ବ୍ରହ୍ମ ହିଁ ସତ୍ୟ

ଯାହା ଅତୀତରେ ଥିଲା, ବର୍ତ୍ତମାନ ରହିଛି ଓ ଭବିଷ୍ୟତରେ ରହିଥିବ ତାହାହିଁ..

ଯାହା ସୀମିତ, ଯାହାର ଆରମ୍ଭ ଓ ଶେଷ ରହିଛି ତାହା ମିଥ୍ୟା ଅଟେ। ଯାହା ଅତୀତରେ ଥିଲା, ବର୍ତ୍ତମାନ ରହିଛି ଓ ଭବିଷ୍ୟତରେ ରହିଥିବ ତାହାହିଁ ସତ୍ୟ। ତାହା ହେଉଛି ବ୍ରହ୍ମ। କେବଳ ସତ୍ୟହିଁ ଶାଶ୍ଵତ, ଅନିର୍ବଚନୀୟ , ଅନାଦି, ଅନନ୍ତ ଅଟେ। ସାରା ନାମ – ରୂପ ଠାରୁ ଅଲଗା, ସେହି ପୁରାଣ ପୁରୁଷ – ଯାହାଙ୍କ ଠାରୁ ସବୁକିଛି ଉତ୍ପନ୍ନ ହୋଇଛି, ତାହା ବ୍ରହ୍ମ। ବ୍ରହ୍ମ ହିଁ ଆନନ୍ଦ ଓ ସୁଖର ମୂଳ।

ବ୍ରହ୍ମ ହିଁ ସାର ଅଟେ। ପଞ୍ଚକୋଷ ତ କେବଳ ଖୋଳ ସଦୃଶ। ଶରୀର, ମନ, ବୁଦ୍ଧି କେବଳ ବାହ୍ୟ ଆଚ୍ଛାଦନ ଯାହା ସତ୍ୟକୁ ଢାଙ୍କି ରଖିଛି। ବ୍ରହ୍ମ ଏ ଜଗତକୁ ଅତିକ୍ରମଣ କରୁଛି। ଉତ୍ପତ୍ତି ତଥା ବିନାଶ – ଏକ ଦୃଶ୍ୟ ଅଟେ। ଏହା ମାୟାର ଯାଦୁ। ବାସ୍ତବରେ କୌଣସି ବସ୍ତୁର ସୃଷ୍ଟି କିମ୍ବା ବିନାଶ ହୋଇନଥାଏ।
ବ୍ରହ୍ମ ଅନନ୍ତ ଅଟେ। ବ୍ରହ୍ମ ନିତ୍ୟ ଅଟେ। ବ୍ରହ୍ମ ହେଉଛି ଅମୃତତ୍ଵ। ଅସୀମ, ଏକ ଅଟେ।

ଅସୀମ କେବେ ଦୁଇ ହୋଇନପାରେ। ଯିଏ ଅପରିବର୍ତ୍ତନଶୀଳ , ଅଦ୍ଵୈତ, ଅନାଦି, ଅନନ୍ତ, କାଳ ରହିତ, ଦେଶ ରହିତ, କାରଣ ରହିତ, ତାହାହିଁ ଅସୀମ ଅଟେ। ବ୍ରହ୍ମରେ ଭେଦ ନାହିଁ। ବ୍ରହ୍ମ ସ୍ୱୟଂ ପ୍ରକାଶ ତଥା ପରିପୂର୍ଣ୍ଣ। ବ୍ରହ୍ମ ଅଜନ୍ମା, ଅମର, ଶୁଦ୍ଧ ଚୈତନ୍ୟ ତଥା ଜ୍ଞାନ ସ୍ୱରୂପ। ବ୍ରହ୍ମ ସତ୍ୟର ସତ୍ୟ ଓ ଆତ୍ମା ମାନଙ୍କର ଆତ୍ମା ଅଟେ।