ସୁନାର ସୁକିନ୍ଦାରେ ନଗଡା କାହିଁକି ?

ପ୍ରଫୁଲ୍ଲ ବାବୁ ନିଜେ ସୁକିନ୍ଦାରେ ବିଧାୟକ ସହ ମନ୍ତ୍ରୀ ହେବାର ସ୍ୱପ୍ନ ଦେଖୁଛନ୍ତି,ଏହା ପରିବାରବାଦ ନୁହେଁ ତ ଆଉ କ’ଣ?

ଭୁବନେଶ୍ୱର : ଆଜି ବି ପ୍ରଫୁଲ୍ଲ ବାବୁ ନିଜେ ସୁକିନ୍ଦାରେ ବିଧାୟକ ସହ ମନ୍ତ୍ରୀ ହେବାର ସ୍ୱପ୍ନ ଦେଖୁଛନ୍ତି । କିଛି ଦିନ ତଳେ ସେ ନିଜେ ଏହି କଥା ପ୍ରକାଶ କରିଛନ୍ତି ଯେ ସୁଯୋଗ ମିଳିଲେ ହିଁ ଚିନ୍ତା କରିବେ । ତେଣୁ ଏହା ପରିବାରବାଦ ନୁହେଁ ତ ଆଉ କ’ଣ ବୋଲି ଯାଜପୁର ଜିଲ୍ଲା ସଭାପତି ଗୌତମ ରାୟ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡେଇଙ୍କୁ ପ୍ରଶ୍ନ କରିଛନ୍ତି ।

ସେ କହିଛନ୍ତି ଗତକାଲି ସୁକିନ୍ଦାର ଏକ ମହିଳା ସମାବେଶରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପରିବାରବାଦ ଉପରେ କିଛି କଥା କହିଥିଲେ । ସଭାରେ ଥିବା ମାଆ ଭଉଣୀ ମାନଙ୍କ ଭିତରୁ ହିଁ ଏକ ସ୍ୱର ଶୁଭିଥିଲା ଯେ ସୁକିନ୍ଦାରେ ବାପ ପୁଅଙ୍କ ରାଜନୀତି ସହିତ ଦୁର୍ନୀତି ବହୁତ ବଢିଯାଇଛି । ଯାହାକୁ କେନ୍ଦ୍ରମନ୍ତ୍ରୀ ଭ୍ରଷ୍ଟାଚାର ଓ ପରିବାରବାଦ ଉପରେ ଟିପ୍ପଣୀ କରିଥିଲେ ।

ଶ୍ରୀ ରାୟ କହିଛନ୍ତି ଯେ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରୀତିରଞ୍ଜନ ଘଡେଇଙ୍କ ପରି ଉତରାଧିକାରୀ ସୂତ୍ରରେ ନୁହେଁ ଛାତ୍ର ଜୀବନରୁ ରାଜନୀତିରେ ରହି କେନ୍ଦ୍ରମନ୍ତ୍ରୀ ଭାବେ ନିଜ ପରିଚୟ ସୃଷ୍ଟି କରିଛନ୍ତି । ରାଜ୍ୟସଭାକୁ ନିର୍ବାଚିତ ହେବା, ଏ କେବେ ସଟକର୍ଟ ନ ଥାଏ । ଆମର ଓଡ଼ିଶାର ଗର୍ବ ଏବଂ ଆମେ ଓଡ଼ିଆବାସୀ ହିସାବରେ ଗର୍ବିତ ଯେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଥମ ଓଡ଼ିଆ ଭାବରେ ଦୁଇ ଥର ଦୁଇଟି ରାଜ୍ୟରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି । ଏହାକୁ ଯଦି ବିଜେଡ଼ି କହିବ ସଟକର୍ଟ ତା’ ହେଲେ, ରାଜନୀତି ଅପରିପକ୍ୱତାର ନିଦର୍ଶନ । ଆମ ନେତା ହାରିଥିବା କଥା ବିଜୁ ଜନତା ଦଳର ମନ୍ତ୍ରୀମାନେ କହୁଛନ୍ତି ।

ଗୋଟିଏ ଘଟଣା ମନେ ପକାଇଦେବାକୁ ଚାହେଁ, ବିଜୁ ବାବୁଙ୍କୁ ବୋଧେ ସେ ଠିକ୍ ଭାବରେ ଜାଣିନଥିବେ, ମୁଁ ଯେତିକି ବିଜୁ ବାବୁଙ୍କୁ ଜାଣିଛି । ସେ ଗୋଟେ ସମୟରେ ଏକାସାଙ୍ଗରେ ୫ଟା ଆସନରୁ ନିର୍ବାଚନ ଲଢି ହାରିଥିଲେ । ଗୋଟିଏ ସିଟ୍‌ରେ ମଧ୍ୟ ଜିତିପାରିନଥିଲେ । ବିଜୁ ବାବୁ ନିର୍ବାଚନରେ ହାରି ମଧ୍ୟ କେବେ ଛୋଟ ହୋଇ ନଥିଲେ । ନିର୍ବାଚନ ହାରିଲେ ଛୋଟ ହୋଇଯାଆନ୍ତି, ଏହା ଆପଣଙ୍କ ଅହଙ୍କାର ସଦୃଶ । ଏହି ଅହଙ୍କାର ବେଶୀ ଦିନ ରହିବ ନାହିଁ ବୋଲି ଶ୍ରୀ ରାୟ କହିଛନ୍ତି ।

ଆମ ନେତା ଧର୍ମେନ୍ଦ୍ର ପ୍ରଧାନଙ୍କ ବାବଦରେ ବୋଧେ ଆପଣ ଠିକରେ ଅବଗତ ନାହାନ୍ତି । ସେ ଓଡ଼ିଶାରୁ ଥରେ ବିଧାୟକ, ଥରେ ଲୋକସଭା ସାଂସଦ ନିର୍ବାଚିତ ହୋଇଛନ୍ତି । ଏବେ ମଧ୍ୟ ରାଜ୍ୟସଭାର ସଦସ୍ୟ ଅଛନ୍ତି । କେନ୍ଦ୍ରରେ ପ୍ରାୟ ନଅ ବର୍ଷରୁ ଉର୍ଦ୍ଧ୍ୱ ପେଟ୍ରୋଲିୟମ ଏବଂ ଶିକ୍ଷା ମନ୍ତ୍ରଣାଳୟ ଭଳି ଗୁରୁତ୍ୱପୂର୍ଣ୍ଣ ପଦବୀରେ ଦାୟିତ୍ୱ ନିର୍ବାହ କରୁଛନ୍ତି । ଆମ ନେତାଙ୍କୁ କିଛି କହିବା ପୂର୍ବରୁ ନିଜେ ଥରେ ଭାବିବା ଦରକାର, ନିଜେ କ’ଣ କହୁଛନ୍ତି? ବୋଲି ଶ୍ରୀ ରାୟ କହିଛନ୍ତି ।

ସୁକିନ୍ଦାର ନେତା ଏ ବିବୃତି ଦେଇଛନ୍ତି, ନିଜ ପରିବାରର ବାପା ଦୀର୍ଘ ଦିନ ଧରି ମନ୍ତ୍ରୀ ଥିଲେ । ଏବେ ସେ ମଧ୍ୟ ମନ୍ତ୍ରୀ ଅଛନ୍ତି । ନଗଡା କାହା ଅଂଚଳରେ? ମୁଁ ସେ ଜିଲ୍ଲାର ଲୋକ, ନଗଡା କାହା ଅଂଚଳରେ ମୁଁ ଜାଣିଛି ? ସେ ଅଂଚଳରେ ଆଜିର ଅବସ୍ଥା କ’ଣ? ପ୍ରତ୍ୟେକ ଦିନ ଗଣମାଧ୍ୟମରେ ଦେଖିବାକୁ ମିଳୁଛି, ଆଜି ବି ପିଲାମାନେ ଅପପୃଷ୍ଟିର ଶୀକାର ହେବା ସହ ଜନସାଧାରଣମାନେ ସୁବିଧା ସୁଯୋଗରୁ ବଂଚିତ ଅଛନ୍ତି । ସୁନାର ସୁକିନ୍ଦାରେ ନଗଡା କାହିଁକି ବୋଲି ଶ୍ରୀ ରାୟ କହିଛନ୍ତି ।

କିଛି ଦିନ ତଳେ ଆଉ ଏକ ପ୍ରବକ୍ତା କହିଥିଲେ, କେନ୍ଦ୍ର ସରକାର ଓଡ଼ିଶାକୁ ଅଣଦେଖା କରୁଛନ୍ତି । ନରେନ୍ଦ୍ର ମୋଦିଙ୍କ ସରକାର ଦେଶର କେଉଁ ରାଜ୍ୟକୁ ଅଣଦେଖା କରନ୍ତି ନାହିଁ, ଓଡ଼ିଶାକୁ ଅଣଦେଖା କରୁଛନ୍ତି ବୋଲି କେମିତି ଭାବୁଛି ବିଜେଡି ? ଯଦି ଅଣଦେଖା କରୁଛନ୍ତି ବୋଲି କହୁଛ, ତା’ ହେଲେ ସବୁ ସମୟରେ ଦିଲ୍ଲୀରେ ସମର୍ଥନ ଦେବା ପାଇଁ ଆଗଭର କେମିତି ହେଉଛ? ଏହାର ଉତର ବିଜୁ ଜନତା ଦଳ ସ୍ପଷ୍ଟ କରନ୍ତୁ ବୋଲି ଶ୍ରୀ ରାୟ କହିଛନ୍ତି ।