ବିଜେଡି ନେତା ଓ କର୍ମୀ ଗୁଣ୍ଡାଗର୍ଦ୍ଦିର କେଉଁ ସୀମାକୁ ଯାଇପାରନ୍ତି, ଓଡ଼ିଶା ଦେଖିଛି

ଭୁବନେଶ୍ୱର: ବିଜେଡ଼ି ପ୍ରବକ୍ତାଙ୍କର ମିଛୁଆ ରାଧୁଆ ଭଳି ଅବସ୍ଥା ହେବ । ସେ ଏତେ ମିଛ କହିଲେଣି ଯେ, ଆଗକୁ ସତ କହିଲେ ବି କେହି ବିଶ୍ୱାସ କରିବେ ନାହିଁ । କେବଳ ନିଜର ଗୁମାସ୍ତାଙ୍କୁ ଖୁସି କରିବା ପାଇଁ ସେ କପୋଳକଳ୍ପିତ ଗଳ୍ପ କହୁଛନ୍ତି ଓ ପାଗଳର ପ୍ରଳାପ କରୁଛନ୍ତି । ବିଜେଡି ନେତା ଓ କର୍ମୀ ଗୁଣ୍ଡାଗର୍ଦ୍ଦିର କେଉଁ ସୀମାକୁ ଯାଆନ୍ତି, ତାହାକୁ ସାରା ଓଡ଼ିଶା ଦେଖୁଛି ବୋଲି ବିଜେଡ଼ି ପ୍ରବକ୍ତା ସସ୍ମିତ ପାତ୍ରଙ୍କ ଟ୍ୱିଟର ପ୍ରତିକ୍ରିୟାରେ ବରିଷ୍ଠ ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ ଟ୍ୱିଟ୍ କରିଛନ୍ତି ।
ଶ୍ରୀ ହରିଚନ୍ଦନ ଟ୍ୱିଟ୍ କରିଛନ୍ତି ଯେ ଆପଣ ତ ସେହି ଗୋଟିଏ ଲାଉର ମଞ୍ଜି, ସବୁ ସତ ଜାଣିଲା ପରେ ବି ଚୁପ୍ ରହିବାକୁ ବାଧ୍ୟ ହେଉଛନ୍ତି । ଆମେ ଆପଣଙ୍କ ଅବସ୍ଥା କଣ ବୁଝିପାରୁଛୁ । ଆଜି ଆମ ନେତା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶାରେ ଅଗଣତାନ୍ତ୍ରିକ ବ୍ୟବସ୍ଥାକୁ ନେଇ ଯେଉଁ କଥା କହିଛନ୍ତି ଆପଣ ଥରେ ନିଜ ମନକୁ ପଚାରନ୍ତୁ । ସେ ଠିକ୍ କହିଲେ ନା ଭୁଲ କହିଲେ ?

ଆପଣଙ୍କ ଦଳ ଯାହାଙ୍କୁ ପାର୍ଟିରୁ ସସପେଣ୍ଡ କରେ, ତାଙ୍କୁ ପରେ ଦଳରେ ରଖେ । ଆପଣଙ୍କ ଦଳର ଆଇଟି ସେଲର ପିଲାମାନେ ପଇସା ଖାଇ ଧରା ପଡୁଛନ୍ତି । ଏହାର ଅନେକ ଉଦାହରଣ ରହିଛି । ଏହା କ’ଣ ଆପଣଙ୍କ ଦଳର ଆଭିମୁଖ୍ୟ ? ଆପଣ ବିଜେଡି ହିଂସାକୁ ପ୍ରଶୟ ଦେଉନଥିବା କଥା କହୁଛି । ବିଜେଡି ନେତା ଓ କର୍ମୀ ଗୁଣ୍ଡାଗର୍ଦ୍ଦିର କେଉଁ ସୀମାକୁ ଯାଆନ୍ତି, ତାହାକୁ ସାରା ଓଡ଼ିଶା ଦେଖୁଛି । ମାହାଙ୍ଗା ଡବଲ ମର୍ଡର ସହିତ ନିକଟରେ ସେହି ଅଞ୍ଚଳରେ ଛାତ୍ରୀ ମୃତ୍ୟୁ ଉପରେ ଆପଣ କଣ କହିବେ ? କଳାହାଣ୍ଡିର ମମିତା ମେହେର ହତ୍ୟାକାଣ୍ଡ, ଯାଜପୁରର ପିହୁ, ନୟାଗଡର ପରୀ ନିଖୋଜର ସତ୍ୟାସତ୍ୟ କଣ ? ଓଡ଼ିଶାର କ୍ୟାବିନେଟ୍ ମନ୍ତ୍ରୀ ନବ ଦାସଙ୍କ ଦିବାଲୋକରେ ହତ୍ୟା ହେଲା ? ଏହି ଘଟଣାରେ ସତ କଣ, ତାହା ଆଜି ବି ଅନ୍ଧାରରେ । ଏନସିଆରବି ରିପୋର୍ଟ ଅନୁସାରେ ମହିଳା ନିର୍ଯ୍ୟାତନାରେ ଓଡ଼ିଶା ପ୍ରଥମରେ ଅଛି । ଆପଣଙ୍କ ଦଳର ନେତା ମାନେ ମଧ୍ୟ ଏଭଳି ଅପରାଧୀକ ହିଂସାରେ ସମ୍ପୃକ୍ତି ଅଛନ୍ତି ।

ଆପଣଙ୍କୁ କଣ କହିବା? ଆପଣଙ୍କ ଚରିତ୍ର ଏହିଭଳି । ଯେତେବେଳେ ଯାହାର ଖାଆନ୍ତି, ତା’ ପାଇଁ ସେତେବେଳେ ଗୁଣଗାନ କରନ୍ତି । ଆପଣ ୨୦୧୩ ମସିହା ମାର୍ଚ୍ଚରେ ମୁଖ୍ୟମନ୍ତ୍ରୀଙ୍କୁ ବେଇମାନ ବୋଲି କହିଥିଲେ । ଆପଣ ଜଣେ ପେଶାଦାର ପ୍ରବକ୍ତା ଭଳି ଭୂମିକା ନିର୍ବାହ କରୁଛନ୍ତି । ହନୁ ମଲା ବେଳେ ସତ କହିବା ଭଳି ଆପଣ ମଧ୍ୟ ନିଜର ରାଜନୈତିକ କ୍ୟାରିୟରର ଶେଷ ପର୍ଯ୍ୟାୟରେ ସତ କହିଲେ ଭଲ ହେବ । ସତ କହିଲେ ହିଁ ଲୋକ ଗ୍ରହଣ କରିବେ । ମିଛ ନୁହେଁ । ମହାପ୍ରଭୁ ଶ୍ରୀଜଗନ୍ନାଥ ଆପଣଙ୍କୁ ସତ କହିବାକୁ ସାହସ ଦିଅନ୍ତୁ ବୋଲି ଶ୍ରୀ ହରିଚନ୍ଦନ ଟ୍ୱିଟ୍ କରିଛନ୍ତି ।