ନବୀନବାବୁଙ୍କ ଚେର କାଟୁଛି ଟାଟା ପାୱାର

‘ଟାଟା ପାୱାର ଗୋ ବ୍ୟାକ୍‌’କୁ ୭ ଲକ୍ଷ ସମର୍ଥକ..

ଭୁବନେଶ୍ୱର: ‘ଟାଟା ପାୱାର ଗୋ ବ୍ୟାକ୍‌’ ପ୍ରତି ବିଜୁଳି ଉପଭୋକ୍ତାଙ୍କ ସମର୍ଥନ କ୍ରମେ ୭ ଲକ୍ଷ ଟପିଛି । ଟାଟା ପାୱାର ବିରୋଧରେ ଅଭିଯାନ ଚଳାଇ ରାଷ୍ଟ୍ରୀୟ ପଛୁଆ ବର୍ଗ ମହାସଂଘ ଇତିମଧ୍ୟରେ ୭ ଲକ୍ଷ ଲୋକଙ୍କ ନିକଟତର ହୋଇପାରିଛି । ଖାଲି ସେତିକି ନୁହେଁ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭୋଟବ୍ୟାଙ୍କରୁ ୭ ଲକ୍ଷ ଭୋଟରଙ୍କୁ ଏନ୍‌ୟୁବିସି ମନାଇପାରିଛି । ନବୀନବାବୁଙ୍କ ଗୁଣ ଗାଇଗାଇ ଟାଟା ପାୱାର ଉପଭୋକ୍ତାଙ୍କୁ ବିଭିନ୍ନ ବାଟରେ ଶୋଷଣ କରୁଛି । ପରିଣାମ ସ୍ୱରୂପ ନବୀନବାବୁଙ୍କ ଲୋକପ୍ରିୟତା କ୍ରମେ ହ୍ରାସ ପାଇବାକୁ ଲାଗିଛି ।

ବେଳ ଥାଉଥାଉ ନବୀନବାବୁ ସଚେତନ ନହେଲେ, ଟାଟା ଗ୍ରୁପ ହିଁ ନବୀନବାବୁଙ୍କ ପାଇଁ କାଳ ହେବ । ୨୦୨୪ ସାଧାରଣ ନିର୍ବାଚନରେ ଏନ୍‌ୟୁବିସି ଯେଉଁ ଦଳକୁ ସମର୍ଥନ କରିବ, ସେ ହିଁ ଓଡ଼ିଶାକୁ ଶାସନ କରିବ ବୋଲି ଏନ୍‌ୟୁବିସି ରାଜ୍ୟ ସମ୍ପାଦକ ସୀତାରାମ ବେହେରା କହିଛନ୍ତି । ତାଙ୍କ ମତରେ ଟାଟା ପାୱାର ପାଇଁ ନବୀନବାବୁ ରାଜକୋଷ ଖୋଲି ଦେଇଛନ୍ତି । ଭିତିଭୂମି ବିକାଶର ଆଳ ଦେଖାଇ ରାଜକୋଷରୁ କୋଟିକୋଟି ଟଙ୍କା ଯାଉଛି ଟାଟା ପାୱାର ପକେଟକୁ । ସେହି ଟଙ୍କାରେ ବେପାର କରି ଟାଟା ପାୱାର ବିଜେଡି ପାଣ୍ଠିକୁ ମୋଟା ଅଙ୍କର ଚାନ୍ଦା ଦେବାକୁ ଅଙ୍ଗୀକାରବଦ୍ଧ ହୋଇଛି ।

ରିଲାଏନ୍ସ ଅମଳର ଦଦରା ତାର ଓ ପୁରୁଣା ଟ୍ରାନ୍ସଫର୍ମରକୁ କୌଣସି ମତେ ବ୍ୟବହାର କରି ଉପଭୋକ୍ତାଙ୍କଠାରୁ ବିଜୁଳି ଦେୟ ଆଦାୟ କରି ‘ଆପେ ବଂଚିଲେ ବାପାର ନାଁ’ ହେଉଛି ଟାଟା ପାୱାର’ର ଅସଲ ଉଦ୍ଦେଶ୍ୟ । ବିଶେଷ କରି ଅଘୋଷିତ ବିଜୁଳି କାଟ ପ୍ରତି ଲୋକଙ୍କ ମନରେ ଅସନ୍ତୋଷ ଦିନକୁ ଦି ବୃଦ୍ଧି ପାଉଛି ।

ଟାଟା ପାୱାରକୁ ଓଡ଼ିଶାରୁ ହଟାଇବା ପାଇଁ ଏନ୍‌ୟୁବିସି ପକ୍ଷରୁ ‘ଟାଟା ପାୱାର ଗୋ ବ୍ୟାକ୍‌’ ଅଭିଯାନ ଆରମ୍ଭ କରାଯାଇଛି । ଏହି ମହାସଂଘ ଓଡ଼ିଶାର ୧୪୭ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ବୁଲି ଲୋକଙ୍କ ମତାମତ ସଂଗ୍ରହ କରୁଛି ।