ରାଖି ରାଜନୀତି: ଗୋଠ ସୁଦୃଢ଼ କରିବାର ସହଜ ବାଟ

ରାଖି ପୂର୍ଣ୍ଣିମା’ ଏବେ ରାଜନୀତି ବନ୍ଧନର ମୁଖ୍ୟ ସୂତ୍ରଧର ପାଲଟିଛି । ମୁସଲିମ ସଂପ୍ରଦାୟର ଇଦ୍‌ ମୁବାରକ ଭଳି ହିନ୍ଦୁଧର୍ମର ରାଖି ବନ୍ଧନ ଧାରା ମଧ୍ୟ ରାଜନୈତିକ ବନ୍ଧନକୁ ସୁଦୃଢ଼ କରିବାର ମୁଖ୍ୟ ଅସ୍ତ୍ର ପାଲଟିଛି । ୟୁପି ରାଜନୀତିର ବଳିଷ୍ଠ ନେତା ମୁଲାୟମ ସିଂ ଯାଦବଙ୍କ ହାତରେ ରାଖି ବାନ୍ଧୁଥିଲେ ବହୁଜନ ସମାଜ ପାର୍ଟି ନେତ୍ରୀ ମାୟାବତୀ । ବହୁ ମୁସଲିମ ନେତାମାନେ ମଧ୍ୟ ମୁଲାୟମଙ୍କ ହାତରେ ରାଖି ବାନ୍ଧି ସଂପର୍କକୁ ମଜଭୁତ କରୁଥିଲେ ।

ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିୟମିତ ଭାବେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ରାଖି ଓ ମିଠା ପଠାଇ ଆସୁଛନ୍ତି । ରାଖି ପୂର୍ଣ୍ଣିମୀ ଦିନ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ହାତରେ ରାଖି ବାନ୍ଧିଥାନ୍ତି ବହୁ ନେତା ଓ ବାଳକ ବାଳିକା ।

ଭାରତର ଗଣତନ୍ତ୍ର ଏବେ ମେଂଟ ରାଜନୀତିକୁ ଆଦରି ନେଇଛି । ଏପରି ସ୍ଥିତିରେ ମେଂଟଭୁକ୍ତ ଦଳଗୁଡ଼ିକ ପାଇଁ ରାଖି ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି ।

ବିଜେପି ନେତୃତ୍ୱାଧିନ ଏନଡିଏ ଓ କଂଗ୍ରେସ ନେତୃତ୍ୱାଧିନ ‘ଇଣ୍ଡିଆ’ ଅନ୍ତର୍ଭୁକ୍ତ ଛୋଟ ରାଜନୈତିକ ଦଳଗୁଡ଼ିକ ମୁଖ୍ୟ ଦଳର ମୁଖିଆଙ୍କ ହାତରେ ରାଖି ବାନ୍ଧୁଥିବାର ନଜିର ଦେଖିବାକୁ ମିଳେ ।

ମହାଭାରତ ଅମଳରୁ ଆରମ୍ଭ ରାଖି ବନ୍ଧନ ପରମ୍ପରା କ୍ରମେ ଭାରତର ରାଜାରାଜୁଡ଼ା ଶାସନକୁ ପ୍ରଭାବିତ କରିଥିଲା । ଦିଲ୍ଲୀର ମୋଗଲ ଶାସକ ହୁମାୟୁନଙ୍କ ହାତରେ ତାଙ୍କର ରାଜପୁତ ଭଉଣୀ ରାଖି ବାନ୍ଧୁଥିଲେ । ମରାଠା ଶାସକମାନେ ମଧ୍ୟ ରାଖି ବନ୍ଧନକୁ ରାଜ୍ୟ-ରାଜ୍ୟ କୂଟନୈତିକ ସଂପର୍କର ସେତୁ ରୂପେ ମର୍ଯ୍ୟାଦା ଦେଇ ଆସୁଥିଲେ ।