Terrorist Attack in India : ‘ଆଗାମୀ ଦିନରେ ଭାରତରେ ଆତଙ୍କୀ ହମ୍ଲା ପାଇଁ ଦାୟୀ ରହିବ ବିଜେପି’
Terrorist Attack in India : ମାତ୍ର ତିନିଦିନ ଭିତରେ ମୋଦିଙ୍କ ଚାର୍ଜ ଖତମ ହୋଇଗଲା । ମୋଦିଙ୍କ ଚାର୍ଜକୁ ଖତମ କରିଦେଲେ ଟ୍ରମ୍ପ । ୟେ ସେଇ ଟ୍ରମ୍ପ । ଯାହାକୁ ମୁଣ୍ଡରେ ବସାଇଛନ୍ତି ନରେନ୍ଦ୍ର ମୋଦି । ୟେ ସେଇ ଟ୍ରମ୍ପ ଯିଏ ନରେନ୍ଦ୍ର ମୋଦିଙ୍କୁ ହ୍ୱାଇଟ୍ ହାଉସ୍ରେ ଅପମାନିତ କରିଥିଲେ । ୟେ ସେଇ ଟ୍ରମ୍ପ, ଯିଏ ଭାରତର ମାଟି ପାଣି ପବନ ଲୁଟିବାକୁ ବିଜେପି ବ୍ୟବସାୟୀଙ୍କ ନିକଟରୁ ଲାଇସେନ୍ସ ପାଇଛନ୍ତି ।
ଆରେ ବିଜେପିର କଥା କୁହାଳିଆ ନେତାଗଣ, ଆପଣଙ୍କର ଦଳର ଅସଲ ଚେହେରା ଆଉ କାହାକୁ ଅଛପା ନାହିଁ । ବିଜେପି ମୁକେଶ ଅମ୍ବାନୀ, ଗୌତମ ଆଦାନୀ ଭଳି ବ୍ୟବସାୟୀଙ୍କ ବ୍ୟକ୍ତିଗତ ସ୍ୱାର୍ଥ ନିକଟରେ ଦେଶର ଗୌରବକୁ ବଳି ପକାଇ ପାରନ୍ତି ।
ଧାରା ୩୭୦ ଉଚ୍ଛେଦ କରିଦେଲେ ଜମ୍ମୁ-କଶ୍ମୀରକୁ ଆତଙ୍କୀ କବଳରୁ ମୁକ୍ତ କରିବା ସହଜ ହେବ ବୋଲି ମୁହଁ ଫୁଟାଣି ମାରିଲ । ଧାରା ୩୭୦ ଉଚ୍ଛେଦ କଲ । ମେହବୁବା ମୁଫତି, ଓମାର ଅବଦୁଲ୍ଲା, ଫାରୁକ ଅବଦୁଲ୍ଲାଙ୍କ ଭଳି କିଛି ନେତାଙ୍କୁ ବେଶ କିଛି ମାସ ଧରି ଗୃହବନ୍ଦୀରେ ରଖିଲ ।
ଜମ୍ମୁ-କଶ୍ମୀରକୁ ଆତଙ୍କୀ ମୁକ୍ତ ଘୋଷଣା କରି ଭାରତର ୧୪୩ କୋଟି ଜନତାଙ୍କ ମନରେ ବିଶ୍ୱାସ ଜନ୍ମାଇଲ । ଭାରତର ଅନ୍ୟ ରାଜ୍ୟର ଲୋକମାନେ ନିର୍ଭୟର ସହିତ ଜମ୍ମୁ-କଶ୍ମୀର ଭିତରେ ଥିବା ପର୍ଯ୍ୟଟନ ସ୍ଥଳକୁ ବୁଲିବାକୁ ଯାଇପାରନ୍ତି ବୋଲି ଏକ ବିଶ୍ୱାସ ଜନ୍ମାଇଲ ।
ପରିଣାମ ସ୍ୱରୂପ ଏପ୍ରିଲ ୨୨ ତାରିଖରେ ୨୬ ଜଣ ମହିଳାଙ୍କ ମୁଣ୍ଡରୁ ସିନ୍ଦୁର ଉଡ଼ିଗଲା । ଧାରା ୩୭୦ ଉଚ୍ଛେଦ କରିବା ପରେପରେ ଜମ୍ମୁ-କଶ୍ମୀରର ଯୋଉ ଇଲାକାରେ ମାଳ ମାଳ ଅର୍ଦ୍ଧସାମରିକ ବାହିନୀ ଯବାନଙ୍କୁ ଦେଖିବାକୁ ମିଳୁଥିଲା । ସେମାନଙ୍କ ଭିତରୁ ଜଣେ ଯବାନ ନଥିଲେ ପହଲଗାମ ରକ୍ତପୀଠରେ ।
କ’ଣ ପାଇଁ ପହଲଗାମ ପର୍ଯ୍ୟଟନ ସ୍ଥଳରେ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଗଲାନି? ସେଭଳି ସମ୍ବେଦନଶୀଳ ପ୍ରଶ୍ନର ଜବାବ ନ ଦେଇ ବିଜେପି ନେତା ନରେନ୍ଦ୍ର ମୋଦି ବିହାର ଜନସଭାରେ ଆତଙ୍କୀ ସଂଗଠନ ବିରୋଧରେ କଡ଼ା ପ୍ରତିଶୋଧ ନେବାକୁ ସଂକଳ୍ପବଦ୍ଧ ହେଲେ ।
‘ଅପରେସନ୍ ସିନ୍ଦୁର’ ତା’ ଲକ୍ଷ୍ୟସ୍ଥଳରେ ପହଂଚି ସାରିଛି ବୋଲି ବିଜେପି ମୁଖପାତ୍ର ସମ୍ବିତ ପାତ୍ର କହିଛନ୍ତି ।
ପହଲଗାମରେ ଆତଙ୍କୀ ହମ୍ଲା ପାଇଁ ବିଜେପି ନିଜର ଦୋଷକୁ ସ୍ୱୀକାର କଲାନି, ବରଂ ଆତଙ୍କୀ କାଣ୍ଡ ଭିଆଇଥିବା ସଂଗଠନକୁ ଖୋଜି ଖୋଜି ମାରିବା ବିଷୟ କହିଲା । ନିଜ ଦୋଷକୁ ସ୍ୱୀକାର କରିବାର ସାହସ ହରାଇଥିବା ବିଜେପି ଭାରତକୁ ଏକ ଯୁଦ୍ଧ ଘନଘଟା ଭିତରକୁ ଟାଣି ନେଇଗଲା ।
ଆତଙ୍କୀ ସଂଗଠନ ବିରୋଧରେ ଅପରେସନ୍ ସିନ୍ଦୁର ଅଭିଯାନ ଧିରେ ଧିରେ ଭାରତ-ପାକିସ୍ତାନ ଯୁଦ୍ଧ ରୂପ ନେଇଗଲା । ପରିଣାମ ଏପରି ହେଲା ଯେ ତୁର୍କୀ ମନ୍ତ୍ରୀ ପାକିସ୍ତାନକୁ ଧାଇଁ ଆସିଲେ । ରୁଷିଆ ଭାରତକୁ ଖୋଲାଖୋଲି ସମର୍ଥନ କରିବାକୁ ଲାଞ୍ଜ ଜାକିଲା । ଆମେରିକା ମଧ୍ୟସ୍ଥତା କରିବାକୁ ଆଗ୍ରହ ପ୍ରକାଶ କଲା । ଚୀନ ପାକିସ୍ତାନକୁ ସମର୍ଥନ କରି ଯୁଦ୍ଧ ମଇଦାନକୁ ଓହ୍ଲାଇବାକୁ ଘୋଷଣା କଲା । ମେ’ ୯ ତାରିଖ ରାତିରେ ଚୀନ ଓ ପାକିସ୍ତାନ ଆଲୋଚନାଟି ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ନିଦ ହଜାଇ ଦେଲା ।
ସେ ଶୋଇବା ଛାଡ଼ି ପ୍ରଧାନମନ୍ତ୍ରୀ ମୋଦିଙ୍କ କାନରେ ସେଇ କଥାଟି ପକାଇଦେଲେ, ଗଲୱାନ ଇଲାକାରେ ଚୀନର କାରନାମାକୁ ଦେଖି ମୋଦିଙ୍କ ସାହସ ପାଇଲାନି ଭାରତ-ପାକିସ୍ତାନ ଯୁଦ୍ଧକୁ ଆଉ ଆଗକୁ ଗଡ଼ାଇବା ପାଇଁ ।
‘ଅପରେସନ୍ ସିନ୍ଦୁର’ ସଫଳ ହୋଇଛି ବୋଲି ବିଜେପି ମୁଖପାତ୍ର ସମ୍ବିତ ପାତ୍ର ଯେତେ ଦାବି କଲେ କ’ଣ ହେବ, ବିଜେପି ଭଳି ବେପାରୀ ଦଳ ଆଉ ଅଧିକ ଦିନ ଧରି କ୍ଷମତାରେ ରହିବା ଅନୁଚିତ ବୋଲି ଦେଶସାରା ଏକ ଧାରଣା ସୃଷ୍ଟି ହୋଇସାରିଛି ।
ଏପ୍ରିଲ ୨୨ ତାରିଖରେ ଜମ୍ମୁ-କଶ୍ମୀର ଅନ୍ତର୍ଗତ ପହଲଗାମ ପର୍ଯ୍ୟଟନ ସ୍ଥଳରେ ୨୬ ଜଣ ନିରୀହ ପର୍ଯ୍ୟଟକଙ୍କ ବଳିଦାନ ଜବାବରେ ମେ’ ୭ ତାରିଖ ବିଳମ୍ବିତ ରାତିରୁ ଆରମ୍ଭ କରାଯାଇଥିବା ‘ଅପରେସନ୍ ସିନ୍ଦୁର’ ତିନିଦିନ ପରେ ଅର୍ଥାତ୍ ମେ’ ୧୦ ତାରିଖ ଅପରାହ୍ଣ ୫ଟାରେ ବନ୍ଦ କରି ଦିଆଯିବା ଘଟଣା ସାରା ଭାରତବର୍ଷର ୧୪୩ କୋଟି ଜନତାଙ୍କ ମନରେ ନାନା ପ୍ରଶ୍ନ ସୃଷ୍ଟି କରିଛି । ସେ ପ୍ରଶ୍ନଗୁଡ଼ିକ ବିଜେପିର ଦେଶପ୍ରେମକୁ ବିଦ୍ରୁପ କରୁଛି ।