ଆଇସିସି ଦିନିକିଆ ରାଙ୍କିଙ୍ଗ: ଭାରତକୁ ମିଳିଲା ବଡ଼ ଫାଇଦା

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜକୁ ମୂଳପୋଛ କରିଥିବା ଟିମ ଇଣ୍ଡିଆ ଆଇସିସି ରାଙ୍କିଙ୍ଗରେ ବଡ଼ ପାଇଦା ହାସଲ କରିଛି । ଟିମ ଇଣ୍ଡିଆ ପୂର୍ବଭଳି ଦିନିକିଆ ରାଙ୍କିଙ୍ଗର ତୃତୀୟ ସ୍ଥାନରେ ଥିଲେ ମଧ୍ୟ ନିଜର ପଏଣ୍ଟ ସଂଖ୍ୟା ବଢ଼ାଇ ସ୍ଥିତି ମଜବୁତ କରିଛ । ଏବେ ୪ର୍ଥ ସ୍ଥାନରେ ଥିବା ପାକିସ୍ତାନ ତୁଳନାରେ ଭାରତ ପାଖରେ ଅଧିକ ୪ ପଏଣ୍ଟ ରହିଛି । ଭାରତର ପଏଣ୍ଟ ସଂଖ୍ୟା ୧୧୦ ଥିବା ବେଳେ ପାକିସ୍ତାନ ପାଖରେ ୧୦୬ ପଏଣ୍ଟ ରହିଛି । ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜରେ ଟିମ ଇଣ୍ଡିଆର ଅଧିକାଂଶ ବରିଷ୍ଠ ଖେଳାଳି ଅନୁପସ୍ଥିତ ଥିଲେ । ହେଲେ ଶିଖର ଧୱନଙ୍କ ନେତୃତ୍ୱରେ ଯୁବ ଖେଳାଳିମାନେ ଚମତ୍କାର ପ୍ରଦର୍ଶନ କରିଛନ୍ତି । ଏଥିସହ ଇଣ୍ଡିଜକୁ ତା’ରି ମାଟିରେ ମୂଳପୋଛ କରିବାରେ ପ୍ରଥମ ଭ୍ରମଣକାରୀ ଦଳର ମାନ୍ୟତା ପାଇଛନ୍ତି ।

ଏହି ରେକର୍ଡ ବିଜୟ ପରେ ଦିନିକିଆ ରାଙ୍କିଙ୍ଗରେ ଭାରତର ପଏଣ୍ଟ ସଂଖ୍ୟା ୧୧୦କୁ ବଢ଼ିଛି । ଭାରତ ଉପରେ ୧୨୮ ପଏଣ୍ଟ ସହ ନ୍ୟୁଜିଲ୍ୟାଣ୍ଡ ଓ ୧୧୯ ପଏଣ୍ଟ ସହ ଇଂଲଣ୍ଡ ରହିଛି । ୱେଷ୍ଟଇଣ୍ଡିଜ ଲଗାତର ୯ଟି ଦିନିକିଆ ମ୍ୟାଚ ହାରି ଏବେ ରାଙ୍କିଙ୍ଗର ୯ମ ସ୍ଥାନକୁ ଖସି ଯାଇଛି । ଟିମ ଇଣ୍ଡିଆ ଚଳିତ ବର୍ଷ ଦକ୍ଷିଣ ଆଫ୍ରିକାରେ ଦିନିକିଆ ସିରିଜ ହାରି ନିଜର ଅଭିଯାନ ଆରମ୍ଭ କରିଥିଲେ । ହେଲେ ଏହି ସିରିଜ ପରେ ଦଳ ଜବରଦସ୍ତ କମବ୍ୟାକ କରି ଗୋଟିଏ ପରେ ଗୋଟିଏ ଦିନିକିଆ ମ୍ୟାଚ ଜିତି ଚାଲିଛି । ନିକଟରେ ଦଳ ଇଂଲଣ୍ଡକୁ ଦିନିକିଆ ସିରିଜରେ ମାତ ଦେଇଥିଲା । ସେହିପରି ଦଳ ଇଣ୍ଡିଜ ବିପକ୍ଷ ସିରିଜ ମଧ୍ୟ ଜିତିଛ । ଚଳିତ ବର୍ଷ ଭାରତର ଏହା କ୍ରମାଗତ ତୃତୀୟ ଦିନିକିଆ ସିରିଜ ବିଜୟ । ପ୍ରଥମେ ଘରୋଇ ମାଟିରେ ଟିମ ଇଣ୍ଡିଆ ପ୍ରତିପକ୍ଷ ୱେଷ୍ଟଇଣ୍ଡିଜକୁ ଦିନିକିଆ ସିରିଜରେ ହରାଇଥିଲା । ଏହାପରେ ଇଂଲଣ୍ଡ ମାଟିରେ ଇଂଲଣ୍ଡକୁ ଓ ଇଣ୍ଡିଜ ମାଟିରେ ଇଣ୍ଡିଜକୁ ହରାଇଛି ।