ବିହାରରେ ଭୁଶୁଡ଼ିବ ନୀତୀଶଙ୍କ ଗଡ଼!

ମହାରାଷ୍ଟ୍ର ମହାନାଟକରେ ବିହାର ବିଚଳିତ..

ମହାରାଷ୍ଟ୍ରରେ ରାଜନୈତିକ ଭୂକମ୍ପର ପ୍ରଭାବ ଏବେ ବିହାରରେ ଦେଖିବାକୁ ମିଳିଛି । ବିଜେପି ନେତା ସୁଶୀଲ କୁମାର ମୋଦିଙ୍କ ମତରେ ଶରଦ ପୱାରଙ୍କ ଦଳ ଏନସିପି ବିଭାଜନର କାରଣ ବିହାରରେ ବିଜେପି ବିରୋଧୀଙ୍କ ମହାମେଳି ସଭା । ଖୁବ ଶୀଘ୍ର ନୀତୀଶ କୁମାରଙ୍କ ଜେଡିୟୁରେ ଭୂକମ୍ପ ଘଟିବାକୁ ଯାଉଛି । ସୁଶୀଲ କହିଛନ୍ତି, ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ତାଙ୍କର ଦୀର୍ଘ ୧୭ ବର୍ଷ ଶାସନ କାଳ ଭିତରେ କେବେ ବିଧାୟକ ଓ ସାଂସଦଙ୍କୁ ସମୟ ଦେଉ ନଥିଲେ । ସାଧାରଣ ଜନତା ବର୍ଷବର୍ଷ ଧରି ଅପେକ୍ଷା କଲେ ମଧ୍ୟ ନୀତୀଶଙ୍କୁ ଭେଟି ପାରୁନାହାନ୍ତି ।

ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଏବେ ପ୍ରତି ବିଧାୟକ ଓ ସାଂସଦଙ୍କୁ ୩୦ ମିନିଟ୍‌ ସମୟ ଦେଉଛନ୍ତି । ନୀତୀଶ ଯୋଉଦିନ ରାହୁଲ ଗାନ୍ଧୀଙ୍କୁ ବିରୋଧୀ ମେଂଟର ମୁଖିଆ ଓ ତେଜସ୍ୱୀ ଯାଦବଙ୍କୁ ଉତରାଧିକାରୀ ଭାବେ ଘୋଷଣା କଲେ, ସେହିଦିନଠାରୁ ଜେଡିୟୁରେ ବିଦ୍ରୋହ ମୁଣ୍ଡ ଟେକିଛି ।

ଲୋକଜନଶକ୍ତି ମୁଖ୍ୟ ଚିରାଗ ପାଶୱାନ କହିଛନ୍ତି ଯେ ଜେଡିୟୁର ବହୁ ବିଧାୟକ ଓ ସାଂସଦ ତାଙ୍କ ସହିତ ନିୟମିତ ସଂପର୍କରେ ଅଛନ୍ତି । କେନ୍ଦ୍ରମନ୍ତ୍ରୀ ପଶୁପତି ପାରସ ମଧ୍ୟ ଦୃଢ଼ତାର ସହ କହିଛନ୍ତି ଯେ ଆଗାମୀ ଦିନେ ଦୁଇଦିନ ଭିତରେ ବିହାରରେ ବଡ଼ ଧରଣର ରାଜନୈତିକ ପଟ୍ଟପରିବର୍ତନ ଘଟିବାକୁ ଯାଉଛି ।