ୟୁପି ରାଜନୀତିରେ ରାହୁଲଙ୍କର ଅଢେ଼ଇ କଦମ

ଲକ୍ଷନୌ: ଚେସ୍‌ବୋର୍ଡ ଉପରେ ମନ୍ତ୍ରୀ ପରି ଘୋଡ଼ା ସବୁଆଡ଼କୁ ଗତି ନକଲେ ମଧ୍ୟ ଅଢେ଼ଇ ପାହୁଣ୍ଡ ପକାଇ ଚକ୍ରବ୍ୟୁହ ତିଆରି କରିପାରେ । କଂଗ୍ରେସର ଭାରତ ଜୋଡେ଼ା ଯାତ୍ରାର ନେତୃତ୍ୱ ନେଇ ରାହୁଲ ଗାନ୍ଧୀ ୟୁପି ରାଜନୀତିକୁ ସରଗରମ କରିଛନ୍ତି । ୟୁପି ରାଜନୀତି ଏବେ ଅଖିଳେଶ ଯାଦବ ଓ ଯୋଗୀ ଆଦିତ୍ୟନାଥ ହାତରେ । ଦୀର୍ଘ ୩୦ ବର୍ଷ ହେଲାଣି ୟୁପି କ୍ଷମତାକୁ ହାତଛଡ଼ା କରିଛି କଂଗ୍ରେସ । କଂଗ୍ରେସକୁ କ୍ଷମତାଚ୍ୟୁତ କରିବା ପଛରେ ମୁଲାୟମ ସିଂହ ଯାଦବ ଓ ମାୟାବତୀଙ୍କ ଅବଦାନ ଗୁରୁତ୍ୱପୂର୍ଣ୍ଣ । ଏବେ ୟୁପି ରାଜନୀତିରେ ଅଖିଳେଶ ଯାଦବ ଓ ଯୋଗୀ ଆଦିତ୍ୟନାଥଙ୍କ କାଟ୍‌ତି ରହିଛି।

ଭାରତ ଜୋଡେ଼ା ଯାତ୍ରା ୟୁପି ମଇଦାନ ଛାଡ଼ି ହରିଆଣାରେ ପ୍ରବେଶ କରିଛି । ରାହୁଲ ୟୁପି ଛାଡ଼ିବା ପରେପରେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କ ଅକଲ ଗୁଡୁମ ହୋଇଯାଇଛି । ୟୁପିରେ ଅଢେ଼ଇ ଦିନ ଅଭିଯାନ କରି ରାହୁଲ ୟୁପି କଂଗ୍ରେସକୁ ଅକ୍ସିଜେନ୍‌ ଯୋଗାଣ କରିଛନ୍ତି । ରାହୁଲଙ୍କ ଭାରତଜୋଡେ଼ା ଯାତ୍ରାରୁ ଫାଇଦା ଉଠାଇବା ପାଇଁ ୟୁପି କଂଗ୍ରେସର ତୁଙ୍ଗ ନେତାମାନେ ଅଂଟା ଭିଡିଛନ୍ତି ।

ୟୁପିରେ ରାହୁଲଙ୍କର ଅଢେ଼ଇ ଦିନ ରହଣି ୨୦୨୪ ନିର୍ବାଚନ ପାଇଁ ମୂଳଦୁଆ ପକାଇଛି । ୟୁପିର ମୁସଲିମ ସମୁଦାୟ ଏବେ ରାହୁଲଙ୍କ ପାଦରେ ପାଦ ମିଳାଇ ଚାଲିଛନ୍ତି । ମୁସଲିମ ଭୋଟ ବଳରେ ସମାଜବାଦୀ ପାର୍ଟି ୟୁପି ରାଜନୀତିକୁ ମାଡ଼ି ବସିଛି । ଆଜମ ଖାନଙ୍କୁ କୋଣଠେସା କରି ଅଖିଳେଶ ଯାଦବ କ୍ରମେ ମୁସଲିମ ପରିବାରଙ୍କ ଭରସା ହରାଉଛନ୍ତି । ଏପରି ସମୟରେ ରାହୁଲଙ୍କ ସହ ମୁସଲିମ ନେତାମାନେ ହାତ ମିଳାଇବା ଅଖିଳେଶଙ୍କ ପାଇଁ ଅଡୁଆ ସୃଷ୍ଟି କଲାଣି । ରାଜ୍ୟର ମୁସଲିମ ଭୋଟରଙ୍କୁ ମନାଇବା ପାଇଁ ଅଖିଳେଶ ନୂଆ ଚାଲ ନଖେଳିଲେ, ରାଜନୀତିରୁ ସନ୍ନ୍ୟାସ ନେବା ସୁନିଶ୍ଚିତ।