବୁଝାମଣା ଉଦ୍ୟମ କରିଥିଲେ ।
ଖ) ଆପଣ ମହାଲିଙ୍ଗ ସ୍ଥିତ ସନ୍‌ସାଇନ୍‌ ଶିକ୍ଷାନୁଷ୍ଠାନରେ ବହୁ ରାତ୍ରି ଯାପନ କରିଛନ୍ତି ।
ଗ) ମମିତା ମେହେରଙ୍କ ହତ୍ୟାପରେ ଅକ୍ଟୋବର ୮ ପରେ ହତ୍ୟାକାରୀ ଗୋବିନ୍ଦ ସାହୁ ଆପଣଙ୍କ ସହ ବାର୍ତାଳାପ କରିଛନ୍ତି ଯାହାର ଅଡିଓ କ୍ଳିକ ପୋଲିସଙ୍କୁ ଦିଆଯାଇଛି ।

ଏଥି ମଧ୍ୟରୁ କୌଣସି ଗୋଟିକର ସ୍ପଷ୍ଟ ଭାବେ ଖଣ୍ଡନ କରିନାହାନ୍ତି । ଉପରଠାଉରିଆ ଭାବେ କହିଛନ୍ତି । ଅତଏବ ପରୋକ୍ଷରେ ଏଗୁଡ଼ିକ ଆପଣ ସ୍ୱୀକାର କରିଛନ୍ତି । ଆପଣ ଦର୍ଶାଇଛନ୍ତି ଯେ ଆପଣଙ୍କ ପରିବାର ତରଫରୁ ମାନହାନି ମୋକଦ୍ଦମା କରିଛନ୍ତି । ନିଜେ କରି ନାହାନ୍ତି । ଆପଣଙ୍କ ମାନହାନି ହୋଇଥିବାର ଅନୁଭବ କରିଥିବାରୁ ଆପଣ ନିଜେ ମୋକଦ୍ଦମା କରିଲେ ନାହିଁ କାହିଁକି? ଆମର ଫୌଜଦାରୀ ଆଇନ କହେ ଯେ ଯେଉଁ ବ୍ୟକ୍ତିଙ୍କର ସମ୍ମାନହାନି ହେଲା ବୋଲି ହୃଦବୋଧ କରିବେ ସେ ହିଁ ମାନହାନି ମୋକଦ୍ଦମା କରିପାରିବେ । ସୁତରାଂ ଆପଣଙ୍କ ପଦକ୍ଷେପ ଆଇନ ସିଦ୍ଧ ନୁହେଁ ।

ଅଧିକନ୍ତୁ ଫୌଜଦାରୀ ଆଇନ ଧାରା ୧୯୯ ଓ ଉପଧାରା (୨) କହେ ଯେ ଯଦି ଜଣେ ମନ୍ତ୍ରୀଙ୍କର ମାନହାନି ହୁଏ ତେବେ ସରକାର ତାଙ୍କ ପକ୍ଷରୁ ସେସନ୍ସ କୋର୍ଟରେ ମାମଲା ରୁଜ କରିପାରିବେ । ତାହା ହୋଇନାହିଁ କାହିଁକି? ଏଥିରୁ ସ୍ପଷ୍ଟ ଯେ ସରକାର ଆପଣଙ୍କ ସହ ନାହାନ୍ତି । ଅପକର୍ମ ପାଇଁ ଆପଣ ଏକାକୀ ।
ଆପଣ କେତେକ ଗଣମାଧ୍ୟମ ବିରୋଧରେ ମାନହାନି ମୋକଦ୍ଦମା ରୁଜୁ କରିଛନ୍ତି । ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଏହା ଗଣମାଧ୍ୟମର ସ୍ୱାଧୀନତା ଉପରେ ଆକ୍ରମଣ । ଗଣତନ୍ତ୍ରର କଣ୍ଠରୋଧ ପାଇଁ ହୀନ ଉଦ୍ୟମ । ଏହା କ୍ଷମତାର ଔଧ୍ୟତ୍ୟର ପରିଚାୟକ । କଂଗ୍ରେସ ଏହାର ନିନ୍ଦା କରୁଛି । ଏହା ଜଣାଶୁଣା କଥା ଯେ ପ୍ରାୟ ଅପରାଧିମାନେ ନିଜକୁ ନିର୍ଦ୍ଦୋଶ ବୋଲି ଦାବି କରନ୍ତି । କିନ୍ତୁ ପରେ ତଦନ୍ତରେ ଦୋଷି ପ୍ରମାଣିତ ହୁଅନ୍ତି । ବହୁଚର୍ଚ୍ଚିତ ରାମ- ରହିମ ଓ ଆଶାରାମ ବାପୁଙ୍କ କାହାଣୀ ଏହାର ଜ୍ୱଳନ୍ତ ଉଦାହରଣ । ସୁତରାଂ ଆପଣ ନିର୍ଦ୍ଦୋଶ ବୋଲି ଦାବି କରିବା ନିହାତି ପିଲାଳିଆମି ।

ଶେଷରେ ମନ୍ତ୍ରୀ ମହୋଦୟ ବିବୃତିରେ ଦୋଷ ପ୍ରମାଣ କର’ର ଆହ୍ୱାନ ଦେଇଛନ୍ତି । ଆପଣ ଘରୋଇ ବିଭାଗର ମନ୍ତ୍ରୀ, ଦୋଷ ପ୍ରମାଣ କରିବା ଦାୟୀତ୍ୱ ପୋଲିସର । ଅର୍ଥାତ ଆପଣଙ୍କର କ’ଣ ଦୋଷ ପ୍ରମାଣ ନକରି ଆହ୍ୱାନ ଦେଇଛନ୍ତି କାହାକୁ ? ମନ୍ତ୍ରୀଙ୍କର ଏପରି ଆହ୍ୱାନ ହାସ୍ୟାସ୍ପଦ । ଅତଏବ ଦିବ୍ୟ ଶଙ୍କର ମିଶ୍ର ବାବୁ ଦିବ୍ୟ ବଚନରୁ ବିରତ ରହି, ମନ୍ତ୍ରୀ ପଦରୁ ଇସ୍ତଫା ଦିଅନ୍ତୁ ।
ତଦନ୍ତର ସାମନା କରନ୍ତୁ
ନିଜକୁ ନିର୍ଦ୍ଦୋଶ ପ୍ରମାଣ କରନ୍ତୁ
କଂଗ୍ରେସର ଏହି ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ପିସିସି ଉପସଭାପତି ଡକ୍ଟର ଦେବାଶିଷ ପଟ୍ଟନାୟକ ଓ ସମ୍ଭକାର ତଥା ପିସିସି ମୁଖପାତ୍ର ଅମୀୟ ପାଣ୍ଡବ ଉପସ୍ଥିତ ଥିଲେ ।