‘ମାମୁଁ ଲୋ, ମୁଁ ଏବେ ତମ କୋଳରେ’

ଜହ୍ନମାମୁଁ ଘରେ କୁଣିଆ ‘ଚନ୍ଦ୍ରଯାନ-୩’

୨୩ ତାରିଖ ସନ୍ଧ୍ୟାରେ ଚନ୍ଦ୍ରପୃଷ୍ଠରେ ସୂର୍ଯ୍ୟ ଉଦୟ ହେଲା । ଠିକ ସେତିକି ବେଳେ ଭାରତର ଚନ୍ଦ୍ରଯାନଟି ଜହ୍ନମାମୁଁଙ୍କ ଦକ୍ଷିଣ କବାଟରେ ଠକ୍‌ ଠକ୍‌ କଲା । ଚନ୍ଦ୍ରର ଦକ୍ଷିଣ ଗୋଲାର୍ଦ୍ଧରେ ସଫଳତାର ସହିତ ଅବତରଣ କରି ଆମେ ସାରା ବିଶ୍ୱରେ ଇତିହାସ ପ୍ରତିଷ୍ଠା କଲୁ । ଆମେରିକା, ଚୀନ, ରୁଷିଆ ଚନ୍ଦ୍ରପୃଷ୍ଠରେ ପାଦ ଦେଇଛନ୍ତି ସତ; ମାତ୍ର ବିପଦପୂର୍ଣ୍ଣ ଦକ୍ଷିଣ ଗୋଲାର୍ଦ୍ଧରେ ପହଂଚି ପାରିନାହାନ୍ତି । ମାତ୍ର ଦୁଇଦିନ ତଳେ ରୁଷିଆର ଲୁନା-୨୫ ଚନ୍ଦ୍ରପୃଷ୍ଠରେ ଦୁର୍ଘଟଣାର ଶିକାର ହୋଇ ପାଉଁଶ ହୋଇଯାଇଛି । ସୂଚନା ମୁତାବକ ଚନ୍ଦ୍ରଯାନ-୩ ମଙ୍ଗଳବାର ସନ୍ଧ୍ୟା ୫ଟା ୪୪ ମିନିଟରେ ଅବତରଣ ପ୍ରକ୍ରିୟା ଆରମ୍ଭ କଲା । ୨୦ ମିନିଟ ଭିତରେ ୨୫ କିଲୋମିଟର ଅତିକ୍ରମ କରି ଚନ୍ଦ୍ରର ଶେଷ କକ୍ଷରେ ପ୍ରବେଶ କଲା । ପୂର୍ବ ନିର୍ଦ୍ଧାରିତ ସମୟ ୬ଟା ୦୪ ମିନିଟରେ ଚନ୍ଦ୍ରପୃଷ୍ଠରେ ପାଦ ରଖିଲା ।

ଭାରତୀୟ ମହାକାଶ ଗବେଷଣା ସଂସ୍ଥା ନିର୍ଦ୍ଦେଶକ ଏସ୍‌ ସୋମନାଥଙ୍କ କହିବା ଅନୁସାରେ ଆଗାମୀ ୧୪ ଦିନ ଆମ ପାଇଁ ବଡ଼ ଗୁରୁତ୍ୱପୂର୍ଣ୍ଣ । ପ୍ରଜ୍ଞାନ ରୋଭର ବାହାରକୁ ଆସିବା ପାଇଁ ପ୍ରାୟ ଗୋଟିଏ ଦିନ ସମୟ ନେବ । ଚନ୍ଦ୍ରର ପ୍ରତିଟି ସୂଚନା ପ୍ରଦାନ କରିବ ପ୍ରଜ୍ଞାନ ।

ଚନ୍ଦ୍ରଯାନ-୩ର ସଫଳ ଅଭିଯାନ ଆମକୂ ସୂର୍ଯ୍ୟଙ୍କ ନିକଟକୁ ଯିବା ପାଇଁ ସାହସ ଯୋଗାଇଛି । ଇସ୍ରୋ ପକ୍ଷରୁ ଗଗନଯାନ କାମ ଜୋରସୋରରେ ଚାଲିଛି । ଚନ୍ଦ୍ରପୃଷ୍ଠରେ ପାଦ ଦେବା କ୍ଷଣି ଚନ୍ଦ୍ରଯାନ-୩ ବାରତା ପଠାଇଲା- ମୁଁ ମୋ ଗନ୍ତବ୍ୟ ସ୍ଥାନରେ ପହଂଚି ଯାଇଛି । ଏହି ଅବସରରେ ଦକ୍ଷିଣ ଆଫ୍ରିକାରୁ ପ୍ରଧାନମନ୍ତ୍ରୀ ମୋଦି ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇ କହିଛନ୍ତି- ଆଉ ଜହ୍ନମାମୁଁ ଆମଠାରୁ ଦୂରରେ ନାହାନ୍ତି ।