ଜୀବନଟା ପାଣି ଫୋଟକା । କେତେବେଳେ କୋଉଠି ଚାଲିଯିବ ? ପୂର୍ବାନୁମାନ କରିବା କାଠିକର ପାଠ । ଗୁଣ୍ଡିଚା ମନ୍ଦିର ନିକଟରେ ଦଳାଚକଟାରେ ପ୍ରାଣ ହରାଇଛନ୍ତି ଅଠାନ୍ତର ନିବାସୀ ବିଶ୍ୱଜିତ ଦାସଙ୍କ ପତ୍ନୀ ପ୍ରଭାତୀ ଦାସ । ଭୁବନେଶ୍ୱର ନୂଆପଲ୍ଲୀ ନିବାସୀ ପ୍ରେମକାନ୍ତ ମହାନ୍ତି । ଭୁବନେଶ୍ୱର ଜୟଦେବ ନଗର ନିବାସୀ ବାସନ୍ତୀ ସାହୁ । ମହାପ୍ରଭୁଙ୍କ ଆଖି ଆଗରେ ଏଭଳି ଦୁର୍ଘଟଣା ଘଟିଥିଲା ।
ମହାପ୍ରଭୁଙ୍କ ରଥଯାତ୍ରାକୁ ଓଡ଼ିଆ ଜାତିର ଗର୍ବ ଓ ଗୌରବ କହି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ମୃତଲୋକଙ୍କ ପିଛା ୨୫ ଲକ୍ଷ ଟଙ୍କା ଦେବାକୁ ଘୋଷଣା କରିଛନ୍ତି ।ମୁଖ୍ୟମନ୍ତ୍ରୀ ଓଡ଼ିଶାର ଜନତାଙ୍କୁ କ’ଣ କହିବାକୁ ଚାହୁଁଛନ୍ତି, ଆମ ଭଳି ସାଧାସିଧା ଲୋକ କିଛି ବୁଝିପାରୁନୁ । ଓଡ଼ିଆ ଜାତିର ଗର୍ବ ଓ ଗୌରବମୟ ରଥଯାତ୍ରାରେ ଦୁର୍ଘଟଣାର ଶିକାର ହୋଇ ଲୋକମାନେ ମରିବା ସୌଭାଗ୍ୟର କଥା ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ବୁଝାଇବାକୁ ଚାହୁଁଛନ୍ତି କି ?