ରାଜ୍ୟ ସରକାର ନବ ଦାସଙ୍କ ହତ୍ୟାର ସମସ୍ତ ତଥ୍ୟକୁ ଲୁଚାଇ ଓଡିଶାବାସୀଙ୍କୁ ଭୂଆଁ ବୁଲାଉଛନ୍ତି

ଓଡିଶାରେ ଯୁବପୀଢ଼ି ସୁରକ୍ଷିତ ନାହାନ୍ତି

ହତ୍ୟାକାରୀ ଗୋପାଳ ଦାସଙ୍କ ଭିଡିଓକୁ ବାରମ୍ବାର ଭାଇରାଲ କରାଯାଇ ଓଡ଼ିଶାବାସୀଙ୍କୁ ଭ୍ରମିତ କରାଯାଉଛି..

ଭୁବନେଶ୍ୱର,(ସାକ୍‌ସୀ ନ୍ୟୁଜ୍‌): ଓଡିଶାରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ । ଗତକାଲି ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ବିବୃତି ଓଡ଼ିଶାର ଯୁବକମାନଙ୍କୁ ଦୁଃଖିତ ଓ ମର୍ମାହତ କରିଛି । ୨୩ ବର୍ଷ ଶାସନ କାଳରେ ଓଡିଶାରେ ଯୁବପୀଢ଼ି ନିଜକୁ ସୁରକ୍ଷିତ ମନେ କରୁନାହାନ୍ତି । ଏନେଇ ଯୁବକମାନେ ରାଜ୍ୟ ଛାଡି ଅନ୍ୟ ରାଜ୍ୟକୁ ପଳାୟନ କରୁଛନ୍ତି । ଓଡ଼ିଶାରେ ଜଣେ କ୍ୟାବିନେଟ୍ ମନ୍ତ୍ରୀ ତଥା ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ ଜଣେ ସୁରକ୍ଷାକର୍ମୀ ଦିବାଲୋକରେ ଗୁଳିକରି ହତ୍ୟାକଲେ । ଯଦି ରାଜ୍ୟରେ ପ୍ରଭାବଶାଳୀ ମନ୍ତ୍ରୀଙ୍କୁ ରାଜ୍ୟ ସରକାର ସୁରକ୍ଷା ଦେବାର ବିଫଳ ସେଠି ସାଧାରଣ ଜନତାଙ୍କ କଥା ନକହିବା ଭଲ । ଏନେଇ ବାରମ୍ବାର ଭାରତୀୟ ଜନତା ପାର୍ଟିର ବିରୋଧୀ ଦଳର ନେତା, ବିଧାୟକ ଓ ଯୁବମୋର୍ଚ୍ଚା ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ବାରମ୍ବାର ରାଜ୍ୟପାଳଙ୍କୁ ଦାବି ଏବଂ ବିଧାନସଭା ଘେରାଉ କରି ରାଜ୍ୟ ସରକାରଙ୍କ କୁଶପୁତୋଳିକା ଦାହ କରିଛି, କିନ୍ତୁ ନିଦାବିଷ୍ଣୁ ସରକାର ଏଥିପ୍ରତି କୌଣସି ପଦକ୍ଷେପ ନେଇନାହାନ୍ତି । ଯେଉଁ ରାଜ୍ୟର ଶାସକ ଦଳ ଏତେ ଦିନ ଶାସନରେ ରହି ଜଣେ ସ୍ୱାସ୍ଥ୍ୟମନ୍ତ୍ରୀ ସୁରକ୍ଷିତ ରଖିପାରିଲେ ନାହିଁ ସେ ରାଜ୍ୟରେ ଯୁବବର୍ଗଙ୍କ ଭବିଷ୍ୟତ ଉପରେ ବଡପ୍ରଶ୍ନବାଚୀ ସୃଷ୍ଟି କରିଛି । ଓଡ଼ିଶାର ଯୁବକଙ୍କ ସୁରକ୍ଷା, ନବ ଦାସ ହତ୍ୟାର ସଠିକ୍ ତଦନ୍ତ, ଷଡଯନ୍ତ୍ରକାରୀଙ୍କୁ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବୀରେ ଭାରତୀୟ ଜନତା ଯୁବମୋର୍ଚ୍ଚା ଆସନ୍ତା ୨୮ତାରିଖରେ ବିଧାନସଭା ଘେରାଉ କରିବ ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି । ବୋଲି ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ଇରାସିସ୍ ଆଚାର୍ଯ୍ୟ କହିଛନ୍ତି ।

ଆଜି ରାଜ୍ୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରି ଶ୍ରୀ ଆଚାର୍ଯ୍ୟ କହିଛନ୍ତି ଯେ, ରାଜ୍ୟ ସରକାର ସ୍ୱର୍ଗତଃ ଦାସଙ୍କ ହତ୍ୟାର ତଦନ୍ତ ସଠିକ୍ ଢଙ୍ଗରେ କରୁନାହାନ୍ତି । ନବ ଦାସଙ୍କ ମୃତ୍ୟୁର ୨୬ଦିନ ବିତି ଯାଇଥିଲେ ବି ହତ୍ୟା ପଛର ଷଡଯନ୍ତ୍ରକାରୀଙ୍କୁ ଧରିବାରେ ବିଫଳ ରାଜ୍ୟ ସରକାର । ସ୍ୱର୍ଗତଃ ଦାସଙ୍କ ହତ୍ୟାର ସମସ୍ତ ତଥ୍ୟକୁ ଲୁଚାଇ ଓଡିଶାବାସୀଙ୍କୁ ଭୂଆଁ ବୁଲାଇବାର ଷଡଯନ୍ତ୍ର କରୁଛନ୍ତି ରାଜ୍ୟ ସରକାର । ବିଧାନସଭା ଆରମ୍ଭ ଦିନ ହତ୍ୟାକାରୀ ଗୋପାଳ ଦାସର ନୂଆ ଏଡିଟିଙ୍ଗ ଭିଡିଓ ସୋସିଆଲ ମିଡିଆରେ ଛାଡିବାର ରହସ୍ୟ କ’ଣ? ଅଭିଯୁକ୍ତ ଗୋପାଳଙ୍କ ଆଉ କିଛି ଭିଡିଓ ଅଛି କି ବୋଲି ଶ୍ରୀ ଆଚାର୍ଯ୍ୟ ପ୍ରଶ୍ନ କରିଛନ୍ତି ।

ରାଜ୍ୟ ସରକାର କ’ଣ ପାଇଁ ଯୁବକ ଓ ଜନତାଙ୍କୁ ସତ ଲୁଚାଉଛନ୍ତି । ସ୍ୱର୍ଗତଃ ଦାସଙ୍କ ହତ୍ୟାର କାରଣ ଲୁଚାଯାଇ ଓଡ଼ିଶାର ଲୋକଙ୍କୁ ଅନ୍ଧାରରେ ରଖାଯାଉଛି ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି । ଭାରତୀୟ ଜନତା ପାର୍ଟିର ବିଧାୟକମାନେ ସ୍ୱର୍ଗତଃ ଦାସଙ୍କ ହତ୍ୟାର କିଭଳି ସଠିକ୍ ତଦନ୍ତ ହେବ ସେନେଇ ବିଧାନସଭାରେ ସ୍ୱର ଉଠାଇ ପ୍ରତିବାଦ କରୁଛନ୍ତି । ଯଦି ରାଜ୍ୟ ସରକାର ସ୍ୱର୍ଗତଃ ଦାସଙ୍କ ହତ୍ୟାର ତଦନ୍ତ ସଠିକ୍ ନକରନ୍ତି ତାହାଲେ ଆଗାମୀ ଦିନରେ ଯୁବମୋର୍ଚ୍ଚା ତୀବ୍ରତର ଆନ୍ଦୋଳନ କରିବ ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି ।

ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଯୁବମୋର୍ଚ୍ଚା ଉପସଭାପତି ଶ୍ରୀ ବିଶ୍ୱଜିତ୍ ଷଡଙ୍ଗୀ, ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ଦୀପକ୍ ଗୋଚ୍ଛାୟତ, ରାଜ୍ୟ ସମ୍ପାଦକ ପ୍ରୀତେଶ ବହିଦାର, ବିକ୍ରମ ବିଶ୍ୱାଳ, ଯୁବମୋର୍ଚ୍ଚା ଗଣମାଧ୍ୟମ ସଂଯୋଜକ ଅଭିଜିତ୍ ମିଶ୍ର, ସ୍ମରଜିତ୍ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।