ବାଘକୁ ଡରେନା ବଳଦ: ସବୁରି ଆରାଧ୍ୟା ମା’ ରାମଚଣ୍ଡି

ଗଡ଼଼ମାଣିତ୍ରୀ ଅଧିଷ୍ଠାତ୍ରୀଙ୍କ ପୀଠରେ ନ ଥାଏ ଶତ୍ରୁତା……

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲାର ଗଡ଼ମାଣିତ୍ରୀରେ ପ୍ରତିଷ୍ଠିତ ମା’ ରାମଚଣ୍ଡିଙ୍କ ପୀଠଟି ନବରାତ୍ରି ସମୟରେ ଉତ୍ସବମୁଖର ହୁଏ । ଆଖପାଖ ଦଶଖଣ୍ଡ ମୌଜାର ଲୋକମାନେ ନଅଦିନ ପାଇଁ ମା’ଙ୍କୁ କୁଳଦେବୀ ମଣିଥାନ୍ତି । ଆପଦବିପଦରେ ମା’ଙ୍କୁ ଡାକିଦେଲେ, ମା’ ତତ୍‌କ୍ଷଣାତ ‘ଓ’ କରନ୍ତି । ଦଶଖଣ୍ଡ ମଉଜାର ପୁଅଝିଅଙ୍କ ଉପରେ କରୁଣାବାରି କରିବା ପାଇଁ ମା’ ପାହାଡ଼ ଶୀର୍ଷରେ ଅବସ୍ଥାନ କରିଛନ୍ତି । ବର୍ଷତମାମ ମା’ଙ୍କ ପୀଠରେ ପୂଜାର୍ଚ୍ଚନା ଚାଲେ । ମାତ୍ର ନବରାତ୍ରି ପୂଜା ଟିକେ ସ୍ୱତନ୍ତ୍ର ଜନଶ୍ରୁତି ଅଛି, ହିନ୍ଦୁ ଦେବାଦେବୀଙ୍କ ମନ୍ଦିରକୁ ମାଟିରେ ମିଶାଇ ଦେବାର ସଂକଳ୍ପ ରଖି ବଙ୍ଗର ନବାବଙ୍କ ସେନାପତି କଳାପାହାଡ଼ ପ୍ରଥମେ ପୁରୀ ଶ୍ରୀମନ୍ଦିର ଉପରେ ଆକ୍ରମଣ କରିଥିଲା । ସେଠାରୁ ସିଧା ଯାଇ କୋଣାର୍କରେ ପୂଜିତ ସୂର୍ଯ୍ୟମନ୍ଦିରକୁ ଭାଙ୍ଗିଲା । କଳାପାହାଡ଼ ସ୍ପର୍ଶରେ କାୟା ଅପବିତ୍ର ହୋଇଯିବା ଆଶଙ୍କା କରି ମା’ ରାମଚଣ୍ଡି ମାଳୁଣୀ ବେଶ ଧାରଣ କରି ମନ୍ଦିରରୁ ପଳାଇଲେ ।

କୁଶଭଦ୍ରା ନଦୀରେ ଗଭୀର ଜଳରେ ଡଙ୍ଗାରେ ମା’ ରାମଚଣ୍ଡି ଚାଲି ଯାଉଥିବାର ଦେଖି କଳାପାହାଡ଼ ସୈନ୍ୟସାମନ୍ତ ଧରି ବେଶ କିଛିବାଟ ଗୋଡ଼ାଇଲା । ମା’ କିଛିଦିନ ଧରି ଏକାଧିକ ନଦୀରେ ବିହାର କରୁଥିଲା ବେଳେ ଭିନ୍ନଭିନ୍ନ ଦେବୀପୀଠ ବୁଲିଥିଲେ । ଦୈବଯୋଗକୁ ମଲାଗୁଣି ନଦୀରେ ଯାଉଥିଲା ବେଳେ ଦୃଷ୍ଟିରେ ପଡ଼ିଲା ଗଣମାଣିତ୍ରୀ ପାହାଡ଼ । ପାହାଡ଼ର ସବୁଜବନାନୀ ମା’ଙ୍କୁ ଆକୃଷ୍ଟ କଲା । ପାହାଡ଼ ଶୀର୍ଷକୁ ଯାଇ ଦେଖିଲେ ପୁରୀ ଶ୍ରୀମନ୍ଦିର ଉପରେ ଫରଫର ଉଡୁଛି ପତିତପାବନ ବାନା । ପୁଣି ଦେଖିଲେ କୋଣାର୍କର ଭଗ୍ନ ସୂର୍ଯ୍ୟମନ୍ଦିର । ଖଣ୍ଡେ ବାଟରେ ବାଘମାରୀ ପୀଠର ଆରାଧ୍ୟ ପ୍ରଭୁ ହଟକେଶ୍ୱର ।

ଖୋର୍ଦ୍ଧାଗଡ଼ ପାହାଡ଼ରେ ଅଧିଷ୍ଠାତ୍ରୀ ମା’ ବରୁଣେଇ ଓ ମା’ କରୁଣେଇ, ରଣପୁର ପାହାଡ଼ରେ ବିରାଜିତା ମା’ ମାଣିକେଶ୍ୱରୀ । ଗଣମାଣିତ୍ରୀକୁ ଛାଡ଼ି ଯିବାପାଇଁ ମା’ଙ୍କ ମନ ଡାକିଲାନି । ଏମିତି ପାହାଡ଼ରେ ଅବସ୍ଥାନ କରୁଥିବା ଭିତରେ ଥରେ ଜନୈକ ଚାଷୀର ବଳଦଟିଏ ପାହାଡ଼ ପାଦଦେଶରେ ବୁଲୁଥିଲା ବେଳେ ମା’ଙ୍କ ବାଘ ତାକୁ ଶିକାର କଲା । ବଳଦଟିର ମୃତଦେହକୁ ଦେଖି ଚାଷୀମୁଣ୍ଡରେ ହାତ ଦେଇ ବସିପଡ଼ିଲା । କ’ଣ କରିବ? ବଡ଼ କଷ୍ଟରେ ବଳଦ ହଳେ କିଣି ଚାଷକାମରେ ଲଗାଉଥିଲା ।

ଏବେ ପଟେ ବଳଦ ସାହାଯ୍ୟରେ ଚାଷ କରିବ କେମିତି? ପିଲାଙ୍କ ପେଟକୁ ଦାନା ଯୋଗାଇବ କେମିତି? ଏମିତି ଭାବୁଥିଲା ବେଳେ ଦେଖାଦେଲେ ମା’ ରାମଚଣ୍ଡି । ମା’ଙ୍କ ରୂପକାନ୍ତି ଦେଖି ଚାଷୀ ଆଚମ୍ବିତ । ପଚାରିଲା ଚାଷୀ, ‘ମା’ ଆପଣ ଏଠି?’ ଅଭୟ ବରଦାୟିନୀ ମା’ ପଚାରିଲେ, ‘କେମିତି ଚାଷ କରିବୁ ଚିନ୍ତାରେ ପଡ଼ିଛୁ?’ ଭରସି କହିଲା ଚାଷୀ, ‘ତୁ ତ ସବୁ ଜାଣିଛୁ ମା’, ମୋ ପିଲା ଉପାସରେ ମରିଯିବେ ।’ ମୃଦୁହସରେ କହିଲେ ମା’, ‘କିଛି ଅସୁବିଧା ହେବନି । ଯା’ କାଲି ସକାଳେ ପଟେ ବଳଦ ଧରି ଜମିକୁ ଯିବୁ । ସାଙ୍ଗରେ ଲଙ୍ଗଳ ନେଇଥିବୁ । ଜମି ପାଖରେ ଯାହାକୁ ଦେଖିବୁ । ତାକୁ ଲଙ୍ଗଳରେ ଯୋଚି ଚାଷ କରିବୁ । ଜମାରୁ ଡରିବୁନି । ନିତି ସକାଳେ ସନ୍ଧ୍ୟାରେ ଆସି ମୋତେ ଗୁଡ଼ ଓ ଅରୁଆ ଚାଉଳ ଭୋଗ ଲଗାଉଥିବୁ । ତୋ ଦୁଃଖ ଦୂର ହୋଇଯିବ ।’

ଏତିକି କହି ମା’ ଚାଲିଗଲେ । ଘରକୁ ଫେରିଲା ଚାଷୀ । ପତ୍ନୀ ଆଗେ ସବୁ କହିଲା । ଆରଦିନ ପ୍ରତ୍ୟୁଷରୁ ଲଙ୍ଗଳ, ପଟେ ବଳଦ ଧରି ଜମି ନିକଟରେ ପହଂଚିଲା । କ’ଣ ଦେଖିଲା? ଜମି ନିକଟରେ ହୃଷ୍ଟପୃଷ୍ଟ ବାଘଟିଏ ଠିଆ ହୋଇଛି । ଚାଷୀର ରକ୍ତ ଶୁଖିଗଲା । କ’ଣ କରିବ ଭାବି ପାରିଲାନି । ଲଙ୍ଗଳରେ ବାଘକୁ ଯୋଚି ଚାଷ କରିବ? ଏମିତି ଭାବୁଭାବୁ ବେଶ କିଛି ସମୟ ବିତିଗଲା । ବାଘଟି ମଣିଷ ଓ ବଳଦକୁ ଦେଖି ହଲଚଲ ହେଉନାହିଁ । ସାଧାରଣ ବାଘ ହୋଇଥିଲେ ଏତେବେଳକୁ ତା’ ଆଡ଼କୁ ମାଡ଼ି ଆସନ୍ତାଣି । ହେଲେ ଏ ବାଘଟି ତାକୁ ଦେଖି ଚୁପଚାପ ଠିଆ ହୋଇଛି । ସତରେ କ’ଣ ମା’ ଯାହା କହିଛନ୍ତି ସତ । ଲଙ୍ଗଳରେ ବାଘକୁ ଯୋଚି ଚାଷ କରିବ କି? ଜମିରେ ଲଙ୍ଗଳଟିକୁ ରଖିଲା । ବଳଦଟିକୁ ଗୋଟେ ପଟେ ଯୋଚିଲା । ବାଘକୁ ଡାକିଲା, ‘ଆ, ମୋ ଚାଷକାମରେ ସାହାଯ୍ୟ କରିବୁ ।’ ବାଘଟି ତା’ ଆଡ଼କୁ ଧୀରେଧୀରେ ଆଗେଇଲା ।

ମନରେ ଭୟ ଥିଲେ ମଧ୍ୟ ମା’ଙ୍କ ଉପରେ ଭରସା କରି ଚାଷୀଟି ସାହସର ସହ ଠିଆ ହେଲା । ବାଘ ଆସି ଲଙ୍ଗଳର ଆରପଟେ ସୁନାପିଲାଟି ପରି ଠିଆ ହେଲା । ଚାଷୀ ତା’ ବେକରେ ଲଙ୍ଗଳ ଯୋଚିଲା । ଜମିକୁ ହଳ କଲା । ସୂର୍ଯ୍ୟ ଟିକେ ଉପରକୁ ଉଠିଲା ବେଳକୁ ଅନ୍ୟ ଚାଷୀମାନେ ଆସି ଜମି ପାଖରେ ହାଜର । ଲଙ୍ଗଳର ଗୋଟିଏ ପଟେ ବାଘ ଓ ଆରପଟେ ବଳଦ । ଚାଷୀ ସେମାନଙ୍କ ଆଗରେ ଗୋଟିଗୋଟି କରି ସବୁ କହିଗଲା । ଚାହୁଁଚାହୁଁ ଚାରିଆଡେ଼ ଚହଳ ପଡ଼ିଗଲା । ଦେବୀ ମା’ ପାହାଡ଼ରେ ବିଜେ କରିଛନ୍ତି ।

ଆରମ୍ଭ ହୋଇଗଲା ପୂଜାର୍ଚ୍ଚନା । ଯୋଉ ଚାଷୀଟିକୁ ମା’ ଦେଖା ଦେଇଥିଲେ । ସେ ହୋଇଗଲା ମୁଖ୍ୟ ପୂଜକ । ତା’ରି ବଂଶଧର କ୍ରମେ ମା’ଙ୍କ ପୂଜାର୍ଚ୍ଚନା କରିବାକୁ ଲାଗିଲେ । ଖୋର୍ଦ୍ଧାରାଜାଙ୍କ କାନକୁ କଥା ଗଲା । ସେ ଆସି ମା’ଙ୍କ ପୀଠରେ ମହାଯଜ୍ଞର ଆୟୋଜନ କଲେ । ମା’ଙ୍କ ଦୈନିକ ନୀତିକାନ୍ତି ପାଇଁ ଜମିବାଡ଼ି ଖଞ୍ଜିଦେଲେ । ସେହିଦିନଠାରୁ ମା’ଙ୍କ ସେବା ଚାଲିଛି । ରାଜା ଶାସନ ଚାଲିଯାଇଛି । ମାତ୍ର ଲୋକଙ୍କ ମନରେ ଏବେବି ମା’ଙ୍କ ପ୍ରତି ଶ୍ରଦ୍ଧା ଅତୁଟ ରହିଛି । ମା’ ଏବେ ମଧ୍ୟ ଭକ୍ତଙ୍କ ଡାକ ଶୁଣୁଛନ୍ତି ।