ଆଜି ବିଶ୍ବପ୍ରସିଦ୍ଧ ରଥଯାତ୍ରା

ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ପାଇଁ ଶ୍ରୀମନ୍ଦିରର ସିଂହଦ୍ୱାର ଆଗରେ ଦଣ୍ଡାୟମାନ ସୁସଜ୍ଜିତ ତିନି ରଥ। ଭକ୍ତ ଓ ଭଗବାନଙ୍କ ମିଳନରେ ଭକ୍ତିମୟ ହୋଇଯିବ ବଡ଼ଦାଣ୍ଡ । ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ରଥାରୁଢ଼ ହୋଇ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ନବଦିନାତ୍ମକ ଯାତ୍ରା କରିବେ ମହାପ୍ରଭୁ । ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କୁ ଦର୍ଶନ ଦେବେ ମହାବାହୁ ।

ବର୍ତ୍ତମାନ ରଥ, ପଥ ଓ ଭକ୍ତ ଚାହିଁ ବସିଛନ୍ତି ଦାରୁବ୍ରହ୍ମଙ୍କ ଆଗମନକୁ । କୋଟି ଓଡ଼ିଆଙ୍କ ମଉଡ଼ମଣୀ ପ୍ରଭୁ ଶ୍ରୀ ଜଗନ୍ନାଥ । ସେ ଲୀଳାମୟ ଓ ଭାବଗ୍ରାହୀ କଳାଠାକୁର । ମହାପ୍ରଭୁଙ୍କ ରଥାରୁଢ଼ ଦର୍ଶନ କଲେ ପୁନଃଜନ୍ମରୁ ମୁକ୍ତି ମିଳିଥାଏ ବୋଲି ବିଶ୍ୱାସ ରହିଛି । ମହାପ୍ରଭୁଙ୍କ ଦ୍ୱାଦଶ ଯାତ୍ରା ମଧ୍ୟରୁ ଏହି ‘ରଥଯାତ୍ରା’ ବା ‘ଶ୍ରୀ ଗୁଣ୍ଡିଚା ଯାତ୍ରା’ ହେଉଛି ସର୍ବଶ୍ରେଷ୍ଠ । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥକୁ ନନ୍ଦିଘୋଷ, ପ୍ରଭୁ ବଳଭଦ୍ରଙ୍କ ରଥ ତାଳଧ୍ୱଜ ଏବଂ ଦେବୀ ସୁଭଦ୍ରାଙ୍କ ରଥକୁ ଦର୍ପଦଳନ କୁହାଯାଏ ।