ଶରୀର ତ୍ୟାଗ ପରେ ପୁନର୍ବାର ଜନ୍ମ

ଜନ୍ମ କର୍ମ ଚ ମେ ଦିବ୍ୟମେବଂ ଯୋ ବେତ୍ତି ତତ୍ତ୍ୱତଃ । ତ୍ୟକ୍ତ୍ୱା ଦେହଂ ପୁନର୍ଜନ୍ମ ନୈତି ମାମେତି ସୋଽର୍ଜୁନ ।।୪/୯।।

ଆମର ମନ ଭଗବାନଙ୍କର ଭକ୍ତିଯୁକ୍ତ ସ୍ମରଣରେ ଶୁଦ୍ଧ ହୋଇଥାଏ । ଏହି  ଭକ୍ତି ତାଙ୍କର ନିରାକାର ସ୍ୱରୂପ ବା ସାକାର ସ୍ୱରୂପ ପ୍ରତି ହୋଇପାରେ । ନିରାକାର ବ୍ରହ୍ମଙ୍କର ଭକ୍ତି ଅନେକ ବ୍ୟକ୍ତିଙ୍କ ପାଇଁ ଦୁର୍ବୋଧ ଓ ଅସ୍ପଷ୍ଟ ହୋଇଥାଏ । ସେମାନେ ଧ୍ୟାନ କରିବାକୁ ବା ନିଜକୁ ତାଙ୍କ ସହିତ ଯୋଡ଼ିବାକୁ କୌଣସି ଆଧାର ପାଆନ୍ତି ନାହିଁ । ସାକାର ରୂପର ଧ୍ୟାନ କରିବା ସ୍ପଷ୍ଟ ଓ ସରଳ ଅଟେ । ଏହିପରି ଭକ୍ତିରେ ଭଗବାନଙ୍କ ସ୍ୱରୂପ ପ୍ରତି ଦିବ୍ୟଭାବ ପୋଷଣ କରିବା ଆବଶ୍ୟକ । ବ୍ୟକ୍ତିବିଶେଷକୁ ଶ୍ରୀକୃଷ୍ଣ ଭକ୍ତି କରିବାକୁ ହେଲେ ତାଙ୍କର ନାମ, ରୂପ, ଲୀଳା, ଗୁଣ, ଧାମ ଓ ସ୍ୱଭାବ ପ୍ରତି ଦିବ୍ୟ ଭାବନା ଉତ୍ପନ୍ନ କରିବାକୁ ପଡ଼ିବ । ଉଦାହରଣ ସ୍ୱରୂପ, ଲୋକେ ପଥର ମୂର୍ତ୍ତିରେ ଏହି ଦିବ୍ୟ ଭାବନା ରଖନ୍ତି ଯେ ଏଥିରେ ଭଗବାନ ଅଛନ୍ତି ଏବଂ ତାଙ୍କର ଉପାସନା କରି ନିଜର ମନକୁ ପବିତ୍ର କରିଥାନ୍ତି । ଏହି ମନୋଭାବ ହିଁ ଭକ୍ତର ହୃଦୟକୁ ପବିତ୍ର କରିଥାଏ ।
ଆଦି ଜନକ ମନୁ କହନ୍ତି: “ଭଗବାନ କାଠ ବା ପଥରରେ ବାସ କରନ୍ତି ନାହିଁ, ସେ ଭକ୍ତିଯୁକ୍ତ ହୃଦୟରେ ନିବାସ କରନ୍ତି, ତେଣୁ ମୂର୍ତ୍ତିର ଉପାସନା ପ୍ରେମଯୁକ୍ତ ଭାବନାରେ କର ।”

ସେହିପରି ଆମେ ଯଦି ଶ୍ରୀକୃଷ୍ଣ ଭକ୍ତି କରିବାକୁ ଇଚ୍ଛା କରୁଥାଉ , ତେବେ ଆମେ ତାଙ୍କର ଲୀଳାଗୁଡ଼ିକ ପ୍ରତି ଦିବ୍ୟ ଭାବନା ରଖିବାକୁ ଶିଖିବା ଉଚିତ ଏବଂ ଏହିପରି ଦିବ୍ୟ ଭାବନା ବିକଶିତ କରିବା ପାଇଁ ପ୍ରଥମେ ଆମେ ଭଗବାନଙ୍କର କ୍ରିୟା ଓ ଆମ୍ଭମାନଙ୍କର କ୍ରିୟା ମଧ୍ୟରେ ପାର୍ଥକ୍ୟ ବୁଝିବା ଉଚିତ୍ । ଆମ୍ଭେମାନେ ମାୟାବଦ୍ଧ ଅଟୁ ଏବଂ ଏ ପର୍ଯ୍ୟନ୍ତ ଦିବ୍ୟପ୍ରେମ ପ୍ରାପ୍ତ କରି ନ ଥିବା ଯୋଗୁଁ ଆମ ଆତ୍ମାର ଲାଳସା ତୃପ୍ତ ହୋଇନାହିଁ । ସେଥିପାଇଁ ଆମର ସମସ୍ତ କାର୍ଯ୍ୟ ସ୍ୱାର୍ଥଯୁକ୍ତ ତଥା ବ୍ୟକ୍ତିଗତ ଉଦ୍ଦେଶ୍ୟ ପୂରଣ ପାଇଁ ଉଦ୍ଦିଷ୍ଟ ହୋଇଥାଏ । କିନ୍ତୁ ଭଗବାନଙ୍କ କ୍ରିୟାରେ କୌଣସି ବ୍ୟକ୍ତିଗତ ସ୍ୱାର୍ଥ ନ ଥାଏ । କାରଣ ସେ ପୂର୍ଣ୍ଣ ତୃପ୍ତ ଏବଂ ସ୍ୱୟଂ ଅନନ୍ତ ଆନନ୍ଦ ଅଟନ୍ତି । କୌଣସି କାର୍ଯ୍ୟ ଦ୍ୱାରା ଅଧିକ ଆନନ୍ଦ ପ୍ରାପ୍ତ କରିବାର ଆବଶ୍ୟକତା ତାଙ୍କର ନ ଥାଏ । ଅତଏବ, ସେ ଯାହା ବି କରନ୍ତି ତାହା ମାୟାବଦ୍ଧ ଜୀବର କଲ୍ୟାଣ ନିମନ୍ତେ ଉଦ୍ଦିଷ୍ଟ । ଭଗବାନଙ୍କର ଏହି ଦିବ୍ୟ କର୍ମକୁ “ଲୀଳା” କୁହାଯାଏ, ଅଥଚ ଆମେ କରୁଥିବା ସମସ୍ତ କର୍ମକୁ “କାର୍ଯ୍ୟ” କୁହାଯାଏ ।

ସେହିପରି ଭଗବାନଙ୍କର ଜନ୍ମ ଦିବ୍ୟ ଅଟେ ଏବଂ ଆମ୍ଭମାନଙ୍କର ଜନ୍ମ ପରି ତାହା ମାତୃଗର୍ଭରୁ ଜାତ ହୋଇ ନ ଥାଏ । ଆନନ୍ଦମୟ ଭଗବାନଙ୍କ ପାଇଁ ମାତାଙ୍କ ଗର୍ଭରେ ଓଲଟା ଝୁଲିବାର ଆବଶ୍ୟକତା ନ ଥାଏ ।
ଭାଗବତ କହେ: “ଜନ୍ମ ସମୟରେ ଯେତେବେଳେ ଶ୍ରୀକୃଷ୍ଣ ବସୁଦେବ ଏବଂ ଦେବକୀଙ୍କ ସମ୍ମୁଖରେ ପ୍ରକଟିତ ହେଲେ, ସେ ଚତୁର୍ଭୁଜ ବିଷ୍ଣୁଙ୍କ ରୂପରେ ଥିଲେ ।” ଏହି ପୂର୍ଣ୍ଣ ରୂପ କେବେ ବି ଦେବକୀଙ୍କ ଗର୍ଭରେ ଅବସ୍ଥାପିତ ନ ଥିବ । କିନ୍ତୁ ସେ ଗର୍ଭ ଭିତରେ ଥିବାର ଅନୁଭବ ସୃଷ୍ଟି କରିବା ପାଇଁ ନିଜ ଯୋଗମାୟା ଶକ୍ତି ବଳରେ ଦେବକୀଙ୍କ ଗର୍ଭକୁ ଫୁଲାଇ ଦେଇଥିଲେ । କିନ୍ତୁ ଶେଷରେ ବାହାରୁ ପ୍ରକଟ ହୋଇ ସୂଚିତ କଲେ ଯେ ସେ କେବେ ବି ଭିତରେ ନ ଥିଲେ । ଏହିପରି ଭାବରେ ଯଦି ଆମେ ତାଙ୍କର ଲୀଳା ଓ ଜନ୍ମ ପ୍ରତି ଦିବ୍ୟ ଭାବନା ଉତ୍ପନ୍ନ କରିପାରିବା,  ତାହେଲେ ଆମେ ଅତି ସହଜରେ ତାଙ୍କ ସାକାର ରୂପର ଭକ୍ତି କରି ଆମର ଚରମ ଲକ୍ଷ୍ୟ ପ୍ରାପ୍ତ କରିପାରିବା ।