ନିର୍ବାଚିତ ପ୍ରତିନିଧିଙ୍କ ଭିତରୁ ଜଣକୁ ମୁଖ୍ୟମନ୍ତ୍ରୀ କରାଯାଉ

ଭୁବନେଶ୍ୱର,(ସାକ୍‌ସୀ ନ୍ୟୁଜ୍‌): ରାଜ୍ୟ ବିଧାନସଭାକୁ ନିର୍ବାଚିତ ପ୍ରତିନିଧିଙ୍କ ଭିତରୁ ଜଣକୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ଓଡ଼ିଶା ବିପିଏଲ ମହାସଂଘ ମତପ୍ରକାଶ କରିଛି । ରାଜ୍ୟବାସୀଙ୍କ ଉପରେ ଉପନିର୍ବାଚନ ଲଦିଦେବା ବିଜେପି ପାଇଁ ଆଦୌ ଲାଭଦାୟକ ହେବନି ।

ଜୁନ ୪ ତାରିଖରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇଲା । ସପ୍ତାହେ ବିତିଗଲାଣି ଅଥଚ ରାଜ୍ୟବାସୀ ତାଙ୍କର ବହୁ ପ୍ରତିକ୍ଷୀତ ମୁଖ୍ୟମନ୍ତ୍ରୀଙ୍କ ନାମ ଶୁଣି ପାରିଲେନି । ଗଣମାଧ୍ୟମ ଏଣୁତେଣୁ ବହୁତ ଲେଖୁଛନ୍ତି ଓ ବକୁଛନ୍ତି । ମାତ୍ର କୌଣସି ଲୋକ ସେଗୁଡ଼ାକ ଉପରେ ଆଉ ଭରସା କରି ପାରୁନାହାନ୍ତି । ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ବହନ କରିବା ପରେ ନରେନ୍ଦ୍ର ମୋଦି ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ କାହାକୁ ଦାୟିତ୍ୱ ଦେବେ; ସେ ସଂପର୍କରେ ବହୁ ବିଚାର ବିମର୍ଶ କରି ମଧ୍ୟ ଚୂଡ଼ାନ୍ତ ନିଷ୍ପତି ନେଇପାରିଲେନି ଯେ ଦୁଇଜଣ ପର୍ଯ୍ୟବେକ୍ଷକଙ୍କୁ ଓଡ଼ିଶାକୁ ପଠାଉଛନ୍ତି ।

ନୂଆ ମୁଖ୍ୟମନ୍ତ୍ରୀ ତାଲିକାରେ ବହୁ ଚରିତ୍ରଙ୍କ ନାମ ସାମ୍ନାକୁ ଆସିଛି । ମାତ୍ର ହାତୀ କାହା ମୁଣ୍ଡରେ ପାଣି ନ ଢାଳିବା ଯାଏ ଅପେକ୍ଷା କରିବା ଛଡ଼ା ରାଜ୍ୟବାସୀଙ୍କ ନିକଟରେ ବିକଳ୍ପ କିଛି ନାହିଁ । ତେବେ କଥା ହେଉଛି, ଏବେ ଏବେ ନିର୍ବାଚନ ସରିଛି; ତା’ ଉପରେ ଆଉ ଗୋଟିଏ ଉପ ନିର୍ବାଚନ ଯେପରି ଲଦି ଦିଆ ନଯାଉ । ଭୋଟରଙ୍କ ମିଜାଜ ବିଗିଡ଼ି ଗଲେ ଉପନିର୍ବାଚନଟା ଯେପରି ବିଜେପି ପାଇଁ ବୁମେରାଂ ହୋଇ ନଯାଉ ।
ଆମ ମତଲବ ବିଜେପି ବୁଝିଯିବଣି । ନିର୍ବାଚିତ ବିଧାୟକମାନଙ୍କ ଭିତରୁ ଜଣକୁ ମୁଖ୍ୟମନ୍ତ୍ରୀ କରାଗଲେ, ଏ ବିପଦ ଟଳିଯିବ ।