‘ଚଳନ୍ତି ମୁଖ୍ୟମନ୍ତ୍ରୀ ଭିକେ ପାଣ୍ଡିଆନ’

ଭୁବନେଶ୍ୱର: ଶ୍ରୀମନ୍ଦିରରେ ମହାପ୍ରଭୁ ଜଗନ୍ନାଥଙ୍କ ଅଧିକାଂଶ ନୀତିକାନ୍ତି ସମୟରେ ତାଙ୍କ ଚଳନ୍ତି ପ୍ରତିମା ମଦନମୋହନଙ୍କୁ ଲୋଡ଼ା ଯାଇଥାଏ । ଓଡ଼ିଶାର ପାଣିପବନରେ ଏଭଳି ବିଧି ଓ ପରମ୍ପରା ଚଳିଆସିଛି । ତେଣୁ ସାମ୍ବିଧାନିକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ଥାନରେ ତାଙ୍କ ଚଳନ୍ତି ମୁଖ୍ୟମନ୍ତ୍ରୀ ଭିକେ ପାଣ୍ଡିଆନ ବିଭିନ୍ନ ଅଂଚଳକୁ ଗସ୍ତ କଲେ କଂଗ୍ରେସକୁ କାହିଁକି ବାଧୁଛି ବୋଲି ରାଷ୍ଟ୍ରୀୟ ପରିବର୍ତନ ଦଳ ମତାମତ ପ୍ରକାଶ କରିଛି ।

ବୟସାଧିକ କାରଣରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁ ଅଂଚଳକୁ ତୁଫାନୀ ଗସ୍ତ କରିବା ସମ୍ଭବ ନୁହେଁ । ତେଣୁ ତାଙ୍କ ପ୍ରତିନିଧି ଭିକେ ପାଣ୍ଡିଆନ ବିଭିନ୍ନ ଅଂଚଳ ଗସ୍ତ କରି ବିକାଶ କାମ ସମୀକ୍ଷା କରୁଛନ୍ତି । ଆବଶ୍ୟକ ସ୍ଥଳେ ପରାମର୍ଶ ଦେଉଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ତରଫରୁ ସେ ଗସ୍ତ କରୁଥିବାରୁ ମୁଖ୍ୟମନ୍ତ୍ରୀଙ୍କ ଭଳି ସୁରକ୍ଷା ବ୍ୟବସ୍ଥା ଓ ଗସ୍ତ ସୁବିଧା ପାଇବା ପାଇଁ ସେ ହକଦାର।

ଚଳନ୍ତି ମୁଖ୍ୟମନ୍ତ୍ରୀ ପାଣ୍ଡିଆନଙ୍କ ଗସ୍ତକୁ ଆଧାର କରି କଂଗ୍ରେସ ଏପରି ଗର୍ଜନ ତର୍ଜନ କରିବା ଦରକାର ନାହିଁ ବୋଲି ରାଷ୍ଟ୍ରୀୟ ପରିବର୍ତନ ଦଳ ନେତା ସୀତାରାମ ବେହେରା କହିଛନ୍ତି । ଆରପିଡି ମତରେ ଓଡ଼ିଶାର ଚଳନ୍ତି ମୁଖ୍ୟମନ୍ତ୍ରୀ ଭିକେ ପାଣ୍ଡିଆନଙ୍କୁ ବିଜେଡିର ସବୁ ବିଧାୟକ ଓ ସାଂସଦ ଆଦର ସକ୍ରାର କରୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଦର୍ଶନ କରିବାକୁ ହେଲେ ପ୍ରଥମେ ପାଣ୍ଡିଆନଙ୍କ ଅନୁମତି ଜରୁରୀ।

ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦ ପାଇବାକୁ ହେଲେ ପ୍ରଥମେ ପାଣ୍ଡିଆନଙ୍କୁ ଖୁସି କରିବାକୁ ପଡ଼ିବ । ପାଣ୍ଡିଆନଙ୍କୁ ଅସନ୍ତୁଷ୍ଟ କରିବା ଅର୍ଥ ମୁଖ୍ୟମନ୍ତ୍ରୀଙ୍କ ବିଷଦୃଷ୍ଟିରେ ପଡ଼ିବା । କଂଗ୍ରେସର ବହୁ ନେତା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହଳିଆ । ତେଣୁ କଂଗ୍ରେସର ରାଜ୍ୟ ମୁଖିଆ ଶରତ ପଟ୍ଟନାୟକ ଯେତେ ବୋବାଳି ଛାଡ଼ିଲେ ତା’ର କିଛି ପ୍ରଭାବ ପଡ଼ିବନି।

ବେଶି ବୋବେଇଲେ ପୁଲିସ ପଠାଇ ଶରତ ପଟ୍ଟନାୟକଙ୍କୁ ବାନ୍ଧି ଦେବାକୁ ପାଣ୍ଡିଆନ ସାରଙ୍କୁ ବେଶି ସମୟ ଲାଗିବନି । ଏମିତି ପୁଲିସ ପଠେଇ ପାଣ୍ଡିଆନ ସାର ଓଡ଼ିଶାର ମିଡ଼ିଆ ଜଗତକୁ ନିୟନ୍ତ୍ରଣ କରି ସାରିଲେଣି । ରାଜ୍ୟର କୌଣସି ମିଡିଆ ହାଉସ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ପଦୁଟେ ଲେଖିବାକୁ ସାହସ କରୁନାହାନ୍ତି।

ମିଡିଆକୁ କିପରି ନିୟନ୍ତ୍ରଣ କରିବାକୁ ପଡେ଼, ସେ ବିଷୟ କଂଗ୍ରେସ ଭଲ କରି ଜାଣିଛି । ଅତୀତରେ କଂଗ୍ରେସ ରାଜ୍ୟ କ୍ଷମତାରେ ଥିବାବେଳେ ଛବିରାଣୀ ହତ୍ୟାକାଣ୍ଡ ଭଳି ଜଘନ୍ୟ ମାମଲାକୁ ତକ୍ରାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ପଟ୍ଟନାୟକ କରାଇଥିଲେ । କଂଗ୍ରେସର କଳଙ୍କିତ ଶାସନରେ ଅତିଷ୍ଠ ହୋଇ ରାଜ୍ୟବାସୀ ବିଜେଡିକୁ ବାଛି ନେଇଛନ୍ତି।