Operation Sindoor : ‘ଅପରେସନ୍ ସିନ୍ଦୁର’ର ଆୟୁଷ ମାତ୍ର ତିନିଦିନ ଥିଲା । ଏ ବିଷୟ ଆଉ କାହାକୁ ମାଲୁମ ଥାଉ କି ନଥାଉ, ବିଜେପିର ନରେନ୍ଦ୍ର ମୋଦି, ଅମିତ ଶାହ ଓ ରାଜନାଥ ସିଂହଙ୍କୁ ମାଲୁମ ଥିଲା । ବିହାର ବିଧାନସଭାକୁ ଦୃଷ୍ଟିରେ ରଖି ‘ଅପରେସନ୍ ସିନ୍ଦୁର’ ଆରମ୍ଭ କରିବାକୁ ବାଧ୍ୟ ହୋଇଥିଲେ ନରେନ୍ଦ୍ର ମୋଦି । ଅପରେସନ୍ ସିନ୍ଦୁର’ ଘୋଷଣା ପୂର୍ବରୁ ଆମେରିକା ରାଷ୍ଟ୍ରପତି ଡୋନାଲ ଟ୍ରମ୍ପ ମଧ୍ୟସ୍ଥତା କଥା ଉଠାଇଥିଲେ । ମାତ୍ର ତାକୁ ନରେନ୍ଦ୍ର ମୋଦି ଶୁଣିଲେନି।
ଦେଶର ୧୪୩ କୋଟି ଜନତାଙ୍କ ହିରୋ ନରେନ୍ଦ୍ର ମୋଦି ଆତଙ୍କୀ ସଂଗଠନକୁ ଧମକାଇବା ପାଇଁ ଆରବ ସାଗରରେ ନୌସେନା ରଣାଭ୍ୟାସ ଆରମ୍ଭ କରିଦେଲେ । ଯୁଦ୍ଧ ସାଇରନ୍ ବାଜିଲେ କିପରି ସୁରକ୍ଷିତ ସ୍ଥାନକୁ ପଳାୟନ କରିବ । ସେ ସଂପର୍କରେ ସବୁ ରାଜ୍ୟର ଜନତାଙ୍କୁ ରୀତିମତ ତାଲିମ ଦିଆଗଲା । ଲୋକମାନେ ଭାବିଲେ ଏଥର ୫୬ ଇଂଚ ଛାତି କିଛି ଗୋଟିଏ ବଡ଼ କାରନାମା କରିବେ ନିଶ୍ଚିତ । ପିଓକେଟାକୁ ଭାରତକୁ ଫେରାଇ ଆଣିବେ ନଚେତ୍ ପାକିସ୍ତାନ ଭିତରେ ପଶି ମାସୁଦ ଆଝାରକୁ ମାଡ଼ି ବସିବେ। ମାତ୍ର ହେଲା କ’ଣ? ମେ’ ୭ ତାରିଖ ରାତି ଗୋଟାଏରେ କାପୁରୁଷଙ୍କ ଭଳି ପିଓକେ ଓ ପାକିସ୍ତାନରେ ଆଡ୍ଡା ଜମାଇଥିବା ଆତଙ୍କୀ ସଂଗଠନକୁ ଆକ୍ରମଣ କଲ । ୮ ତାରିଖ ସକାଳେ ସାରା ବିଶ୍ୱକୁ ଜଣାଇ ଦେଲ ଯେ ଭାରତ ପିଓକେ ଓ ପାକିସ୍ତାନ ଭିତରେ ପଶି ୯ଟି ଆତଙ୍କୀ ଆଡ୍ଡାକୁ ମାଟିରେ ମିଶାଇ ଦେଇଛ ।
ବିଜେପି ‘ଅପରେସନ୍ ସିନ୍ଦୁର’ର ସଫଳତା ଗାଇ ଗାଇ ସହର ବଜାର ଗାଁ ଗଣ୍ଡା ଦୁଲୁକାଉଥିଲା ବେଳେ ପାକିସ୍ତାନ ଆଡୁ ଆରମ୍ଭ ହୋଇଗଲା ଡ୍ରୋନ୍ ହମ୍ଲା । ଜେଟ୍ ହମ୍ଲା । ଭାରତୀୟ ସେନାବାହିନୀ ଜବାବୀ ହମ୍ଲା କଲେ । ପାକିସ୍ତାନ ଡ୍ରୋନ ଓ ଜେଟକୁ ଖସାଇ ଦେଲେ । ଭାରତ-ପାକିସ୍ତାନ ଭିତରେ ଅଘୋଷିତ ଯୁଦ୍ଧ ଆରମ୍ଭ ହୋଇଗଲା । ମୋଦିଙ୍କୁ ମୁଣ୍ଡରେ ବସାଇଥିବା ଗଣମାଧ୍ୟମ ଗୁଡ଼ିକ ଏଆଇ ଜରିଆରେ ଯୁଦ୍ଧ ସାଇରନ୍, କାନଫଟା ଗୁଳିଗୋଳା ଫୁଟିବାର ଶବ୍ଦ ବଜାଇ ବଜାଇ ୧୪୩ କୋଟି ଜନତାଙ୍କ ମନରେ ଭୟଙ୍କର ଯୁଦ୍ଧ ଧାରଣା ସୃଷ୍ଟି କଲେ। ମାତ୍ର ମୋଦିଙ୍କ ଗୁଣଗାନ କରୁଥିବା ମିଡ଼ିଆ ଭିତରୁ କେହି ଜଣେ ମଧ୍ୟ ଜାଣି ନଥିଲେ ଯେ ସେମାନଙ୍କ ହିରୋ ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ନିକଟରେ ଜିରୋ ହୋଇଯିବେ।
ଭାରତ-ପାକିସ୍ତାନ ଅଘୋଷିତ ଯୁଦ୍ଧକୁ ଦେଖି ରୁଷିଆ ରାଷ୍ଟ୍ରପତି ପୁଟିନ କୋଣଠେସା ଦେଲେ । ତୁର୍କୀ, ଆଜର ବାଇଜାନ ଓ ଚୀନ ଖୋଲାଖୋଲି ପାକିସ୍ତାନ ପକ୍ଷରେ ରହି ଯୁଦ୍ଧ କରିବାକୁ ସଂକେତ ଦେଲେ। ଡୋନାଲ୍ଡ ଟ୍ରମ୍ପ କାଳବିଳମ୍ବ ନକରି ସୋସିଆଲ ମିଡିଆରେ ଭାରତ-ପାକିସ୍ତାନ ଅସ୍ତ୍ରବିରତି ବିଷୟ ଘୋଷଣା କରିଦେଲେ । ୯ ତାରିଖ ରାତିଟା ଭାରତର ନରେନ୍ଦ୍ର ମୋଦି ଓ ପାକିସ୍ତାନର ଶେହବାଜ ଶରିଫଙ୍କୁ ବୁଝାଇ ବୁଝାଇ ଟ୍ରମ୍ପ ନାକେଦମ୍ ହୋଇଯାଇଛନ୍ତି ବୋଲି ସୋସିଆଲ ମିଡିଆରେ ଲେଖିଲେ । ବହୁତ ବୁଝାଇ ସୁଝାଇ ଭାରତ-ପାକିସ୍ତାନକୁ ଯୁଦ୍ଧ ବିରାମ ପାଇଁ ରାଜି କରି ପାରିଛନ୍ତି ଲେଖିବାର କିଛି ଘଂଟା ପରେ ଭାରତ ଯୁଦ୍ଧ ବନ୍ଦ କରିଦେଲା । ମାତ୍ର ପାକିସ୍ତାନ ଆଡୁ ଡ୍ରୋନ୍ ହମ୍ଲା ଚାଲିଥିଲା।
ଭାରତ ଆଡୁ ଗୁଳିଗୋଳା ଶବ୍ଦ ବନ୍ଦ ହେବା ଶୁଣିବା ପରେ ପାକିସ୍ତାନ ଥଣ୍ଡା ପଡ଼ିଲା। ବାବୁ ନରେନ୍ଦ୍ର ମୋଦି, ଥାଉ ଆଉ ଯୁଦ୍ଧ କରି ଲୋକହସା ହେବା ଦରକାର ନାହିଁ । ଆପଣଙ୍କ ମରଦ ପଣିଆ ଆମେ ଜାଣିଲ । ଆଉ ପ୍ରଧାନମନ୍ତ୍ରୀ ପଦରେ ରହି ଭାରତ ମୁଣ୍ଡକୁ ବିଦେଶ ନିକଟରେ ଜୋର ଜବରଦସ୍ତ ତଳକୁ ମାଡ଼ିବା ଦରକାର ନାହିଁ । ଭାରତର ୧୪୩ କୋଟି ଲୋକ ଭାରତ ମୁଣ୍ଡକୁ ପାଗଳ ଟ୍ରମ୍ପ ନିକଟରେ ନଇଁବାକୁ ରାଜି ନୁହନ୍ତି । ଆମ ଦେଶକୁ ଆମ ହାତରେ ଛାଡ଼ି ବିଶ୍ରାମ କରୁ ବିଜେପି।