ଭାରତରେ ପ୍ରତି ଘଂଟାକରେ ୫୩ ସଡ଼କ ଦୁର୍ଘଟଣା, ୧୯ ଜଣଙ୍କ ପ୍ରାଣହାନି

ଭାରତରେ ପ୍ରତି ଘଂଟାକ ଭିତରେ ଅନ୍ୟୁନ ୫୩ଟି ସଡ଼କ ଦୁର୍ଘଟଣା ଘଟୁଛି ଓ ସେଥିରେ ଅନ୍ୟୁନ ୧୯ ଜଣ ମରୁଛନ୍ତି । ଏଭଳି ଭୟଙ୍କର ତଥ୍ୟ ପ୍ରକାଶ କରିଛନ୍ତି ଖୋଦ ମୋଦି ସରକାର । ସଡ଼କ ଦୁର୍ଘଟଣା ପାଇଁ ସାଧାରଣ ଲୋକଙ୍କ ବେପରୁଆ ଚଳପ୍ରଚଳକୁ ସର୍ବାଧିକ ଦାୟୀ କରିଛନ୍ତି ସରକାର ।

କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ରିପୋର୍ଟ ମୁତାବକ ୨୦୨୨ରେ ପ୍ରାୟ ୪ ଲକ୍ଷ ୬୧ ହଜାର ୩୧୨ଟି ସଡ଼କ ଦୁର୍ଘଟଣା ଘଟିଥିଲା ଓ ୧ ଲକ୍ଷ ୬୮ ହଜାର ୪୧୯ ଜଣ ପ୍ରାଣ ହରାଇଥିଲେ । ଗତବର୍ଷ ସଡ଼କ ଦୁର୍ଘଟଣାରେ ୪ ଲକ୍ଷ ୪୩ ହଜାର ୩୬୬ ଜଣ ଲୋକ ଆହତ ହୋଇଥିଲେ । ସେଗୁଡ଼ିକୁ ହିସାବ କରିବା ପରେ ମନ୍ତ୍ରଣାଳୟ ଜାଣିବାକୁ ପାଇଥିଲା ଯେ ଭାରତରେ ପ୍ରତି ଘଂଟା ୫୩ଟି ସଡ଼କ ଦୁର୍ଘଟଣା ଘଟୁଛି ଓ ତା’ ଫଳରେ ୧୯ ଜଣ ପ୍ରାଣ ହରାଉଛନ୍ତି ।

ମୃତକଙ୍କ ଭିତରେ ଅଧିକାଂଶ ସିଟ୍‌ ବେଲ୍ଟ ବାନ୍ଧି ନଥିବା ଓ ହେଲମେଟ୍‌ ନପିନ୍ଧିବା ଜଣାପଡ଼ିଛି..
୨୦୨୨ ରିପୋର୍ଟ କହିଛି, କେବଳ ଏକ୍ସପ୍ରେସ ଓ ଜାତୀୟ ରାଜପଥ ଉପରେ ୧ ଲକ୍ଷ ୫୧ ହଜାର ୯୯୭ଟି ଦୁର୍ଘଟଣା ଘଟିଥିଲା । ରାଜ୍ୟ ରାଜପଥ ଉପରେ ୨ ଲକ୍ଷ ୨ ହଜାର ୬୩୩ଟି ଦୁର୍ଘଟଣା ଘଟିଥିଲା । ୨୦୨୧ ତୁଳନାରେ ୨୦୨୨ରେ ସଡ଼କ ଦୁର୍ଘଟଣାରେ ୧୧.୯% ଓ ମୃତ୍ୟୁହାର ୯.୪% ବୃଦ୍ଧି ପାଇଛି । ସେହିପରି ବାର୍ଷିକ ଆହତଙ୍କ ସଂଖ୍ୟାରେ ୧୫% ବୃଦ୍ଧି ପାଇଛି ।

ସିଟ୍‌ ବେଲ୍ଟ ନପିନ୍ଧିବା କାରଣରୁ ୧୬ ହଜାର ୭୧୫ ଜଣ ଲୋକ ମରିଛନ୍ତି । ସେମାନଙ୍କ ଭିତରୁ ଚାଳକଙ୍କ ସଂଖ୍ୟା ୮ ହଜାର ୩୮୪ ଓ ଆରୋହୀଙ୍କ ସଂଖ୍ୟା ୮ ହଜାର ୩୩୧ । ସେହିପରି ହେଲମେଟ୍‌ ନପିନ୍ଧିବା କାରଣରୁ ୫୦ ହଜାର ୨୯ ଜଣ ଜୀବନ ହରାଇଥିଲେ ।

ବୟସ ଦୃଷ୍ଟିରୁ ଦେଖିଲେ, ମୃତକଙ୍କ ଭିତରୁ ୧୮-୪୫ ବର୍ଷ ବୟସ ବର୍ଗ ଭିତରେ ପ୍ରାୟ ୬୬.୫% ଅଛନ୍ତି ଯାହା ଅତ୍ୟନ୍ତ ଦୁଃଖଦାୟକ । ସଡ଼କ ଦୁର୍ଘଟଣାର ଶିକାର ହୋଇଥିବା ଲୋକଙ୍କ ଭିତରୁ ଅଧାପାଠୁଆଙ୍କ ତୁଳନାରେ ପାଠୁଆଙ୍କ ସଂଖ୍ୟା ଅଧିକ । ତା’ ଅର୍ଥ ଲୋକମାନେ ଯେତେ ଶିକ୍ଷିତ ହେଉଛନ୍ତି । ସଡ଼କ ନିୟମକୁ ସେତେ ଅଣଦେଖା କରୁଛନ୍ତି ।