ରାଖି ଲୋ ରାଖି: ଦ୍ରୌପଦୀଙ୍କ ଶାଢ଼ୀ ପଣତରୁ ଆରମ୍ଭ ପରମ୍ପରା

ହିନ୍ଦୁଧର୍ମରେ ରାକ୍ଷୀ ପୂର୍ଣ୍ଣିମା ଏକ ପବିତ୍ର ପରମ୍ପରା । କୁହାଯାଏ, ଭଗବାନ ଶ୍ରୀକୃଷ୍ଣଙ୍କ ହାତର କାଣି ଅଙ୍ଗୁଳିରୁ ରକ୍ତ ବୋହୁଥିବା ଦେଖି ଦ୍ରୌପଦୀ ଚଟାପଟ୍‌ ତାଙ୍କର ଶାଢ଼ୀ ପଣତ କାନିଟିକୁ ଚିରି ଦେଇ ବାନ୍ଧି ଦେଇଥିଲେ । ଦ୍ରୌପଦୀଙ୍କର ଉଦାର ମନୋଭାବକୁ ତାରିଫ କରି ଶ୍ରୀକୃଷ୍ଣ କହିଥିଲେ, କ୍ରିଷ୍ଣା, ତମେ ଆଜି ମୋତେ ଯୋଉ ବନ୍ଧନରେ ବାନ୍ଧିଦେଲ । ତାହା ଯୁଗ ଯୁଗ ଧରି ତିନିପୁରରେ ପାଳିତ ହେବ । ତମର ଶାଢ଼ୀ ପଣତ କାନିଟି ଆଗାମୀ ଦିନରେ ରକ୍ଷା କବଚ ଭାବେ ଖ୍ୟାତ ହେବ ।

ଦେବାଦେବୀଙ୍କ ହାତରେ ରାଖି ବାନ୍ଧିବେ ଶ୍ରଦ୍ଧାଳୁ । ଭାଇ ହାତରେ ରାଖି ବାନ୍ଧିବ ଭଉଣୀ । ଭଉଣୀ ହାତରେ ରାଖି ବାନ୍ଧିବ ଭାଇ । ରାଜାଙ୍କ ହାତରେ ରାଖି ବାନ୍ଧିବେ ପ୍ରଜାଗଣ । ଯଜମାନଙ୍କ ହାତରେ ରାଖି ବାନ୍ଧିବେ ବ୍ରାହ୍ମଣ । ଶାସକଙ୍କ ହାତରେ ରାଖି ବାନ୍ଧିବେ ଶାସିତ । ପରସ୍ପରକୁ ଆପଦ ବିପଦରୁ ରକ୍ଷା କରିବାର ପ୍ରତିଶ୍ରୁତି ଆଜି ସାରା ବିଶ୍ୱକୁ ବ୍ୟାପିଛି ।

ରାଖି ଆଜି କେବଳ ହିନ୍ଦୁଧର୍ମର ଲୋକଙ୍କ ଭିତରେ ସୀମିତ ହୋଇ ରହିନାହିଁ । ସବୁ ଧର୍ମର ଲୋକମାନେ ରାଖି ବନ୍ଧନକୁ ପବିତ୍ର ମନରେ ଆଦରି ନେଇଛନ୍ତି ।