ନବୀନଙ୍କୁ ବଦନାମ କରିଦେଲା ଡେଙ୍ଗୁ

ପରିବେଶ ସହିତ ମୁକାବିଲା କରି ବଂଚିବାର ଯୋଉ କ୍ଷମତା ମଶାବଂଶ ପାଇଛନ୍ତି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ଜରିଆରେ ତାକୁ ହାସଲ କରିବା ଅସମ୍ଭବ । ଏ କଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାଣିବା ଦରକାର । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡକୁ ଉପହାସ କରିଛି ଡେଙ୍ଗୁ ।

ମୁଖ୍ୟମନ୍ତ୍ରୀଙ୍କ ଧଳା ପଞ୍ଜାବୀରେ ଦାଗ ଲଗାଇବାର ସାହସ କରିପାରିଛି ଡେଙ୍ଗୁ । ରାଜ୍ୟ ସରକାରଙ୍କର ଲୋକପ୍ରିୟ ସ୍ୱାସ୍ଥ୍ୟସେବାର ବାସ୍ତବ ଚେହେରାକୁ ପଦାରେ ପକାଇଛି ଡେଙ୍ଗୁ । ମଶାଙ୍କ ଦ୍ୱାରା ଜାତ ଡେଙ୍ଗୁ ପୁଣିଥରେ ରାଜ୍ୟ ସରକାରଙ୍କୁ ଜଣାଇ ଦେଇଛି ଯେ ଲୋକଙ୍କ ହାତରେ ସ୍ୱାସ୍ଥ୍ୟ କାର୍ଡ ଧରାଇଦେଲେ ସେ ଡରିଯାଇ ପଳାୟନ କରିବନି । ପ୍ରାକୃତିକ ପରିବେଶକୁ ଅଳିଆ ଆର୍ବଜନାରୁ ମୁକ୍ତ ରଖିବା ସରକାରଙ୍କର ମୌଳିକ କାମ । ପ୍ରଦୂଷିତ ବାତାବରଣକୁ ନିର୍ମଳ ରଖିବା ପାଇଁ ସରକାରୀ ସ୍ତରରେ ଗ୍ରହଣ କରାଯାଉଥିବା ଯାବତୀୟ ଉଦ୍ୟମ କେବଳ ଧର୍ମକୁ ଆଖିଠାର ।

ରାଜ୍ୟର ୨୯ଟି ଜିଲ୍ଲାରେ ଡେଙ୍ଗୁ ପାଦ ଥାପି ସାରିଲାଣି । ରାଜ୍ୟବାସୀଙ୍କୁ ସୁସ୍ଥ ବାତାବରଣରେ ରଖିବା ଦିଗରେ ବିଜେଡି ସରକାର ସଂପୂର୍ଣ୍ଣ ବିଫଳ ହୋଇଛି । ରାଜ୍ୟ ସରକାର ଆପଣା ଦୋଷକୁ ଲୋକଙ୍କ ମୁଣ୍ଡରେ ଲଦି ଦେବାର ପ୍ରୟାସ କରୁଚନ୍ତି । ଲୋକମାନଙ୍କୁ ସଚେତନ କରିବା ସହିତ ସରକାରୀ କଳ ଏ ଦିଗରେ ତତ୍ପରତା ଦେଖାଇବା ଜରୁରୀ ।

ଘରକୁ ଘର ବୁଲି ଅଳିଆ ସଂଗ୍ରହ କରିଦେଲେ, ଚଳିବନି । ପୌରପାଳିକାର ପ୍ରତି କର୍ମଚାରୀମାନେ ସେମାନଙ୍କର ଦାୟିତ୍ୱକୁ ଠିକ ଭାବେ ତୁଲାଇବା ଜରୁରୀ । ଅଟୋରେ ଟିଫା ମେସିନ ରଖି ସହରାଂଚଳରେ କିଛିକ୍ଷଣ ପାଇଁ ଧୂଆଁଟା ଛାଡ଼ିଦେଲେ, ମଶାବଂଶ ଲୋପ ପାଇବେନି । ପ୍ରାୟୋଜିତ କାର୍ଯ୍ୟକ୍ରମ ଜରିଆରେ ଆଦର୍ଶ ମୁଖ୍ୟମନ୍ତ୍ରୀ ବୋଲାଇବା ଧପାବାଜ ଲୋକଙ୍କ ପକ୍ଷେ ସମ୍ଭବ । ମାତ୍ର ଡେଙ୍ଗୁ ତା’ର କାମକୁ ଦକ୍ଷତାର ସହ କରିପାରିଛି ।