ସାଂଘାତିକ ସ୍ଥିତିରେ ନୀତିଶଙ୍କ ପୁରୁଣା ରୋଗ

ବିହାର ରାଜନୀତିରେ ମହାରାଷ୍ଟ୍ର ହାୱା...

ଚଉକି ପାଇଁ କଂଗ୍ରେସ ଓ ରାଜଦ ସହ ଆଲୋଚନା…

ପାଟନା: ବିହାର ରାଜନୀତିରେ କମ୍ପନ ସୃଷ୍ଟି ହୋଇଛି । ଏମିତି ତ ମେଂଟ ଭାଙ୍ଗିବା ଓ ଗଠନ କରିବା ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କର ପୁରୁଣା ରୋଗ । ମଲମ ପାଇଁ ନୀତୀଶ କଂଗ୍ରେସ ଓ ରାଜଦ ଦୋକାନ ମାଲିକଙ୍କ ସହ କବାଟକିଳା ଆଲୋଚନା ଚଳାଇଛନ୍ତି । କିଛିଦିନ ତଳେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ବିହାରକୁ ଯାଇ ଦଳୀୟ ବୈଠକରେ ଯାହା ପରାମର୍ଶ ଦେଲେ, ସେଥିରେ ନୀତୀଶଙ୍କ ପୁରୁଣା ରୋଗ ସଂକ୍ରମିତ ହୋଇଛି । କ୍ଷତ ସାଂଘାତିକ ହେବା ପୂର୍ବରୁ ସେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ସହ ଫୋନ୍‌ରେ କଥା ହୋଇଛନ୍ତି । ରାଷ୍ଟ୍ରୀୟ ଜନତା ଦଳ ସହ ମଧ୍ୟ ଆଲୋଚନା କରୁଛନ୍ତି । ତାଙ୍କର ଏହି ଉଦ୍ୟମ ପଛରେ ପ୍ରଧାନ ଉଦ୍ଦେଶ୍ୟ ହେଉଛି ବିଜେପି ହାତ ଛାଡ଼ିବା ।

ଅମିତ ଶାହଙ୍କ ପରାମର୍ଶ ଥିଲା, ଆଗାମୀ ବିଧାନସଭା ଓ ଲୋକସଭା ନିର୍ବାଚନ ପାଇଁ ଜେଡିୟୁ ସହ ମେଂଟ ମଜଭୂତ ହୋଇନାହିଁ । ବାସ୍‌, ତାଙ୍କର ଏହି ବାକ୍ୟରେ ବିହାର ବିଜେପିର ବହୁ ବିଧାୟକ ଜେଡିୟୁ ହାତ ଛାଡ଼ିବାକୁ ଅଂଟା ଭିଡ଼ିଲେଣି । ଜେଡିୟୁ ଅଭିଯୋଗ କରୁଛି ଯେ ବିଜେପି ମେଂଟ ଧର୍ମ ପାଳନ କରିବାକୁ ଅନିଚ୍ଛୁକ । ଜେଡିୟୁକୁ ବିଭାଜନ କରି ବିଜେପି କ୍ଷମତା ବିହାରରେ ସରକାର ଗଠନ ପ୍ରକ୍ରିୟା ଆରମ୍ଭ କରିଛି । ମହାରାଷ୍ଟ୍ରରେ ଶିବସେନାକୁ ବିଭାଜନ କରି ଏକନାଥ ସିନ୍ଦେଙ୍କ ଗୋଷ୍ଠୀ ସହ ମେଂଟ କରି ବିଜେପି ସରକାର ଗଠନ କରିଛି ।

ବିଜେପିକୁ କ୍ଷମତାଠାରୁ ଅଲଗା ପାଇଁ ବିରୋଧୀ କଂଗ୍ରେସ ଓ ରାଜଦ ମିଳିତ ଭାବେ ନୀତୀଶଙ୍କୁ ସମର୍ଥନ କରିପାରନ୍ତି । ବିହାର ବିଧାନସଭାରେ ସର୍ବାଧିକ ଆସନ ଲାଭ କରିଥିବା ରାଜଦ ନୀତୀଶଙ୍କ ଟଳମଟଳ ସ୍ଥିତିକୁ ଅପେକ୍ଷା କରିଚି । ବିଜେପି ବିଧାୟକଙ୍କ ମତିଗତି ଉପରେ ରାଜଦର ନିଷ୍ପତି ନିର୍ଭର କରୁଛି । ତେଣୁ ମାପିଚୁପି ରାଜଦ ମନ୍ତବ୍ୟ ଦେଇଛି ଯେ ରାଜ୍ୟବାସୀଙ୍କ ଉପରେ ସବୁ ଛାଡ଼ି ଦିଆଯାଉ । ସେମାନେ ଯାହାକୁ ଚାହିଁବେ, କ୍ଷମତାରେ ବସାଇବେ । ରାଜଦକୁ ଅପମାନଜନକ ସ୍ଥିତିରେ ପକାଇ ନୀତୀଶ ବିଜେପି ସହ ମେଂଟ କରିଥିଲେ । ସେ କ୍ଷତର ଯନ୍ତ୍ରଣା ଏ ଯାଏ ଭୁଲିପାରିନି ଲାଲୁ ଯାଦବଙ୍କ ପରିବାର ।