ଦୀପାବଳି: ସବୁ ବର୍ଗର ଲୋକଙ୍କ ପାଇଁ ଆଲୋକର ମହାପର୍ବ

ଆଲୋକର ପର୍ବ ଦୀପାବଳି । ଶକ୍ତି ଉପାସକଙ୍କ ପାଇଁ ମା’ କାଳୀଙ୍କ ଆରାଧନା ସବୁଠୁ ଗୁରୁତ୍ୱପୂର୍ଣ୍ଣ । ଦେବ, ଦାନବ ଅବା ମାନବ । ସମସ୍ତଙ୍କ ପାଇଁ ମା’ କାଳୀଙ୍କ ଆରାଧନା ଅପରିହାର୍ଯ୍ୟ । ଶକ୍ତିର ପ୍ରତୀକ ମା’ । ମା’ଙ୍କ ଆରାଧନା ବିନା ଦେବ, ଦାନବ, ମାନବଙ୍କୁ ଶକ୍ତି ମିଳେନା । ମାତୃଶକ୍ତିର ଆରାଧନା ବିନା ମଣିଷର ଅସ୍ତିତ୍ୱ ନାହିଁ । ଦେବ ଦେବ ମହାଦେବ ମାତୃଶକ୍ତିକୁ ପ୍ରାଥମିକତା ଦେଇ ମହାଦେବ କହିଛନ୍ତି, ‘ଶକ୍ତି ବିନା ସେ ଶବ’- ମା’ ପାର୍ବତୀଙ୍କ ବିନା ମହାଦେବ ଜଡ଼ ପଦାର୍ଥ ସମାନ । ମହାଦେବଙ୍କ ଆରାଧନା ପୂର୍ବରୁ ମା’ ପାର୍ବତୀଙ୍କୁ ଆବାହନ କରାଯାଏ । ‘ଓଁ ନମଃ ଶିବାୟ’ ଉଚ୍ଚାରଣ କରିବା ଫଳରେ ଆପଣ ଏକା ସମୟରେ ଶିବ ଓ ଶିବାଙ୍କୁ ସ୍ମରଣ କରିଥାନ୍ତି ।

ମାତୃଶକ୍ତିକୁ ଅପମାନିତ କରିବା ଅର୍ଥ ଆପଣା ଭାଗ୍ୟକୁ ରସାତଳଗାମୀ କରିବା । ଯୋଉ ଲୋକ ମାତୃଶକ୍ତିକୁ ଅବମାନନା କରିଛି । ତା’ର ପତନ ସୁନିଶ୍ଚିତ ବୋଲି ପ୍ରମାଣିତ ହୋଇସାରିଛି । ନାରୀକୁ ଦୁର୍ବଳ ମନେକରି ମହିଷାସୁର ଜଣେ ନାରୀ ହାତରେ ମରିବା ପାଇଁ ବର ମାଗିଲା । ପ୍ରଜାପତି ବ୍ରହ୍ମା ତାକୁ ସେହି ବରଦାନ କଲେ । ପରିଣାମ ସ୍ୱରୂପ ମା’ ଦୁର୍ଗାଙ୍କ ହାତରେ ତା’ର ମୃତ୍ୟୁ ହେଲା ।

ମର୍ଯ୍ୟାଦା ପୁରୁଷୋତମ ପ୍ରଭୁ ଶ୍ରୀରାମଚନ୍ଦ୍ର ମାତୃଶକ୍ତିର ଆରାଧନା କରି ଦଶାନନ ରାବଣକୁ ବଧ କରିଥିଲେ । ରାମାୟଣ କଥାନୁସାରେ ୧୪ ବର୍ଷ କାଳ ବନବାସ ଜୀବନ ଅତିବାହିତ କରିବା ପରେ ପତ୍ନୀ ସୀତା, ଅନୁଜ ଲକ୍ଷ୍ମଣ ଓ ହନୁମାନଙ୍କୁ ସାଙ୍ଗରେ ଧରି ପ୍ରଭୁ ଶ୍ରୀରାମ ଅଯୋଧ୍ୟାରେ ପଦାର୍ପଣ କରିଥିଲେ । ଭକ୍ତବତ୍ସଳ ରାମଚନ୍ଦ୍ରଙ୍କୁ ପାଖରେ ପାଇ ଅଯୋଧ୍ୟାବାସୀଙ୍କର ଆନନ୍ଦର ସୀମା ରହିଲାନି । ପ୍ରଭୁ ରାମଚନ୍ଦ୍ର, ମା’ ଜାନକୀ, ଭ୍ରାତା ଲକ୍ଷ୍ମଣ ଓ ହନୁମାନଙ୍କୁ ପାଖରେ ପାଇ ପୁରବାସୀ ଆପଣା ଆପଣା ଘରେ ଦୀପ ଜଳାଇବା ସହ ନାଚଗୀତରେ ମାତିଗଲେ । ଅଧର୍ମ ଉପରେ ଧର୍ମର ବିଜୟ ସ୍ୱରୂପ ଆଜି ମଧ୍ୟ ଦୀପାବଳି ପାଳିତ ହେଉଛି ।