ଆଜି ମହାଶିବରାତ୍ରୀ: ଓଡ଼ିଶାର ପ୍ରମୁଖ ଶିବାଳୟରେ ଶ୍ରଦ୍ଧାଳୁଙ୍କ ଭିଡ଼

ଭୁବନେଶ୍ୱର: ଆଜି ଜାଗର । ମହାଶିବରାତ୍ରୀ । କଟକର ଧବଳେଶ୍ୱର, ଭୁବନେଶ୍ୱରର ଲିଙ୍ଗରାଜ, ପୁରୀର ଲୋକନାଥ ଓ ଭଦ୍ରକର ଆଖଣ୍ଡଳମଣିଙ୍କ ସମେତ ରାଜ୍ୟର ସବୁ ଶିବାଳୟରେ ଶ୍ରଦ୍ଧାଳୁଙ୍କ ଭିଡ଼ ବୃଦ୍ଧି ପାଉଛି । ସକାଳୁ ସକାଳୁ ଶିବ ମନ୍ଦିରଗୁଡ଼ିକରେ ଶ୍ରଦ୍ଧାଳୁମାନଙ୍କ ଲମ୍ବାଧାଡ଼ି ଦେଖିବାକୁ ମିଳିଛି । ପୌରାଣିକ ମତରେ ସାରା ସଂସାରର କଲ୍ୟାଣ ପାଇଁ ମହାଯୋଗୀ ସଦାଶିବ ଏହି ଦିନ ହଳାହଳ ବିଷ ପାନ କରି ତା’ ଜ୍ୱାଳାରେ ବେହୋସ ହୋଇଯାଇଥିଲେ ।

ଶିବଙ୍କ ଆଶୁ ଆରୋଗ୍ୟ କାମନା କରି ଦେବ, ଦାନବ, ମାନବ, ନାଗଲୋକ, ଯକ୍ଷ, ଗନ୍ଧର୍ବ, କିନ୍ନରମାନେ ଦୀପ ଜାଳି ଉଜାଗର ରହିଥିଲେ । ତେଣୁ ଏହିଦିନ ଲୋକମାନେ ଶ୍ରଦ୍ଧାର ସହିତ ଦୀପ ଜାଳି ଉଜାଗର ରହିଲେ, ପରିବାରରେ ସୁଖଶାନ୍ତି ରହିଥାଏ । ଘର ଧନ ସଂପଦର ଅଭାବ ରହେନା । ସମାଜରେ ଧନମାନ ଯଶ ସମ୍ମାନ ମିଳିଥାଏ । ସୂଚନା ମୁତାବକ ଲିଙ୍ଗରାଜ ମନ୍ଦିର ଚୂଡ଼ାରେ ରାତି ୧୦ଟାରେ ମହାଦୀପ ଦେଖିବାକୁ ମିଳିବ ।