ଗ୍ରହଦୋଷ ଖଣ୍ଡନ କରିବ ବିଷ୍ଣୁଙ୍କର ଷୋଡ଼ଶୋପଚାର ପୂଜା

ଶନିଙ୍କ ପୀଡାରୁ ମୁକ୍ତ ପାଇଁ କରନ୍ତୁ ଷଟ୍‌ତିଳା ଏକାଦଶୀ…

ମାଘମାସଟି ପ୍ରଭୁ ନାରାୟଣଙ୍କ ମାସ । ଏହି ମାସର କୃଷ୍ଣପକ୍ଷ ଏକାଦଶୀ ତିଥିରେ ପଡ଼ିଥାଏ ଷଟ୍‌ତିଳା ଏକାଦଶୀ । ଛଅ ପ୍ରକାର ତିଳକୁ ଛଅଟି ଉପାୟରେ ପୂଜାର୍ଚ୍ଚନା ବିଧି ଥିବାରୁ ଏପରି ନାମକରଣ କରାଯାଇଛି । ଗ୍ରହପୀଡ଼ାରୁ ମୁକ୍ତି ପାଇବା ପାଇଁ ଏହି ଏକାଦଶୀ ପାଳନ କରନ୍ତି ଶ୍ରଦ୍ଧାଳୁ । ଚଳିତ ମାସ ଜାନୁଆରୀ ୧୭ ତାରିଖ ସନ୍ଧ୍ୟା ୬ଟା ୫ ମିନିଟ୍‌ରୁ ଜାନୁଆରୀ ୧୮ ତାରିଖ ଅପରାହ୍ଣ ୪ଟା ୩ ମିନିଟ୍‌ ପର୍ଯ୍ୟନ୍ତ ଏକାଦଶୀ ତିଥି ପଡୁଛି ।

ପୁନଶ୍ଚ ଉଦିଆ ତିଥି କାରଣରୁ ୧୮ ଜାନୁଆରୀ ଷଟ୍‌ତିଳା ବ୍ରତ ପାଳନ କରାଯିବ । ଏହାର ପାରଣ ୧୯ ତାରିଖ ସକାଳ ୭ଟା ୧୫ ମିନିଟ୍‌ରୁ ସାଢେ଼ ୯ଟା ପର୍ଯ୍ୟନ୍ତ ରହିବ। ତିଳର ଧାର୍ମିକ ମହତ୍ୱ: ରାଶି ଦୁଇ ପ୍ରକାର ଅଛି । ଯଥା: ଧଳା ଓ କଳା । ପିତୃ କାର୍ଯ୍ୟରେ ରାଶିତେଲ ପ୍ରୟୋଗ କରାଯାଏ । ଶନିଦେବଙ୍କ କ୍ରୁରଦୃଷ୍ଟିରୁ ନିବାରଣ ପାଇଁ କଳାରାଶି ବ୍ୟବହାର କରାଯାଏ ।

ଷଟ୍‌ତିଳା ଏକାଦଶୀରେ ରାଶି ପ୍ରୟୋଗକୁ ଶ୍ରେଷ୍ଠ ଧରି ନିଆଯାଏ । ରାଶିକୁ ୬ଟି ଉପାୟରେ ବ୍ୟବହାର କରାଯାଏ । ରାଶିର ୬ ପ୍ରକାର ପ୍ରୟୋଗ ହେଉଛି, ପ୍ରଥମ: ତେଲରେ ସ୍ନାନ, ତେଲରେ ଘର୍ଷଣ, ତେଲରେ ଯଜ୍ଞ, ତେଲରେ ତର୍ପଣ, ତେଲରେ ଭୋଜନ, ତେଲର ଦାନ । ଷଟ୍‌ତିଳା ବ୍ରତ ଦୁଇଟି ଉପାୟରେ ପାଳନ କରାଯାଏ । ପ୍ରଥମଟି ନିର୍ଜଳା ବ୍ରତ ଓ ଦ୍ୱିତୀୟଟି ଫଳାହାରୀ ବା ଜଳୀୟ ବ୍ରତ । ସୁସ୍ଥ ବ୍ୟକ୍ତିମାନେ ନିର୍ଜଳା ବ୍ରତ ରଖିପାରିବେ ।

ସାଧାରଣ ଲୋକଙ୍କ ପକ୍ଷେ ଫଳାହାରୀ ବା ଜଳୀୟ ବ୍ରତ ଭଲ । ବ୍ରତୀମାନେ ଶରୀରରେ ତେଲ ଲଗାଇବେ । ଜଳରେ ରାଶି ପକାଇ ସ୍ନାନ କରିବେ । ରାଶିଯୁକ୍ତ ଆହାର ଗ୍ରହଣ କରିବେ । ରାଶିଯୁକ୍ତ ଭୋଗ ଲଗାଇବେ । ଏହି ଏକାଦଶୀରେ ଗନ୍ଧ, ଫୁଲ, ଘିଅଦୀପ, ପାନ ସହିତ ଭଗବାନ ବିଷ୍ଣୁଙ୍କର ଷୋଡ଼ଶୋପଚାର ପୂଜାର୍ଚ୍ଚନା କରିବେ ।

ହରଡ଼ ଓ ରାଶି ମିଶ୍ରିତ ଖିଚିଡି ପ୍ରସ୍ତୁତ କରି ଭଗବାନଙ୍କୁ ଅର୍ପଣ କରିବା ଭଲ । ରାତିରେ ୧୦୮ ବାର ‘ଓଁ ନମୋ ଭଗବତେ ବାସୁଦେବାୟ’ ମନ୍ତ୍ର ସହିତ ହୋମ କରିବ । ରାତିରେ ଭଗବାନଙ୍କ ଭଜନ କରିବା ସହିତ ତା’ ପରଦିନ ବ୍ରାହ୍ମଣଙ୍କୁ ଭୋଜନ ଖୁଆଇବ ।