ପଂଚାୟତ ନିର୍ବାଚନ ନକରାଇବାର ଷଡଯନ୍ତ୍ର କରୁଛନ୍ତି ରାଜ୍ୟ ସରକାର : ଡ.ଲେଖାଶ୍ରୀ

ତୃଟିପୂର୍ଣ୍ଣ ‘ରିଜର୍ଭେସନ ଷ୍ଟାଟସ୍‌’ ପ୍ରସ୍ତୁତ କରି ପଂଚାୟତ ନିର୍ବାଚନ ନକରାଇବାର ଷଡଯନ୍ତ୍ର କରୁଛନ୍ତି ରାଜ୍ୟ ସରକାର : ଡ.ଲେଖାଶ୍ରୀ ସାମନ୍ତସିଂହାର

*ଏସଟି, ଏସସି, ଓବିସି ଓ ମହିଳା ସଂରକ୍ଷଣରେ ବ୍ୟାପକ ପାତରଅନ୍ତର କରାଯାଇଛି
*ସମ୍ବିଧାନିକ ଉଲ୍ଲଂଘନକାରୀ ରାଜ୍ୟସରକାର ଓ ତାଲିକା ପ୍ରସ୍ତୁତିରେ ସଂପୃକ୍ତ ଥିବା ସରକାରୀ ଅଧିକାରୀଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବୀ

ଭୁବନେଶ୍ୱର,(ସାକ୍‌ସୀ ନ୍ୟୁଜ୍‌)ତା.୦୯/୧୦: ପଂଚାୟତ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ ଆୟୋଗ ରାଜ୍ୟ ସରକାରଙ୍କୁ ପ୍ରକ୍ରିୟା ଆରମ୍ଭ କରିବା ପାଇଁ ନିର୍ଦ୍ଦେଶ ଦେଲେ । ପଂଚାୟତ ନିର୍ବାଚନକୁ ସଠିକ୍‌ ଭାବେ ପରିଚାଳନା କରିବା ଉଭୟ ରାଜ୍ୟ ସରକାର ଏବଂ ନିର୍ବାଚନ ଆୟୋଗଙ୍କ ଦାୟିତ୍ୱ । ବାଧ୍ୟବଧକତାରେ ରାଜ୍ୟ ସରକାର ବିଜ୍ଞପ୍ତି ପ୍ରକାଶ କଲେ । ଗତ ୮ ତାରିଖ ସୁଦ୍ଧା ଜିଲ୍ଲାପଳମାନେ ନିଜ ନିଜ ଜିଲ୍ଲାର ଡିଭିଜନ ଓ ସଂରକ୍ଷଣ ପ୍ରସଙ୍ଗରେ ‘ରିଜର୍ଭେସନ ଷ୍ଟାଟସ୍‌’ ତାଲିକା ସର୍ବସାଧାରଣରେ ଘୋଷଣା କରିବାକୁ ଧାର୍ଯ୍ୟ ହୋଇଥିଲା ।‘ରାଜ୍ୟ ପଂଚାୟତ ଆଇନ’ ଅନୁଯାୟୀ କୈାଣସି ତୃଟି ଥିଲେ ଅଭିଯୋଗକାରୀମାନେ ଆଗାମୀ ୭ ଦିନ ଅର୍ଥାତ ଆସନ୍ତା ଅକ୍ଟୋବର ୧୬ ତାରିଖ ସୁଦ୍ଧା ସଂଶୋଧନ ପାଇଁ ଅଭିଯୋଗ କରିପାରିବେ । ମାତ୍ର ଗତକାଲି ବିଳମ୍ବିତ ରାତି ସୁଦ୍ଧା ମାତ୍ର ୨୦ଟି ଜିଲ୍ଲାର ତାଲିକା ଘୋଷଣା କରାଯାଇଥିବାବେଳେ ୧୦ଟି ଜିଲ୍ଲାର ଘୋଷଣା କରାଯାଇନଥିଲା । ଅନ୍ୟପଟେ ଶନିବାର, ରବିବାର ଓ ଦୁର୍ଗାପୁଜା ଛୁଟିଜନିତ ସରକାରୀ କାର୍ଯ୍ୟାଳୟ ବନ୍ଦ ରହୁଥିବାରୁ ଅଭିଯୋଗ ସଂକ୍ରାନ୍ତ ମାମଲା ବାଧାପ୍ରାପ୍ତ ହେବ । ଚଂଚକତା କରି ପଂଚାୟତ ନିର୍ବାଚନକୁ ହାତେଇବା ପାଇଁ ଶାସକ ବିଜେଡି ପ୍ରଥମରୁ ପ୍ରକ୍ରିୟା ଆରମ୍ଭ କରିଦେଇଛି ବୋଲି ବିଜେପି ରାଜ୍ୟ ସାଧାରଣ ସଂପାଦକ ଡ.ଲେଖାଶ୍ରୀ ସାମନ୍ତସିଂହାର ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି ।
ଜନସମର୍ଥନ କମୁଥିବାର ଭୟ ଥିବାରୁ ଶାସକ ବିଜେଡି ଭିନ୍ନ ଭିନ୍ନ ସମୟରେ ବିଭିନ୍ନ ଆଳ କରି ପ୍ରଥମେ ପୈାର ନିର୍ବାଚନ ଏବଂ ବର୍ତମାନ ପଂଚାୟତ ନିର୍ବାଚନକୁ ଘୁଚାଂଇବାର ବାହାନା କରିଆସୁଛନ୍ତି ।ଏପରିକି ନିର୍ବାଚନ ନକରାଇବାର ମନସ୍ଥ କରିସାରିଥିଲେ । ନ୍ୟାୟାଳୟର ହସ୍ତକ୍ଷେପ କାରଣରୁ ନିର୍ବାଚନ କରିବା ପାଇଁ ରାଜ୍ୟ ସରକାର ବାଧ୍ୟ ହେଲେ । ପଂଚାୟତ ନିର୍ବାଚନରେ ସଂରକ୍ଷଣ ବ୍ୟବସ୍ଥାର ଅଧିକାରୀ ହେଲେ ରାଜ୍ୟ ସରକାର । କିନ୍ତୁ ମନ୍ଦ ଉଦ୍ଦେଶ୍ୟ ରଖିଥିବା ରାଜ୍ୟ ସରକାର ଗତ ବିଧାନସଭା ଅଧିବେସନରେ ନୂତନ ବିଧେୟକ ଆଣି ଏହି କ୍ଷମତାକୁ ଜିଲ୍ଲାପାଳଙ୍କ ଅଧିନରେ ଆଣିଲେ । ଏପରିକି ଶାସକ ବିଜେଡି ନେତାମାନଙ୍କ ସହ ଆଲୋଚନା କରି ସଂରକ୍ଷଣ ବ୍ୟବସ୍ଥା ସ୍ଥିର କରିବାକୁ ନିର୍ଦ୍ଦେଶ ମଧ୍ୟ ଦେଲେ ବୋଲି ଡ.ଲେଖାଶ୍ରୀ ଅଭିଯୋଗ କରିଛନ୍ତି ।
ଜିଲ୍ଲାୱାରୀ ‘ରିଜର୍ଭେସନ ଷ୍ଟାଟସ୍‌’ ତାଲିକାକୁ ଅନୁଧ୍ୟାନ କଲେ ଏହା ସ୍ପଷ୍ଟ ପ୍ରମାଣିତ ହେଉଛି ଯେ, ଶାସକ ବିଜେଡିର ପ୍ରତ୍ୟକ୍ଷ ଇଙ୍ଗିତରେ ତାଲିକା ପ୍ରସ୍ତୁତ କରାଯାଇଛି । ତୃଟିପୂର୍ଣ୍ଣ ‘ରିଜର୍ଭେସନ ଷ୍ଟାଟସ୍‌’ ପ୍ରସ୍ତୁତ କରି ପଂଚାୟତ ନିର୍ବାଚନ ନକରାଇବାର ଷଡଯନ୍ତ୍ର କରୁଛନ୍ତି ରାଜ୍ୟ ସରକାର । ଏସଟି, ଏସସି, ଓବିସି ଓ ମହିଳା ସଂରକ୍ଷଣରେ ବ୍ୟାପକ ପାତରଅନ୍ତର କରାଯାଇଛି ।ସାଧାରଣ ଓଡିଶାବାସୀଙ୍କ ସ୍ୱାର୍ଥକୁ ଅଣଦେଖା କରି କେବଳ ଦଳୀୟ ସ୍ୱାର୍ଥ ପାଇଁ ଶାସକ ବିଜେଡି ଯେଉଁ ସମ୍ବିଧାନିକ ଉଲ୍ଲଂଘନ କରିଛନ୍ତି, ଏହା ଅତ୍ୟନ୍ତ ନିନ୍ଦନୀୟ । ରାଜ୍ୟ ସରକାରଙ୍କ ଏଭଳି ହୀନ ଚକ୍ରାନ୍ତକୁ ଆମେ ବିରୋଧ କରୁଛୁ ଏବଂ ଏ ସଂକ୍ରାନ୍ତରେ ଆମେ ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ଅବଗତ କରାଇଛୁ । ସମ୍ବିଧାନିକ ଉଲ୍ଲଂଘନକାରୀ ରାଜ୍ୟସରକାର ଓ ଏଥିରେ ସଂପୃକ୍ତ ଥିବା ସରକାରୀ ଅଧିକାରୀଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ଡ.ଲେଖାଶ୍ରୀ ଦାବୀ କରିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଉପସଭାନେତ୍ରୀ ଅନୀତା ଶୁଭଦର୍ଶିନୀ, ରାଜ୍ୟ ମୁଖପାତ୍ର ରମାରଂଜନ ବଳିୟାରସିଂହ ଏବଂ ବିଜେପି ପଂଚାୟତରାଜ କମିଟିର ରାଜ୍ୟ ସଂଯୋଜକ ଶଂକର ପରିଡା ପ୍ରମୁଖ ଉପସ୍ଥିତ ଥିଲେ ।